ରିଜର୍ଭ ବ୍ୟାଙ୍କ ବୋର୍ଡ ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳାଙ୍କ ମନ୍ତବ୍ୟ: ତାଳମେଳ ରଖି କାମ କରିବେ


 ନୂଆଦିଲ୍ଲୀ: ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଠାରୁ ଆରମ୍ଭ କରି ଅଭିବୃଦ୍ଧି ଆଦି ସବୁ କ୍ଷେତ୍ରରେ ସରକାର ଓ ରିଜର୍ଭ ବ୍ୟାଙ୍କ ସମନ୍ବୟ ରଖି କାମ କରିବେ। ରିଜର୍ଭ ବ୍ୟାଙ୍କର ୬୧୩ତମ କେନ୍ଦ୍ରୀୟ ବୋର୍ଡ ବୈଠକରେ ଯୋଗଦେବା ପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ମୁଦ୍ରା ନୀତି କମିଟି ଦ୍ବାରା ରେପୋ ହାର ହ୍ରାସ ପରଦିନ ଅର୍ଥମନ୍ତ୍ରୀ ବଜେଟ୍‌ ପରବର୍ତ୍ତୀ ପାରମ୍ପରିକ ରିଜର୍ଭ ବ୍ୟାଙ୍କ କେନ୍ଦ୍ରୀୟ ବୋର୍ଡ ବୈଠକରେ ଆଜି ଯୋଗ ଦେଇଥିଲେ। ଏହି ଅବବସରରେ ସେ କହିଥିଲେ ଯେ ଆସନ୍ତା ସପ୍ତାହରେ ସଂସଦରେ ନୂଆ ଆୟକର ବିଲ୍‌ ଆଗତ ହୋଇପା‌ରେ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ନୂଆ ଆୟକର ବିଲ୍‌କୁ ମଞ୍ଜୁରି ଦିଆଯାଇଛି। ଲୋକସଭାରେ ଆଗତ ହେବାପରେ ଯାଞ୍ଚ ପାଇଁ ବିଲ୍‌କୁ ସଂସଦର ଷ୍ଟାଣ୍ଡିଂ କମିଟି ନିକଟକୁ ପଠାଇ ଦିଆଯିବ ବୋଲି ନିର୍ମଳା କହିଛନ୍ତି। ସଂସଦୀୟ କମିଟି ଏହାକୁ ତର୍ଜମା କରି ମତାମତ ଦେବାପରେ ବିଲ୍‌ ପୁଣି ଥରେ କ୍ୟାବିନେଟ୍‌କୁ ଯିବ। କ୍ୟାବିନେଟ୍‌ର ମଞ୍ଜୁରି ପରେ ଏହାକୁ ପୁଣି ଥରେ ସଂସଦରେ ଆଗତ କରାଯିବ। ଅର୍ଥମନ୍ତ୍ରୀ ଗତ ୧ ତାରିଖରେ ଉପସ୍ଥାପନ କରିଥିବା ବଜେଟ୍‌ରେ ଚଳିତ ସପ୍ତାହରେ ନୂଆ ଆୟକର ବିଲ୍‌ ସଂସଦରେ ଉପସ୍ଥାପିତ ହେବ ବୋଲି କହିଥିଲେ। ନୂଆ ଆୟକର ଆଇନ କେବେଠାରୁ କାର୍ଯ୍ୟକାରୀ ହେବ ବୋଲି ସାମ୍ବାଦିକମାନେ ପ୍ରଶ୍ନ ପଚାରିବା ପରେ ଅର୍ଥମନ୍ତ୍ରୀ କହିଥିଲେ ମୋତେ ଆହୁରି ତିନିଟି ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ ଅତିକ୍ରମ କରିବାର ଅଛି। ନୂଆ ଆୟକର ବିଲ୍‌ ଆଇନରେ ପରିଣତ ହେଲେ ବର୍ତ୍ତମାନ ପ୍ରଚଳିତ ୧୯୬୧ ମସିହାର ଆୟକର ଆଇନ ବଦଳିଯିବ। ଦେଶ ସ୍ବାଧୀନତା ପରେ ସେତେବେଳର ଆବଶ୍ୟକତାକୁ ଦେଖି ଆୟକର ଆଇନ ପ୍ରସ୍ତୁତ ହୋଇଥିଲା। କିନ୍ତୁ ଇତିମଧ୍ୟରେ ଅର୍ଥନୀତିରେ ଅନେକ କିଛି ପରିବର୍ତ୍ତନ ଆସିଛି। ଏହାକୁ ଦେଖି ଆୟକର ଆଇନକୁ ବଦଳାଯିବ। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ଆୟକର ଆଇନକୁ ସହଜ, ସରଳ ଏବଂ ସ୍ପଷ୍ଟ କରିବା ପାଇଁ ଏକ ଆଭ୍ୟନ୍ତରୀଣ କମିଟି ଗଠନ କରିଥିଲା। ନୂଆ ଆଇନରେ ଯେଭଳି ବିବାଦ କମିବ ଏବଂ ଟିକସଦାତାଙ୍କୁ ଆଶ୍ବସ୍ତି ମିଳିବ ‌ସେଥିପାଇଁ ବିଶେଷଜ୍ଞମାନଙ୍କୁ ନେଇ ୨୨ଟି ଉପକମିଟି ମଧ୍ୟ ଗଠନ କରାଯାଇଛି।

ସାମ୍ବାଦିକ ସମ୍ମିଳନୀରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଥିଲେ ଯେ କେନ୍ଦ୍ର ସରକାର ସହଜରେ ଋଣ ପ୍ରଦାନ ଉପରେ ଗୁରୁତ୍ବ ଦେଉଛନ୍ତି। ତେଣୁ ଏହାକୁ ଆଗକୁ ବଢ଼ାଯିବ। ସେହିଭଳି ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେଉଥିବା ପ୍ରସଙ୍ଗରେ ମାଲହୋତ୍ରା କହିଛନ୍ତି ଟଙ୍କା ସଂପର୍କରେ ରିଜର୍ଭ ବ୍ୟାଙ୍କର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ଏ ନେଇ ନିର୍ଦ୍ଦିଷ୍ଟଭାବେ କୌଣସି ଟାର୍ଗେଟ୍‌ ରଖିନାହିଁ। ମୁଦ୍ରା ବିିନିମୟ ବଜାରରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ପାଉଥିବାରୁ ଦରଦାମ୍‌ ବୃଦ୍ଧି ଉପରେ ଏହାର ପ୍ରଭାବ କ’ଣ ରହିବ ସଂପର୍କିତ ପ୍ରଶ୍ନର ଉତ୍ତରରେ ମାଲହୋତ୍ରା କହିଥିଲେ ଯେ ଟଙ୍କା ମୂଲ୍ୟ ୫ ପ୍ରତିଶତ ହ୍ରାସ ଘଟିଲେ ମୁଦ୍ରାସ୍ଫୀତି ଉପରେ ଏହାର ପ୍ରଭାବ ୦.୩ରୁ ୦.୩୫ ପ୍ରତିଶତ ପର୍ଯ୍ୟନ୍ତ ପଡ଼ିଥାଏ। ଆସନ୍ତା ଆର୍ଥିକବର୍ଷ ପାଇଁ ଅଭିବୃଦ୍ଧି ଓ ମୁଦାସ୍ଫୀତି ସଂପର୍କରେ ଆକଳନ କରିବା ସମୟରେ ଟଙ୍କା ଓ ଡଲାର ମଧ୍ୟରେ ବର୍ତ୍ତମାନ ହେଉଥିବା ପରିବର୍ତ୍ତନକୁ ମଧ୍ୟ ବିଚାରକୁ ନିଆଯାଇଛି ବୋଲି ସେ କହିଥିଲେ।


Post a Comment

0 Comments