ରାତି ତତଲା

 ଭୁବନେଶ୍ବର: ସ୍ବାଭାବିକଠାରୁ ୭.୫ ଡିଗ୍ରି ଉପରେ ବଲାଙ୍ଗୀରର ରାତିର ତାପମାତ୍ରା। ବର୍ତ୍ତମାନ ସମୟରେ ଏହି ସହରର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରି ରହିବା କଥା। ମାତ୍ର ଆଜି ଏଠାରେ ୨୦.୫ ଡିଗ୍ରି ରହିଥିଲା। କେବଳ ବଲାଙ୍ଗୀର ନୁହେଁ, ଉପକୂଳ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସହରର ସର୍ବନିମ୍ନ ତଥା ରାତିର ତାପମାତ୍ରା ଏବେ ସ୍ବାଭାବିକଠାରୁ ବହୁ ଉପରେ ରହୁଛି। ସୁନ୍ଦରଗଡ଼ର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୭.୪, ଚାନ୍ଦବାଲିରେ ୬.୫, ସମ୍ବଲପୁର, ଟିଟିଲାଗଡ଼ ଓ ବାରିପଦାରେ ୬.୩, ଭବାନୀପାଟଣା ଓ ବାଲେଶ୍ବରରେ ୬.୧, କେନ୍ଦୁଝରରେ ୫.୮, ପାରାଦୀପରେ ୫.୫, ଭୁବନେଶ୍ବର ଓ ପୁରୀରେ ୫.୩, ହୀରାକୁଦରେ ୫.୨ ଡିଗ୍ରି ଉପରେ ରହିଛି। ତାପମାତ୍ରା ରେକର୍ଡ ହେଉଥିବା ସମସ୍ତ ସ୍ଥାନରେ ରାତିର ପାରଦ ୧୫ ଡିଗ୍ରି ଉପରେ ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।



ଶୁକ୍ରବାର ମଧ୍ୟ ଅନୁରୂପ ଭାବେ ପୁରୀ ସହରର ତାପମାତ୍ରା ୨୫ ଡିଗ୍ରି ଛୁଇଁବାର ସମ୍ଭାବନା ରହିଛି। ପାରାଦୀପ, ଚାନ୍ଦବାଲି ଓ ବାଲେଶ୍ବରରେ ୨୩ ଡିଗ୍ରି ପହଞ୍ଚିପାରେ। ଉପକୂଳ ଓ ଉତ୍ତର ଓଡ଼ିଶା ସମସ୍ତ ଜିଲ୍ଲାରେ ରାତିର ତାପମାତ୍ରା ୨୦ ଡିଗ୍ରି ଉପରେ ରହିବ। ତେବେ ୮ରୁ ୧୦ ମଧ୍ୟରେ ରାତିର ତାପମାତ୍ରା ସାମାନ୍ୟ କମିବ ଏବଂ ୧୧ ତାରିଖଠାରୁ ପୁଣିଥରେ ବୃଦ୍ଧି ପାଇବ। ଆଜି ୩ଟି ସହରର 

ତାପମାତ୍ରା ୩୫ ଡିଗ୍ରି ଉପରେ ରହିଥିଲା। ପାରଳାଖେମୁଣ୍ଡିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୫.୬ ଡିଗ୍ରି ରହିଥିବା ବେଳେ ଝାରସୁଗୁଡ଼ା, ମାଲକାନଗିରିରେ ୩୫ ଡିଗ୍ରି ଲେଖାଏଁ ରେକର୍ଡ ହୋଇଛି। ଶୁକ୍ରବାର ସକାଳ ୮ଟା ସୁଦ୍ଧା କେନ୍ଦୁଝର, ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ଘନକୁହୁଡ଼ି ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।


ଭାରତୀୟ ପାଣିପାଗ ବିଭାଗ କହିବାନୁଯାୟୀ ଓଡ଼ିଶା ଉପକୂଳସ୍ଥ ବଙ୍ଗୋପସାଗର ଅଞ୍ଚଳରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଛି। ଲଗାତାର ଭାବେ ୧୮ ଦିନ ଧରି ଏହି ବଳୟ ପ୍ରଭାବ ରହିଥିବାରୁ ଉପକୂଳ ଓଡ଼ିଶାରେ କ୍ରମାଗତ ଭାବେ ଘନକୁହୁଡ଼ି ଦୃଶ୍ୟମାନ ହେଉଛି। ଏହି ଗୁରୁଚାପ ବଳୟ ଯୋଗୁଁ କୁହୁଡ଼ି ପାଇଁ ଆବଶ୍ୟକୀୟ ପରିସ୍ଥିତି ସୃଷ୍ଟି କରୁଛି। ବାୟୁମଣ୍ଡଳର ନିମ୍ନ ଭାଗରେ ଜଳୀୟବାଷ୍ପର ଉପସ୍ଥିତି, ନିର୍ମଳ ଆକାଶ ଓ ନିଷ୍କ୍ରିୟ ବାୟୁ ଚଳାଚଳ ସ୍ଥିତି ସୃଷ୍ଟି ହେଉଥିବାରୁ ଘନକୁହୁଡ଼ି ପାଇଁ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେଉଛି। ଭୁବନେଶ୍ବର ସହରରେ ଆଜି ଘନକୁହୁଡ଼ି ଯୋଗୁଁ ଦୃଶ୍ୟମାନ ଦୂରତା‌ ୧୦୦ ମିଟରରୁ କମ୍‌ ରହିଥିଲା। ଗତ ୬ ବର୍ଷର ହିସାବ ଦେଖିଲେ ଉପକୂଳରେ ଏତେ ଦିନ ପର୍ଯ୍ୟନ୍ତ କୁହୁଡ଼ିର ପ୍ରଭାବ କେବେ ଦେଖିବାକୁ ମିଳି ନ ଥିଲା। ଜାନୁଆରି ୨୦ରୁ ଆରମ୍ଭ ହୋଇଥିବା ଏହି କୁହୁଡ଼ି ପ୍ରକ୍ରିୟା ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଲାଗିରହିବ।

Post a Comment

0 Comments