ମୌଳିକ ଅଧିକାରର ଉଲ୍ଲଂଘନ: ‘କାରଣ ନ ଜଣାଇ ଗିରଫ କରିବା ବେଆଇନ


 ନୂଆଦିଲ୍ଲୀ: ଗିରଫ ବ୍ୟକ୍ତିଙ୍କୁ ଗିରଫ କରାଯିବାର କାରଣ ସମ୍ପର୍କରେ ଅବଗତ କରାଇବା ସମ୍ବିଧାନର ଧାରା ୨୨(୧) ଅନୁଯାୟୀ କେବଳ ଔପଚାରିକତା ନୁହେଁ ବରଂ ଏକ ବାଧ୍ୟତାମୂଳକ ସାମ୍ବିଧାନିକ ଆବଶ୍ୟକତା ବୋଲି ସୁପ୍ରିମ୍‌କୋର୍ଟ ଶୁକ୍ରବାର ଏକ ଐତିହାସିକ ରାୟରେ କହିଛନ୍ତି। ଏହି ନିୟମ ପାଳନ କରିବାରେ ବିଫଳ ହେଲେ ଗିରଫଦାରୀ ବେଆଇନ ହୋଇଯିବ ବୋଲି ଜଷ୍ଟିସ ଏ.ଏସ୍. ଓକା ଓ ଜଷ୍ଟିସ ଏନ୍‌. କେ. ସିଂହଙ୍କ ଖଣ୍ଡପୀଠ କହିଛନ୍ତି। ଧାରା ୨୨(୧)କୁ ପାଳନ ନ କରିବା କାରଣରୁ ହରିୟାଣା ପୁଲିସ ଦ୍ୱାରା କରାଯାଇଥିବା ଏକ ଗିରଫଦାରୀକୁ ବେଆଇନ ବୋଲି ଖଣ୍ଡପୀଠ ଘୋଷଣା କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ଧାରା ୨୨କୁ ମୌଳିକ ଅଧିକାର ଅଧୀନରେ ସମ୍ବିଧାନର ତୃତୀୟ ଭାଗରେ ଅନ୍ତର୍ଭୁକ୍ତ କରାଯାଇଛି। ତେଣୁ ଗିରଫ ଓ ଅଟକ ରଖାଯାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ମୌଳିକ ଅଧିକାର ହେଉଛି ଯଥାଶୀଘ୍ର ଗିରଫ ହେବାର କାରଣ ବିଷୟରେ ଅବଗତ ହେବା। ଯଦି ଗିରଫ ପରେ ଯଥାଶୀଘ୍ର ଗିରଫଦାରୀର କାରଣ ପ୍ରକାଶ କରାନଯାଏ, ତେବେ ଏହା ଧାରା ୨୨(୧) ଅନୁଯାୟୀ ମୌଳିକ ଅଧିକାରର ଉଲ୍ଲଂଘନ ହେବ ଏବଂ ଏଭଳି କାର୍ଯ୍ୟ ବରଦାସ୍ତ କରାଯିବ ନାହିଁ।ମୌଳିକ ଅଧିକାରର ଉଲ୍ଲଂଘନଧାରା ୨୨ ମୌଳିକ ଅଧିକାର ଅଧୀନରେ ରହିଥିବାରୁ ଏହାର ଉଲ୍ଲଂଘନ ଅତି ଗମ୍ଭୀର ବିଷୟ। ତେଣୁ ଗିରଫ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଯଥାଶୀଘ୍ର ଗିରଫ କରାଯିବାର କାରଣ ସମ୍ପର୍କରେ ଅବଗତ କରାଇଲେ ହିଁ ଏ କ୍ଷେତ୍ରରେ ମୌଳିକ ଅଧିକାରର ସୁରକ୍ଷା ହୋଇପାରିବ। ଯଦି ଏହା କରାନଯାଏ ତେବେ ଏହା ଧାରା ୨୨(୧) ଅନୁଯାୟୀ ଦିଆଯାଇଥିବା ମୌଳିକ ଅଧିକାରର ଉଲ୍ଲଂଘନ ହେବ ଏବଂ ଗିରଫଦାରୀ ବେଆଇନ ହୋଇଯିବ। ଜଷ୍ଟିସ ଏନ.କେ. ସିଂହ କହିଛନ୍ତି, କେବଳ ଗିରଫ ବ୍ୟକ୍ତିଙ୍କୁ ନୁହେଁ ବରଂ ତାଙ୍କ ନିର୍ଦ୍ଦିଷ୍ଟ ବନ୍ଧୁ, ସମ୍ପର୍କୀୟ କିମ୍ବା ଅନ୍ୟ ବ୍ୟକ୍ତିମାନଙ୍କୁ ମଧ୍ୟ ଗିରଫର କାରଣ ଜଣାଇବା ଉଚିତ, ଯାହାଦ୍ୱାରା ସେମାନେ ଆଇନଗତ ପ୍ରକ୍ରିୟା ମାଧ୍ୟମରେ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ତାଙ୍କ ମୁକ୍ତି ସୁନିଶ୍ଚିତ କରିପାରିବେ।

ସୁପ୍ରିମ୍‌କୋର୍ଟ କହିଛନ୍ତି, ପଙ୍କଜ ବଂଶଲ ବନାମ ଭାରତ ସରକାର ମାମଲାରେ କୋର୍ଟ ପରାମର୍ଶ ଦେଇଥିଲେ ଯେ ଗିରଫଦାରୀର ଆଧାର ସୂଚିତ କରିବାର ଉପଯୁକ୍ତ ଏବଂ ଆଦର୍ଶ ଉପାୟ ହେଉଛି ଲିଖିତ ଭାବରେ ଗିରଫର ଆଧାର ପ୍ରଦାନ କରିବା। ଯଦି ଲିଖିତ ପଦ୍ଧତି ଅନୁସରଣ କରାଯାଏ ତେବେ ଏହାକୁ ପାଳନ ନ କରିବା ନେଇ ବିବାଦ ଆଦୌ ଉପୁଜିବ ନାହିଁ ବୋଲି କୋର୍ଟ କହିଛନ୍ତି। ସୁପ୍ରିମ୍‌କୋର୍ଟ କହିଛନ୍ତି, ଯଦି ଧାରା ୨୨(୧)କୁ ପାଳନ ନ କରିବା କାରଣରୁ ଗିରଫଦାରୀ ବେଆଇନ, ତେବେ ମାଜିଷ୍ଟ୍ରେଟ ଗିରଫର ବୈଧତା ଯାଞ୍ଚ କରିବା ଉଚିତ। ମୌଳିକ ଅଧିକାରର ସୁରକ୍ଷା କରିବା ଅଦାଲତଙ୍କ କର୍ତ୍ତବ୍ୟ। ଧାରା ୨୨(୧) ଉଲ୍ଲଂଘନ ହେଲେ ଅଭିଯୁକ୍ତଙ୍କୁ ତୁରନ୍ତ ମୁକ୍ତ କରିବାକୁ ଅଦାଲତ ନିର୍ଦ୍ଦେଶ ଦେବେ। ଆଇନ ଅନୁଯାୟୀ ଜାମିନ ଉପରେ ପ୍ରତିବନ୍ଧକ ଲାଗିଥିଲେ ମଧ୍ୟ ଜାମିନ ପ୍ରଦାନ ପାଇଁ ଏହା ଆଧାର ହେବ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି।

Post a Comment

0 Comments