୧୧ ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର: ରାଜ୍ୟରେ ଲାଗୁହେବ ଏକୀକୃତ ‌େପନ୍‌ସନ୍ ଯୋଜନା

 ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଏକୀକୃତ ପେନସନ୍ ଯୋଜନା (ୟୁପିଏସ୍‌)କୁ ରାଜ୍ୟ ସରକାର ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧, ୨୦୨୫ରୁ ଏହା ଲାଗୁ ହେବ। ଯେଉଁ କର୍ମଚାରୀମାନେ ଏନ୍‌ପିଏସ୍‌ ବ୍ୟବସ୍ଥାରେ ପେନସନ୍ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ସେମାନଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ମୋହର ବାଜିଛି।



କେନ୍ଦ୍ର ସରକାର ଗତବର୍ଷ ଅଗଷ୍ଟ ୨୪ରେ ୟୁପିଏସ୍‌କୁ ଅନୁମୋଦନ ଦେଇଥିବାବେଳେ ଏହାକୁ ବିଭିନ୍ନ ରାଜ୍ୟ ଲାଗୁ କରିବାକୁ କୁହାଯାଇଥିଲା। ଏହାପରେ ବିଭିନ୍ନ ବିଜେପି ଶାସିତ ରାଜ୍ୟରେ ୟୁପିଏସ୍‌ ଲାଗୁ କରାଯାଇଥିଲା। ଏବେ ଏହା ଓଡ଼ିଶାରେ ଲାଗୁ ହୋଇଛି। ଏପ୍ରିଲ ୧, ୨୦୨୫ରୁ ଏହାକୁ ଲାଗୁ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ୨୦୦୫ ପରଠାରୁ ନିଯୁକ୍ତି ପାଇଥିବା ୩ଲକ୍ଷ ୩୩ହଜାର କର୍ମଚାରୀ ଏବେ ଏନ୍‌ପିଏସ୍  ବ୍ୟବସ୍ଥାରେ ପେନସନ୍ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଯେଉଁମାନେ ଚାହିବେ ସ୍ବଇଚ୍ଛାରେ ୟୁପିଏସ୍‌ରେ ସାମିଲ୍ ହୋଇପାରିବେ। ନଚେତ୍ ଏନ୍‌ପିଏସ୍‌ ସହ ରହିପାରିବେ। 

ନୂଆ ପେନସନ୍‌ ଯୋଜନାରେ କିପରି କର୍ମଚାରୀ ଉପକୃତ‌ ହେବେ ସେନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ‘ସୁନିଶ୍ଚିତ ପେନ୍‌ସନ୍‌’ରେ ସର୍ବନିମ୍ନ ୨୫ବର୍ଷ ଚାକିରି କରିଥିବା କର୍ମଚାରୀଙ୍କୁ ଅବସର ପୂର୍ବର ୧୨ ମାସରେ ମିଳିଥିବା ହାରାହାରି ମୂଳ ଦରମା ବା ବେସିକ୍ ପେ’ର ୫୦ ପ୍ରତିଶତ ହାରରେ ପେନ୍‍ସନ ମିଳିବ। ସର୍ବନିମ୍ନ ୧୦ ବର୍ଷର ଚାକିରି ଅବଧି ଠାରୁ ଆରମ୍ଭ କରି ୨୫ବର୍ଷ ପର୍ଯ୍ୟନ୍ତ ଚାକିରି ଅବଧି କ୍ଷେତ୍ରରେ ପେନ୍‌ସନ୍ ଆନୁପାତିକ ଭାବେ ମିଳିବ। ‘ସୁନିଶ୍ଚିତ ପାରିବାରିକ ପେନ୍‌ସନ୍‌’ରେ ମୃତ୍ୟୁ ପୂର୍ବରୁ କର୍ମଚାରୀ ପାଉଥ‌ିବା ପେନ୍‌ସନ୍‌ର ୬୦% ହାରରେ ପାରିବାରିକ ପେନ୍‌ସନ୍ ମିଳିବ। ସେହିପରି ‘ସୁନିଶ୍ଚିତ ସର୍ବନିମ୍ନ ପେନସନ୍‌’ରେ ସର୍ବନିମ୍ନ ୧୦ ବର୍ଷ ଚାକିରି ଅବଧି ସାରି ଅବସର ନେବା ପରେ ମାସିକ ୧୦ହଜାର ଟଙ୍କା ପେନ୍‍ସନ୍‍ ମିଳିବ। 

‘ମୁଦ୍ରାସ୍ଫୀତି ଅନୁରୂପ ପେନ୍‌ସନ୍ ନିର୍ଦ୍ଧାରଣ’ରେ ସୁନିଶ୍ଚିତ ପେନ୍‌ସନ୍, ସୁନିଶ୍ଚିତ ପାରିବାରିକ ପେନସନ୍ ଓ ସୁନିଶ୍ଚିତ ସର୍ବନିମ୍ନ ପେନ୍‌ସନ୍ ଉପରେ, ସେବା କର୍ମଚାରୀଙ୍କ କ୍ଷେତ୍ରରେ ଶିଳ୍ପ ଶ୍ରମିକଙ୍କ ପାଇଁ ସର୍ବଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଆଧାରରେ ମହଙ୍ଗା ସହାୟତା ମିଳିବ। ସେହିପରି ଅବସର ପରେ ଗ୍ରାଚୁଇଟି ବ୍ୟତୀତ ଏକକାଳୀନ ରାଶି ପ୍ରଦାନ କରାଯିବ। ଏଥିରେ ପ୍ରତ୍ୟେକ ସମ୍ପୂର୍ଣ୍ଣ ୬ ମାସ ସେବା ପାଇଁ ଅବସର ତାରିଖରେ ମିଳୁଥ‌ିବା ମାସିକ ପାରିଶ୍ରମିକର ଏକ ଦଶମାଂଶ ଏକକାଳୀନ ରାଶି ଭାବେ ମିଳିବ। ଏହାଦ୍ବାରା ସୁନିଶ୍ଚିତ ପେନ୍‌ସନ୍‌ର ପରିମାଣ କମ୍ ହେବ ନାହିଁ। ସବୁଠୁ ବଡ଼ କଥା ହେଉଛି ୟୁପିଏସ୍‌ରେ ଅବସର ନେବା ପରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ନିଶ୍ଚିତ ପରିବାର ପେନ୍‌ସନ୍ ସୁବିଧା ଉପଲବ୍ଧ ହେବ। ଯାହା ଏନ୍‌ପିଏସ୍‌ରେ ନଥିଲା।

Post a Comment

0 Comments