ଆସନ୍ତୁ ପଢିବା ଆଜିର ରାତ୍ରି କାହାଣୀ


  ଶାଶୁ..

ପୁଅ ବାହାଘର ହେବାର ଦଶ ଦିନ ହେଲାଣି, ଆଜି ଜାଣି ଘର ଖାଲି ହେଲା। ଏତେ ଦିନଯାଏଁ କୁଣିଆଁ, ମଇତ୍ର ଘରେ ହାଉ ଯାଉ ହେଉଥିଲେ, ଆଜି ଗଲେ। ସକାଳୁ ସକାଳୁ ବଡ ଦି ଭଉଣୀଙ୍କୁ ବସରେ ବସେଇ ଆସିଲେ ଶ୍ରୁଲତା । ବଡ ଦି ଭଉଣୀଙ୍କ କର୍ଣ୍ଣମନ୍ତ୍ର କୁ ମନେ ମନେ ହେଜୁଥିଲେ ସେ। ବୁଝିଲୁ ସୁରୁ,"ବୋହୁ କୁ ସବୁବେଳେ ପାଦତଳେ ରଖିବୁ, ନହେଲେ ମୁଣ୍ଡରେ ଚଢି କାନରେ ମୁତିବ। ଯେତେ ଦବେଇ କି ରଖିବୁ ସେତେ ଭଲ ନହେଲେ ଅଖା ଧୋଉଥିବୁ ଗୁଣ ଗାଉଥିବୁ। ଆମକୁ ଦେଖ..ଡରେଇ, ହଲକେଇ ରଖିଛୁ ବୋଲି ବୋହୁ ମାନେ ଠିକ ସିଧା ସିଧା ଅଛନ୍ତି। ନହେଲେ ଆଜିକାଲି ର ଝିଅ, ବାହା ହେଉ ହେଉ କହିବେ ଘଇତା ଟା ଗୋଟାପଣେ ମୋର। ଆମର ସିନା ଦୁଇଟା ଲେଖା, ତୋ'ର ତ ଗୋଟିଏ। ୟାକୁ ଠିକ ଠିକ ରଖିବୁ ତ ରଖିବୁ ନହେଲେ ତୋତେ ଗୋଇଠା ମାରି ତୋ ଘରୁ ବାହାର କରିବ ଆଉ ନିଜେ ରାଜରାଣୀ ହୋଇ ଅୟସ କରିବ"। ରାସ୍ତାରେ ଆସୁ ଆସୁ ନିଜ ବୋହୁବେଳ କଥା ମନେ ପକାଉଥିଲେ ସେ। ବାହାହୋଇ ଆସିବାର ଦିନ ପନ୍ଦରଟା ଭିତରେ ସେ ଗାଁ ଛାଡି ଚାଲି ଆସିଲେ ମାତ୍ର କୋଡିଏ କିଲୋମିଟର ଦୂରରେ ଥିବା ସହର କୁ। ତାଙ୍କ ସ୍ବାମୀ ଙ୍କର ଏଠି କିରାଣୀ ଚାକିରୀ। ଦି ତିନି ବର୍ଷ ରେ କେବେ ମନ ହେଲେ ଯାଆନ୍ତି ଗାଁ ଆଡେ ନହେଲେ ନାହିଁ।  ସେ କାହାକୁ ଡରିଛନ୍ତି ନା କଣ? ବିଶ୍ବମ୍ବର ବାବୁଙ୍କୁ ଠିକେ ଠିକେ କହି ରଖିଛନ୍ତି," ତୁମ ମା ସୁଆଗ ଛାଡ଼। ଏଠି ମୁଁ ତମ ସ୍ତ୍ରୀ, ତମ ଅର୍ଦ୍ଧାଙ୍ଗିନୀ। ତମର ଅଧା ହେଲେ ମୋର ବି ଅଧା। ଜମିରୁ ଯାହା ମିଳିବ ସେଠି ବୁଢା ବୁଢ଼ୀ ଦି ଟା ଚଳିଯିବେ ।ଏଠି ଏ ଜାଗାରେ ଘରଭଡା, ପିଲା, ପାଠପଢା, ଡ୍ରେସ, ଆସବାବପତ୍ର କିଣୁ କିଣୁ ପଇସା ଶେଷ। ତେଣୁ ଗାଁ କୁ ଗଲେ ଗାଁ ରୁ ଚାଉଳ, ବିରି ଆଣିବ ପଛେ, ଏଠୁ କିଛି ନେଇକି ଯିବା ଚିନ୍ତା ବି କରିବନି।" ଯାହାବି ହେଉ ସ୍ବାମୀ ତାଙ୍କର କଥା ମାନି ଅଛନ୍ତି ଆଜିଯାଏ। ନୂଆ ନୂଆ ବୋହୁ ହୋଇ ଆସିଥାନ୍ତି ସେ। ଶାଶୁ ଘରେ କୁଣିଆଁ, ମଇତ୍ର ଭର୍ତି। ଦିନ ପନ୍ଦରଟା ଭିତରେ ଆସ୍ତେ ଆସ୍ତେ ଘର ଖାଲି ହୋଇ ଆସୁଥାଏ। ଆଜିଯାଏଁ ଶାଶୁଘରେ କେବଳ ଶାଗ ଟିକେ ରୋଷେଇ କରିଥିଲେ ସେ। ନୂଆବୋହୁ ବୋଲି କେହି ବି ରୋଷେଇ କରିବାକୁ ଛାଡୁନଥିଲେ ତାଙ୍କୁ। ଆଜି କିନ୍ତୁ ଘର ଖାଲି। ଶ୍ବଶୁର ସକାଳୁ ସକାଳୁ କୁଆଡେ ବନ୍ଧୁଘରକୁ ଭାର, ବେଭାର ଦେବାକୁ ଚାଲିଗଲେ। ସ୍ବାମୀ କୋଡିଏ କିଲୋମିଟର ଦୂରରେ ଥିବା ସହରକୁ। କିରାଣୀ ଚାକିରୀ ତାଙ୍କର। ଘରେ ଶାଶୁ ବୋହୁ ଦୁଇଜଣ। ଶାଶୁ , ରୋଷେଇ ସରଞ୍ଜାମ ସବୁ ଯୋଗେଇ ଦେଇ, ଶ୍ରୁଲତା ଙ୍କୁ କଣ କଣ ରୋଷେଇ ହେବ କହି ମକର ମା (ଶାଶୁଙ୍କ ମକର) ଡାକିବାରୁ ଆର ସାହିଆଡ଼େ କଣ କାମରେ ଗଲେ। ଏଘଡି ଯାଇ ସେଘଡି ଆସିଲା। ରୋଷେଇ ସାରି ଅପେକ୍ଷା କରିଥାନ୍ତି ଶ୍ରୁଲତା। ସମୟ ଦ୍ବିପ୍ରହର ଯାଇ ଦୁଇଟା ବାଜିଲାଣି। ଶାଶୁ ଫେରୁ ନାହାନ୍ତି। ସୁରୁଙ୍କୁ ଭୋକ ଜୋର ଲାଗିଲାଣି । ଆଉ କେତେ ଅପେକ୍ଷା କରିବେ ବୋଲି ଭାବି ଥାଳି ରେ ଭାତ, ତୁଣ ଆଣି ଖାଇ ବସିଲେ ସେ। ଏତିକିବେଳେ ମକର ମା ଓ ଶାଶୁ ଫେରିଲେ। ଦେଖୁ ଦେଖୁ ମକର ମା କହିଦେଲେ,"ଆଲୋ ଆଲୋ, ତୋ ପେଟ ଏମିତି ପୋଡି ଯାଉଛି ଯେ ଶାଶୁକୁ ଖାଇବାକୁ ନଦେଇ ଆଗ ନିଜେ ହେଣ୍ଡା ମାରିବାକୁ ବସି ପଡ଼ିଲୁ? ଏଇୟା ତୋ ମା ତୋତେ ଶିଖେଇ କି ପଠେଇଛି?


ଏତିକି ରେ ରାଗ ଚଢିଯାଇଥିଲା ଶ୍ରୁଲତା ଙ୍କର। କାହିଁକି କହିବେ ନା। ସେ କିଏ ଏ ଘରର। ଭାତ ଥାଳି କୁ ଦୁଆରକୁ ଫିଙ୍ଗି, ହାତ ଧୋଇ ସିଧା ସିଧା ଶୋଇବା ଘରକୁ ପଶିଗଲେ ସେ। ରାତିରେ ସ୍ବାମୀ ଓ ଶ୍ବଶୁର ଘରକୁ ଫେରିଲା ପରେ ତୁମୁଳ କାଣ୍ଡ କରିଥିଲେ ସେ। ଶେଷ ନିଷ୍ପତ୍ତି, "ତୁମେ ଦୁଇଜଣ ସହର ରେ ଯାଇ ରୁହ" ଶ୍ବଶୁର ଙ୍କ ମୁହଁରୁ ଏତକ ଶୁଣିଲା ପରେ ଶାନ୍ତ ପଡ଼ିଥିଲେ ସେ। ପ୍ରକୃତ କଥା ହେଲା, ବାହାହୋଇ ଆସିଲା ବେଳେ ବଡ ଦୁଇଭଉଣୀ କର୍ଣ୍ଣମନ୍ତ୍ର ଦେଇଥିଲେ। ଶାଶୁକୁ ଡରେଇ କି ରଖିବୁ ନହେଲେ ତୋ ବୋହୁଗିରି ସେ ଛଡେଇ ଦେବ। ଯାହାହେଉ, ସେତକ ପାଇଁ ନିଜେ ବାହାହେବା ପରଠୁ ପୁଅ ବାହାଘର ଯାଏଁ ସେ ବଞ୍ଚିଗଲେ ଶାନ୍ତିରେ ଶାନ୍ତିରେ। ଆଜି ପୁଣି ବଡ ଦୁଇ ଭଉଣୀ କର୍ଣ୍ଣମନ୍ତ୍ର ଦେଇଛନ୍ତି, ୟା ର ସଦୁପଯୋଗ କେମିତି କରିବେ ବୋଲି ଚିନ୍ତା ରେ ଥିଲେ ସେ। ଶାଶୁ ଯାହା କରିଥିଲେ ସେଇୟା କରିବେ ବୋଲି ସ୍ଥିରକଲେ ଶ୍ରୁଲତା । ସେତେବେଳେ ସିନା ବିଶ୍ବମ୍ବର ବାବୁ ସ୍ତ୍ରୀ କଥା ମାନି ସହର କୁ ଆସିଥିଲେ, ଏବେ ପରା ପୁଅ କୁ ସେ ପୁରା ହାତରେ ରଖିଛନ୍ତି। ବସ କହିଲେ ବସିବ, ଉଠ କହିଲେ ଉଠିବ। ସେ କଣ ସ୍ତ୍ରୀ କଥାରେ ପଡି ବାପା, ମାଙ୍କୁ ଛାଡି ଯିବ? ମୋଟେ ନୁହେଁ। ତେଣୁ ବୋହୁ କୁ ଏବେଠୁ ପାଦତଳେ ରଖିବାକୁ ତାଙ୍କ ମନ ହାଇଁ ପାଇଁ ହେଲା। ଘରେ ପହଞ୍ଚି ରୋଷେଇ ର ସାଜ ସରଞ୍ଜାମ ସଜାଡି, କଣ କଣ ରୋଷେଇ ହେବ ବୋହୁ କୁ ଅର୍ଡର କରି ଏଇଠୁ ଆସୁଛି ବୋଲି କହି ଘରୁ ବାହାରି ଗଲେ ଶ୍ରୁଲତା । ଏବେ ଆଉ ସଞ୍ଜ ଯାଏଁ ଆସିବାର ନଥିଲା ତାଙ୍କର। ସେ ଯାଉଥିଲେ ସହର ର ଆର ମୁଣ୍ଡରେ ଥିବା ତାଙ୍କ ସାଙ୍ଗ ଘରକୁ। ଫେରି ସାରି, ନିଜେ ନଖାଇ ନପିଇ ଭୋକ ଉପାସ ରେ ଥିବା ବେଳେ , ତାଙ୍କୁ ନଡାକି ବୋହୁ ତାଙ୍କ ବିନା ଏକା ଏକା ଖାଇ ଗଣ୍ଡି ହଲେଇ ବୁଲୁଛି ବୋଲି ଫେରାଦି ହେବେ ସ୍ବାମୀ ଓ ପୁଅ ଆଗରେ। ତାପରଠୁ ବୋହୁ ତାଙ୍କ ଗୋଡତଳେ ରହିବ ହିଁ ରହିବ। ଭାବୁଭାବୁ ସରୁ ହସଟିଏ ଖେଳିଗଲା ତାଙ୍କ ଲିପିଷ୍ଟିକ ମରା ଅଧର ରେ। 

ରୋଷେଇ କରିସାରି ବୋହୁ ଅପେକ୍ଷା କଲା ଶାଶୁଙ୍କୁ। ଦୁଇଟା ବାଜି ତିନିଟା ବାଜିଲା। ଭୋକ ଜୋର। କଣ କରିବ? ନୂଆ ବୋହୁ ହିସାବରେ ବାହାରକୁ ତ ଗୋଡ କାଢି ପାରିବନି। କୁଆଡେ ବି ଖୋଜିବ ଶାଶୁଙ୍କୁ? କେମିତି ବା ଖୋଜିବ? ତଥାପି କବାଟ ପାଖକୁ ଆସି ପଡିଶା ଘର ଲିନୁକୁ ସାଙ୍ଗ ମାନଙ୍କ ସହ ଖେଳୁଥିବାର ଦେଖିଲା ସେ। ଆସ୍ତେ ପାଟିରେ ଲିନୁ କୁ ଡାକି, "ମାଇଁ ଡାକୁଛନ୍ତି, ଆସ ଖାଇବ" ବୋଲି କହି ଶାଶୁଙ୍କୁ ଡାକି ଦେବାକୁ କହିଲା। 


ତିନିଟା ବାଜିଲା, ଲିନୁ ଆସି କହିଗଲେ ଯେ "ଆଇ ଙ୍କୁ ପାଇଲିନି"। କଣ କରିବ ଏବେ? ଏକା ଏକା ଖାଇଦେଵ କି? କିନ୍ତୁ ଶାଶୁଙ୍କୁ ଖାଇବାକୁ ନଦେଇ ନିଜେ ଏକା ଏକା ଖାଇ ଦେବାକୁ ମନ ଡାକିଲାନି ତା'ର। ବାହାଘର ପୂର୍ବ କଥା ମନେ ପଡିଯାଉଥିଲା...ସ୍ବଦେଶ ଯେବେ ବାହାଘର ପାଇଁ ଝିଅ ଦେଖି ଆସିଥିଲେ, ଗେଲରେ ଗେଲରେ ଭାଇ ପଚାରି ଦେଲା, "ଆଛା, ବାହାଘର ପରେ ମଉସା, ମାଉସୀ ତୁମ ପାଖରେ ରହିବେ ନା, ଗାଁ କୁ ଯିବେ। ଆର ମାସରେ ମଉସା ରିଟାର୍ଡ କରୁଛନ୍ତି ପରା।"ହଁ , ଆର ମାସରେ ବାପା ରିଟାର୍ଡ କରିବେ। କିନ୍ତୁ ଆଜି ଯାଏଁ ସେମାନେ ମୋତେ ପାଖରେ ରଖିଛନ୍ତି। ଯଦି ଚାହିଁବେ ତେବେ ବାହାଘର ପରେ ଆମ ଦୁଇଜଣ ଙ୍କୁ ଘରୁ ବାହାର କରିଦେବେ। ନହେଲେ ତାଙ୍କ ଘରେ ଜାଗାଟିକେ ଦେବେ। ମୁଁ ଆଜିଯାଏଁ ତାଙ୍କୁ ରଖିବାକୁ ସକ୍ଷମ ହୋଇନି। 


ସ୍ବଦେଶ ଙ୍କ ଏତିକି କଥା ମନ କିଣି ନେଇଥିଲା ତା'ର। ଯେଉଁ ଘରେ ବାପା, ମାଙ୍କ ସ୍ନେହ ଶ୍ରଦ୍ଧା ନାହିଁ, ସେଇଟା କଣ ଘର? ନ୍ୟୁକ୍ଲିଅର ଫାମିଲି ଅପେକ୍ଷା ଯୌଥ ପରିବାର ଭଲ ଲାଗେ ତାକୁ। ସେମାନେ ଜେଜେ, ଜେଜେମା, ବାପା, ମା, କାକା, ଖୁଡି ଓ ତାଙ୍କ ପୁଅ ଝିଅ ସବୁ ମିଶି ଏକାଠି ରୁହନ୍ତି। କେତେ ଆନନ୍ଦ, କେତେ ଖୁସିରେ ରୁହନ୍ତି ସେମାନେ। ସମସ୍ତଙ୍କର ସମସ୍ତଙ୍କ ପ୍ରତି ସ୍ନେହ ଶ୍ରଦ୍ଧା ଥାଏ। ଘରେ ଆଗ ପୁରୁଷ ଓ ଛୁଆ ମାନେ ଖାଇ ସାରିଲା ପରେ ସ୍ତ୍ରୀଲୋକ ସବୁ ଖାଇ ବସନ୍ତି। ଆଗ ଜେଜେମା ଖାଇ ସାରିଲା ପରେ ମା ଓ ଖୁଡି ଖାଆନ୍ତି। ଜେଜେମା ପାଖରେ ବସି ବୋହୁ ମାନଙ୍କୁ ବଳେଇ ବଳେଇ ଖୁଆଏ। ଖାଇବା କଥା ଭାବି ପେଟ ଭୋକ ଦ୍ବିଗୁଣିତ ହୋଇ ଯାଉଥାଏ ତା'ର। ତଥାପି ଅପେକ୍ଷା କରିଥାଏ ସେ ଶାଶୁଙ୍କୁ। ଲିନୁ ଆସି ପାଖରେ ବସିଲେ। ପଚାରିଲେ,"ମାଇଁ ଖାଇ ସାରିଲଣି? "ନା" ବୋଲି ଛୋଟ ଉତ୍ତର ଟିଏ ଦେଇ ସେ ଲିନୁ ର ପାଠ ପଢା, ସ୍କୁଲ ବିଷୟରେ ପଚାରିବାକୁ ଲାଗିଲା। ଅଷ୍ଟମ ଶ୍ରେଣୀ, କଣ ପାଠ, କେଉଁ ସ୍କୁଲ, କେମିତି ପାଠପଢା ହୁଏ, କେତେଜଣ ଶିକ୍ଷକ ଅଛନ୍ତି ଇତ୍ୟାଦି....ଏସବୁଥିଲା ଭୋକ କୁ କିଛି ସମୟ ମନ ଭିତରୁ ଦୁରେଇ ଦେବାର ଉପାୟ...


ଘଣ୍ଟାରେ ଚାରି, ପାଞ୍ଚ, ଛଅ, ପରେ ସାତଟା ବାଜିବାର ଶବ୍ଦ ଶୁଭିଲା। ଲିନୁ ପାଠ ପଢିବା ପାଇଁ ଚାଲିଗଲା। ଇଏ ବି ଉଠିଲା ଠାକୁର ଘରେ ସନ୍ଧ୍ୟା ଧୂପ ଦେବାପାଇଁ। ସନ୍ଧ୍ୟା ଦେଇ ସାରିଲା ବେଳକୁ ଶାଶୁ ଆସି କବାଟ ବାଡେଇଲେ।କବାଟ ଖୋଲୁ ଖୋଲୁ ହୃଦସ୍ତ ଘର ଭିତରେ ପଶି ଶ୍ରୁଲତା ଅନୁମାନ କରିନେଲେ, ବୋହୁ ଖାଇ ପିଇ ଆରାମ ରେ ବସିଛି। ଆରମ୍ଭ କରିଦେଲେ ନିଜର ଶାଶୁ ପଣିଆଁ। ଗୁଜୁ ଗୁଜୁ ହୋଇ ଏଘରୁ ସେଘର, ଦାଣ୍ଡ ରୁ ବାଡ଼ି ହେଉଥାନ୍ତି। ଗଲା ଆଇଲା ଲୋକଙ୍କୁ ଶୁଣେଇ ଶୁଣେଇ ବୋହୁ ର ଗୁଣଗ୍ରାମ ବଖାଣୁ ଥାନ୍ତି। ବୋହୁ ଆସିଲା ଖାଇବା ପାଇଁ ଡାକିବାକୁ। ଆଛା କରି ଦି ପଦ ଶୁଣେଇ ଦେଲେ କାନ୍ଥ ବାଡ କୁ, "ମହାରାଣୀ ଙ୍କର ପେଟ ପୋଡି ଯାଉଛି। ଶାଶୁ ପଛେ ଓପାସ ଥାଉ ବୋହୁ ଖାଇ,ପିଇ ହେଣ୍ଡି ମାରି ଗଣ୍ଡି ଓହଳେଇ ବୁଲୁ। ମୋ ପାଇଁ ଚିନ୍ତା କରିବାକୁ ଏଘରେ କିଏ ଅଛି କି? ମୁଁ ତ ଠିକା ନେଇଛି ଏ ଘର ର ସମସ୍ତଙ୍କ କଥା ବୁଝିବା ପାଇଁ.."। ବୋହୁ ପୁଣି ଡାକିଲା,"ବୋଉ, ଆସନ୍ତୁ ଖାଇବା"। ଖାଇବା ନଶୁଣି ରାଗରେ ତାଙ୍କୁ ଶୁଭିଲା "ଖାଇବ"। "ଯା, ଏଠୁ" ବୋଲି ଜୋର କରି ଧମକ ଟିଏ ଦେଲେ ସେ। 


ପାଟି ଶୁଣି ପାଖ ଘରୁ ଲିନୁ ଆସି ପହଁଚିଲା। ଆଗରେ ଆଇଙ୍କୁ ଦେଖି ବଡ ପାଟିରେ କହି କହି ଆସିଲା,"ଆଇ, କୁଆଡେ ଯାଇଥିଲ? କେତେ ଖୋଜିଲି ତୁମକୁ। ଏମୁଣ୍ଡରୁ ସେ ମୁଣ୍ଡ ଯାଏଁ , ମାଇଁ ଡାକୁଥିଲେ ତୁମକୁ। ସେ ବି ଖାଇ ନାହାନ୍ତି ଏବେ ଯାଏଁ। ଅପେକ୍ଷା କରିଛନ୍ତି ତୁମକୁ....କହି କହି ଘର ଭିତରକୁ ଗଲା ସେ । ଉତୁରା କ୍ଷୀର ରେ ପାଣି ପୋଷେ କିଏ ଫିଙ୍ଗିଦେଲା କି ଆଉ?? ଶ୍ରୁଲତା ଙ୍କର ରାଗ ହଠାତ ଶାନ୍ତ ପଡ଼ିଗଲା। ଘର ଭିତରକୁ ଯାଉ ଯାଉ ଶୁଣି ପାରୁଥିଲେ ବୋହୁ ଓ ଲିନୁ ର କଥାବାର୍ତ୍ତା।


-- ମାଇଁ, ଖାଇନ ଏବେ ଯାଏଁ?


-- ନା!! ବୋଉ ଆସିଲେଣି, ଖାଇବୁ ଏବେ। 


-- ତୁମେ ତୁମର ଖାଇଲନି? ସେ ଆସିଲା ପରେ ଖାଇ ନଥାନ୍ତେ?


-- ନା ଲିନୁ। ଝିଅ ବେଳ କଥା ଅଲଗା, ବୋହୁ ବେଳ କଥା ଅଲଗା। ଝିଅ ବେଳେ ଆମେ ଯାହା କଲେ ବି ସେଇଟା ଚପଳାମି ବୋଲି ଧରାଯାଏ। କିନ୍ତୁ ବୋହୁ ର ଗୋଟେ ରେସ୍ପଂସିବିଲିଟି ଥାଏ। ଖାଲି ଯେ ବାହାହୋଇ ଆସିଗଲେ ସେ ବୋହୁ ହୋଇଯାଏ ସେମିତି ନୁହେଁ। ତାକୁ ଘରର ସମସ୍ତଙ୍କ ମନ ନେଇ ଚାଲିବାକୁ ପଡେ। ସମସ୍ତଙ୍କୁ ଖୁସିରେ ରଖିବାକୁ ପଡେ। ସମସ୍ତଙ୍କର ଛୋଟ ଛୋଟ କଥାକୁ ବି ଧ୍ୟାନ ଦେବାକୁ ପଡେ। ସେଥିପାଇଁ ତ ବୋହୁ କୁ ଘରର ଲଷ୍ମୀ କୁହାଯାଏ। ମୁଁ, ମୋର କହୁଥିବା ବୋହୁ, କେବେ ବୋହୁ ହୋଇ ପାରେନି। ଘର ର ବଡ ମାନଙ୍କ ଆଶୀର୍ବାଦ ଥିଲେ, ଘରେ ସମସ୍ତଙ୍କର, ସମସ୍ତଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଥିଲେ ସେଇ ଘର ହିଁ ସରଗପୁର ବୋଲି ଲାଗେ। 


-- ତା ବୋଲି କଣ ନ ଖାଇକି ବସିବ? 


-- ଏ ଘର ପରା ତାଙ୍କର। ସେ ନ ଖାଇ ସାରିଲେ, ମୁଁ ଖାଇବି କେମିତି ଯେ? 


ହସି ଉଠିଲେ ଦି ଜଣ। ହଉ, ହଉ, ମୁଁ ଯାଉଛି ଆଇ କୁ ଡାକେ ଆଉଥରେ କହି ଲିନୁ ଚାଲିଗଲା...




ସବୁ ଶୁଣି ସାରିଥିଲେ ଶ୍ରୁଲତା। ରୋଷେଇ ଘରକୁ ଯାଇ ଦେଖିଲେ, ସବୁ ସେମିତି ଥୁଆ ହୋଇଛି। ହାଣ୍ଡି ରେ ହାତ ବି ବାଜିନି। ମାନେ ବୋହୁ କିଛି ଖାଇନି ଏବେ ଯାଏଁ। ରୋଷେଇ ଘରେ ଠିଆହୋଇ ସେ ମାପୁଥିଲେ ନିଜକୁ ଓ ବୋହୂକୁ। ସେଦିନ ଶ୍ରୁଲତା ଙ୍କୁ ଶାଶୁ ତ କିଛି କହି ନଥିଲେ। କହିଥିଲେ ମକର ମା। ତଥାପି ଆଜି ଯାଏଁ ସେ ଦଣ୍ଡ ଦେଇ ଆସିଛନ୍ତି ତାଙ୍କ ଶାଶୁଙ୍କୁ। ପୁଅ, ବୋହୁ, ନାତି ଥାଇ ବି ସେମାନେ ଛେଉଣ୍ଡ। ବାପା ମା ଙ୍କ ଠାରୁ ଏକରକମ ଛଡେଇ ଆଣିଛନ୍ତି ସେ ତାଙ୍କ ପୁଅ କୁ। ନିଜକୁ ଅଧା ସମ୍ପତ୍ତି ର ମାଲିକ ବୋଲି ଭାବି କେତେ କଣ ଭୁଲ କରି ସାରିଛନ୍ତି ସେ। କେତେ ନିର୍ଯ୍ୟାତନା ସେ ଦେଇଛନ୍ତି ତାଙ୍କ ସ୍ବାମୀ ଙ୍କୁ ଓ ଶାଶୁ ଶ୍ବଶୁର ଙ୍କୁ। ବୁଢ଼ାବେଳେ ପାଖରେ ରହିବା ତ ଦୂରର କଥା, ଜୋର କରି ସ୍ବାମୀ ଓ ପୁଅ କୁ ଛଡେଇ ରଖିଛନ୍ତି। ଆଖିରେ ଲୁହ ଭରି ଆସୁଥିଲା। ପାପ ର ପ୍ରାୟଶ୍ଚିତ?? ନିଶ୍ଚିତ କରିବେ...


ବୋହୁ ର ରୁମ ଭିତରକୁ ପଶି ଆସି ହାତ ଧରି ନେଇଗଲେ ରୋଷେଇ ଘରକୁ। ଦୁଇଟି ଥାଳି ରେ ବାଢି ସାରିଥିଲେ ଭାତ, ଡାଲି, ତରକାରୀ ଓ ଅନ୍ୟାନ୍ୟ ଖାଇବା। ଏକା ସଂଗେ ଖାଇ ବସିଲେ ଶାଶୁ ବୋହୁ...ଅଫିସ ରୁ ଫେରିଲେ ବିଶ୍ବମ୍ବର ବାବୁ। ଦେଖିଲେ ଶାଶୁ ବୋହୁ ଖାଇ ବସିଛନ୍ତି ଏବେ। ଘରର ହାବଭାଵ କିଛି ଅଲଗା ଲାଗୁଥିଲା। ଚା ପିଇ, ଟିଭି ଦେଖି, ରାତି ଖାଇବା ଖାଇ ଶୋଇବାକୁ ଗଲେ ସେ...ମଝିରେ ମଝିରେ ନିଦ ଭାଙ୍ଗୁଥିଲା ତାଙ୍କର....ଶ୍ରୁଲତା ନ ଶୋଇ କଣ କଣ ସବୁ କାମ କରୁଥିଲେ ରାତି ଅଧ ରେ....ସକାଳୁ ଉଠୁ ଉଠୁ ବିଶ୍ବମ୍ବର ବାବୁ ଦେଖୁଥିଲେ ଗୋଟେ ଅଲଗା ଦୁନିଆଁ...ଶ୍ରୁଲତାଙ୍କ ପାଟିରୁ ଶୁଭୁଥିଲା,"ଆଜି ଆମେ ଶାଶୁ ବୋହୁ ଗାଁ କୁ ଯାଉଛୁ। ଅଫିସ ସାରି ସିଆଡୁ ସିଆଡୁ ଗାଁ କୁ ଆସିବ। ପୁଅ କୁ ବି କହି ଦେଇଛି, ଦି ଚାରିଦିନ ଭିତରେ ଏସବୁଜିନିଷ ଗାଁ କୁ ପଠେଇବାର ବ୍ୟବସ୍ଥା କରିବ। ଆମେ ଏବେ ସମସ୍ତେ ଗାଁ ରେ ରହିବା। ତମେ ଆଉ ପୁଅ ଡେଲି ଗାଁ ରୁ ଯିବା ଆସିବା କରିବ....ଲଙ୍କା ରେ ହରି ଶବ୍ଦ...ଆଖି ମଳି ମଳି ଉଠିଲେ ସେ...ସ୍ବପ୍ନ ଦେଖୁ ନାହାଁନ୍ତି ତ? ନିଜକୁ ଚିମୁଟି ଆଉଥରେ କଂଫର୍ମ କଲେ...ନା, ସ୍ବପ୍ନ ନୁହେଁ, ସତ..ହେଲେ ଏମିତି କେମିତି ସମ୍ଭବ? ଦୀର୍ଘ ଅଠେଇସ ବର୍ଷ କାଳ ଶାଶୁ ଶ୍ବଶୁର ଙ୍କ ପ୍ରତି ଅନାଦର ଭାବ ରଖିଥିବା ସୁରୁ, ଆଜି କେମିତି ବଦଳି ଗଲେ? ସେ ଯାହାହେଉ, ବଦଳିଛନ୍ତି ସେତିକି ବଡ କଥା। 


ଗାଧୋଇ ଆସି ଠାକୁର ଙ୍କୁ ମୁଣ୍ଡିଆ ମାରିବେ କି ବୋହୁ କୁ ? ସେ ଦ୍ବନ୍ଦ ରେ ଥିଲେ....

Post a Comment

0 Comments