ଭୁବନେଶ୍ୱର: ଋଣଗ୍ରସ୍ତ ହୋଇ ପଡ଼ିଥିବା ରାଜ୍ୟର ସମବାୟ ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତି ସୁଧାରିବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟର ବିଭିନ୍ନ ସମବାୟ ବ୍ୟାଙ୍କଗୁଡ଼ିକ କିପରି ଦେବାଳିଆ ସ୍ଥିତିରୁ ଉଠିବେ ସେଥିପାଇଁ ୱାନ୍ ଟାଇମ୍ ସେଟଲ୍ମେଣ୍ଟ (ଓଟିଏସ୍) ବା ଏକକାଳୀନ ପଇଠ ପ୍ରାବଧାନ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବ୍ୟବସ୍ଥା ଲାଗୁ କରିବାକୁ ସମବାୟ ବିଭାଗ ଆଜି ଅନୁମୋଦନ ପ୍ରଦାନ କରିଛି। ଏହା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ, ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ, ସହରାଞ୍ଚଳ ସମବାୟ ବ୍ୟାଙ୍କ ଏବଂ ପ୍ରାଥମିକ କୃଷି ସମବାୟ ସମିତିରେ କାର୍ଯ୍ୟକାରୀ ହେବ। ଫଳରେ ସମବାୟ ବ୍ୟାଙ୍କ ଓ ପ୍ରାଥମିକ କୃଷି ସମବାୟ ସମିତିର ମୋଟ ଅନାଦେୟ ଋଣ (ଏନପିଏ) ବୋଝ ହ୍ରାସ ପାଇବ। ଏହାଦ୍ୱାରା ସେମାନଙ୍କ ସମ୍ପତ୍ତିର ଗୁଣବତ୍ତା ବୃଦ୍ଧି ପାଇବ। ସମବାୟ ବ୍ୟାଙ୍କଗୁଡ଼ିକର ବହୁ ଦିନର ଦାବିକୁ ଏହି ପଦକ୍ଷେପ ଦ୍ୱାରା ସମାଧାନ କରାଯାଇଛି। ଏହି ଯୋଜନା ଦ୍ବାରା ବ୍ୟାଙ୍କଗୁଡ଼ିକ ସେମାନଙ୍କର ଆର୍ଥିକ ଆବଶ୍ୟକତା ଅନୁଯାୟୀ ପରିଚାଳନା କମିଟିର ଅନୁମୋଦନ କ୍ରମେ କାର୍ଯ୍ୟକାରୀ କରିବେ ବୋଲି କୁହାଯାଇଛି
ସମବାୟ ବ୍ୟାଙ୍କର ଆର୍ଥିକ ସ୍ଥିତି ସୁଧାରିବାକୁ ସରକାରଙ୍କ ବଡ଼ ପଦକ୍ଷେ
ଋଣଗ୍ରହୀତାଙ୍କ ଯୋଗ୍ୟତା ଯାଞ୍ଚ କରିବ ସ୍କ୍ରିନିଂ କମିଟି
ସେହିପରି ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୁକ୍ ଲାଏବିଲିଟି ଥିବା ଋଣ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବ। ପ୍ୟାକ୍ସ ପାଇଁ ଏହି ସୀମା ୩ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ସମ୍ପତ୍ତିଗୁଡ଼ିକର ଆକାର ଏବଂ ଗୁଣବତ୍ତା ଅନୁଯାୟୀ ସେଗୁଡ଼ିକୁ ବିଭିନ୍ନ ବିଭାଗରେ ଭାଗ କରାଯାଇଛି ଏବଂ ସେହି ଅନୁଯାୟୀ ଆପୋଷ ବୁଝାମଣା ସୂତ୍ରର ପରାମର୍ଶ ଦିଆଯାଇଛି। ଯେକୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଅଧୀନରେ ଅନ୍ତର୍ଭୁକ୍ତ ଋଣ ମଧ୍ୟ ଏହି ଯୋଜନା ଅଧୀନରେ ସମାଧାନ ପାଇଁ ବିଚାର କରାଯାଇପାରିବ।
ଅପରପକ୍ଷେ କୌଣସି ଋଣଗ୍ରହୀତା ଓଟିଏସ୍କୁ ନିଜର ଅଧିକାର ଭାବେ ଦାବି କରିପାରିବେ ନାହିଁ। ଋଣଗ୍ରହୀତାଙ୍କ ଓଟିଏସ୍ ପ୍ରସ୍ତାବକୁ ଗ୍ରହଣ କିମ୍ବା ପ୍ରତ୍ୟାଖ୍ୟାନ କରିବା ବ୍ୟାଙ୍କ ଉପରେ ନିର୍ଭର କରିବ। ଓଟିଏସ୍ର ସୁବିଧା ନେଉଥିବା ବ୍ୟକ୍ତି ତାଙ୍କର ପୂର୍ବ ଋଣର ଚୂଡ଼ାନ୍ତ ସମାଧାନ ପରେ ସର୍ବନିମ୍ନ ୩ ବର୍ଷ ପର୍ଯ୍ୟନ୍ତ ନୂଆ ଋଣ ପାଇଁ ଯୋଗ୍ୟ ହେବେ ନାହିଁ। ଏହି ଯୋଜନା ଅଧୀନରେ ଅଭିଯୋଗର ସମାଧାନ ପାଇଁ ବ୍ୟବସ୍ଥା ରହିଛି। ଯୋଜନାର ଅଧିକ ସଂଶୋଧନ ଓ ସମୀକ୍ଷା ନିମନ୍ତେ ଏହି ଯୋଜନା ଖୋଲା ରହିଛି। ଅର୍ଥାତ୍ ବ୍ୟାଙ୍କ ଯେକୌଣସି ଗଠନମୂଳକ ପରାମର୍ଶ ଦେଲେ, ତାହା ବିଚାର କରାଯାଇ ଗ୍ରହଣ କରାଯିବ। ବହୁଦିନ ଧରି ଓଟିଏସ୍ ଯୋଜନା ଉପଲବ୍ଧ ନଥିବାରୁ ସମବାୟ ବ୍ୟାଙ୍କଗୁଡ଼ିକର ବ୍ୟାଡ୍ ଲୋନ୍, ମୋଟ ଅନାଦେୟ ସମ୍ପତ୍ତି/ଋଣ ବହୁତ ବଢ଼ିଯାଇଥିଲା। ଏହି ପଦକ୍ଷେପ ଦ୍ବାରା ଏହି ସମସ୍ୟାରେ ସମାଧାନ ଆସିବ। ସମବାୟ ବ୍ୟାଙ୍କଗୁଡ଼ିକ ସେମାନଙ୍କ ବାଲାନ୍ସ ସିଟ୍ ସ୍ବଚ୍ଛ ରଖିବା ସହ ସମ୍ପତ୍ତି ଗୁଣବତ୍ତାରେ ଉନ୍ନତି ଆଣିପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
0 Comments