ନୂଆଦିଲ୍ଲୀ: ୨୭ ବର୍ଷର ବ୍ୟବଧାନ ପରେ ବିଜେପି ଦିଲ୍ଲୀରେ ପୁଣି ଥରେ କ୍ଷମତା ହାସଲ କରିବାକୁ ସକ୍ଷମ ହୋଇଛି। ଦିଲ୍ଲୀ ବିଧାନସଭାର ୭୦ ଆସନରୁ ୪୮ ଆସନ ଦଖଲ କରି ବିଜେପି ଆମ୍ ଆଦ୍ମୀ ପାର୍ଟି (ଆପ୍)ର ଦୁର୍ଗ ଭୁଶୁଡ଼ାଇ ଦେଇଛି। ଆପ୍ର ଶୀର୍ଷ ନେତା ଅରବିନ୍ଦ କେଜ୍ରିୱାଲ ଓ ମନୀଷ ସିସୋଦିଆ ପରାଜୟର ସମ୍ମୁଖୀନ ହୋଇଛନ୍ତି। ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ଆତିଶୀ ୩୫ ଶହ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଦଳର ଅନେକ ତୁଙ୍ଗ ନେତାଙ୍କ ପରାଜୟ ଆପ୍କୁ ଦୋହଲାଇ ଦେଇଛି ଏବଂ ଦଳ ୨୨ ଆସନରେ ସୀମିତ ରହିଯାଇଛି। ଅନ୍ୟପକ୍ଷରେ କଂଗ୍ରେସ ପୁଣି ଦିଲ୍ଲୀରେ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ଦଳ ଖାତା ଖୋଲିବାକୁ ସକ୍ଷମ ହୋଇନାହିଁ ଏବଂ ଲଗାତାର ତୃତୀୟ ଥର ପାଇଁ ବିପର୍ଯ୍ୟୟ ମୁଣ୍ଡାଇଛି। ଆଜିର ଏହି ନିର୍ବାଚନ ଫଳାଫଳ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭବିଷ୍ୟତ ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଥିବା ବେଳେ ଇଣ୍ଡି ମେଣ୍ଟର ଭବିଷ୍ୟତ ନେଇ ମଧ୍ୟ ବଡ଼ ଚ୍ୟାଲେଞ୍ଜ ଆଣିଛି। ଦିଲ୍ଲୀରେ ବିଜେପିର ବଡ଼ ବିଜୟକୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ବିକାଶ ଓ ସୁଶାସନ ପାଇଁ ଦିଲ୍ଲୀବାସୀ ରାୟ ଦେଇଛନ୍ତି। ଐତିହାସିକ ଜନାଦେଶ ପାଇଁ ମୁଁ ଦିଲ୍ଲୀର ଭାଇ ଭଉଣୀମାନଙ୍କୁ କୃତଜ୍ଞତା ଜଣାଉଛି।
୨୭ ବର୍ଷ ପରେ ବିପୁଳ ବିଜୟ,ବିଜେପିକୁ ୪୮, ଆପ୍କୁ ୨୨ ଆସନ,ଖାତା ଖୋଲିପାରିଲାନି କଂଗ୍ରେସ


0 Comments