ଆଜିର ରାତ୍ରି କାହାଣୀ

 ଦୋଳ ପୂର୍ଣ୍ଣିମା 


ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ଏଠି କିନ୍ତୁ ଦୋଳ ପୂର୍ଣ୍ଣିମା ଦିନ ହିଁ ହୋଲି ମନାନ୍ତି। ଦକ୍ଷୀଣ ଭାରତରେ ହୋଲି ସେତେଟା ପାଳନ ହୁଏନି। କିନ୍ତୁ ଏବେ ଉତ୍ତର ଭାରତୀୟ ମାନେ ଏଠି ଆସି ବସବାସ କରିବା ଦ୍ୱାରା ଏଠିକାର ଲୋକେ ବି ତାଙ୍କ ସହ ମିଳିମିଶି ହୋଲି ଖେଳିବା ଦେଖିବାକୁ ମିଳୁଛି।

ଆମେ ମାନେ ତ ନିଜ ଘରେ, ପଡ଼ୋଶୀ କି ଆଖ ପାଖରେ ରହୁଥିବା ସାଙ୍ଗ ମାନଙ୍କ ସହ ହୋଲି ନିଶ୍ଚୟ ପାଳନ କରୁ ପ୍ରତିବର୍ଷ। କିନ୍ତୁ ଏଇଥର ଦୋଳ ପୂର୍ଣ୍ଣିମାଟି ମୋ ପାଇଁ ସ୍ୱତନ୍ତ୍ର। ନନା, ବୋଉ ଅଛନ୍ତି ପାଖରେ । ସକାଳୁ ସକାଳୁ ଉଠିଲା ବେଳକୁ ଅତି ପରିଚିତ ବାସ୍ନା ଗୋଟେ ନାକରେ ବାଜିଲା। ଦେଖେ ତ ମୁଗ, ଚାଉଳ ମିଶା କ୍ଷୀରି କରି ସାରିଲାଣି ବୋଉ। ଏଇଟା ଆମ ଘରେ ଦୋଳ ପୂର୍ଣ୍ଣିମା ଦିନ ବନା ହୁଏ। ଘରେ ସକାଳୁ ଏଇ କ୍ଷୀରି ବନେଇ ପୂଜା କରାଯାଏ। ଆଉ ସନ୍ଧ୍ୟାରେ ଦୋଳ ଗୋବିନ୍ଦ ଆସନ୍ତି ଘର ଘର ବୁଲି ଚାଚେରୀ ଭୋଗ ଖାଇବାକୁ।


ଗାଁ ରେ ବିତିଥିବା ସମୟର ମୋର ଦୋଳ ପୂର୍ଣ୍ଣିମା ଦିନର ସ୍ମୃତି ଖୁବ୍ ମିଠା। ଏଇ ଦିନରେ ଗାଁ ଶିବ ମନ୍ଦିରରେ ସନ୍ଧ୍ୟାରେ ଦୋଳ ବେଦିରେ ଠାକୁର ଦୋଳି ଖେଳନ୍ତି। ଆଉ ମନ୍ଦିର ବାହାରେ ଛୋଟ କାଟିଆ ଯାତ୍ରା ଗୋଟେ ହୁଏ। ତା ପରେ ଠାକୁର ଗାଁ ସାରା ବୁଲି ବୁଲି ଫଗୁ ଖେଳନ୍ତି। ଦୋଳ ପୂର୍ଣ୍ଣିମା ଦିନ ଫଗୁରେ ଖେଳନ୍ତି ଗାଁ ର ଯୁବକ ମାନେ ଠାକୁରଙ୍କ ସହ। ପରଦିନ ସକାଳେ ରଙ୍ଗ ଆଉ ଅଳତା ପାଣିରେ ପିଚକାରୀ ଧରି ଖେଳନ୍ତି ହୋଲି ଲାଗି। ଠାକୁର ଗାଁ ବୁଲିବାକୁ ଆସିବା ବେଳେ ଭୋଗ ଖାଆନ୍ତି ଦ୍ୱାରେ ଦ୍ୱାରେ ବିଜେ ହେଇ। ପୂଜାରୀ ସମସ୍ତଙ୍କୁ ମୁଠେ ମୁଠେ ଫଗୁ ଦେଇ ଯାଆନ୍ତି, ଯାହାକୁ ଅତି ଯତ୍ନରେ ସାଇତି ରଖାଯାଏ ସବୁ ଶୁଭ କାମରେ ବ୍ୟବହାର ପାଇଁ।


ଦୋଳ ପୂର୍ଣ୍ଣିମା ଦିନ ନୂଆ ପାଞ୍ଜି ପୂଜା ହୁଏ। ସମସ୍ତେ ଅନେଇ ବସିଥାନ୍ତି ନୂଆ ପାଞ୍ଜି ଫିଟିଲେ ଖରାଦିନେ ବାହାଘର, ବ୍ରତଘର ଇତ୍ୟାଦି କରିବାକୁ ଶୁଭ ଦିନ ଧାର୍ଯ୍ୟ କରିବାକୁ। ଆଉ ଦୋଳ ପୂର୍ଣ୍ଣିମା ଦିନ କଷି ଆମ୍ବ, ଖଜା, ଚଣା ଆଉ ଗୁଡ଼ ଭୋଗ କରାଯାଏ।

ମୋ ପାଇଁ ଦୋଳ ପୂର୍ଣ୍ଣିମାର ବିଶେଷ ଆକର୍ଷଣ ହେଲା ହେଲା ମୁଆଁ। ବିଭିନ୍ନ ପ୍ରକାର ମୁଆଁ ପ୍ରସ୍ତୁତ କରି ଗାଁ ତଥା ପାଖ ଗାଁ ରେ ରହୁଥିବା ସଙ୍ଗାତ, ମୈତ୍ରଙ୍କ ଘରକୁ ପଠାହୁଏ ସେଦିନ। ମୁଁ ଅପେକ୍ଷା କରେ କିଛି ବନ୍ଧୁ ଙ୍କ ଘରୁ ଆମ ଘରକୁ ଆସୁଥିବା ବଡ଼ ବଡ଼ ଆକାରର ମୁଢ଼ି ମୁଆଁକୁ।


ଆଜି ସକାଳେ ଛୁଟି ଥିବାରୁ ଘର ଲୋକଙ୍କ ସହ ବସି ସ୍ମୃତି ଚାରଣ କରିବାକୁ ଟିକେ ସମୟ ମିଳିଲା। ବୋଉ କହୁଥିଲା ତା ସମୟର କଥା, ଯାହା ମୋ ସ୍ମୃତି ସହ ପ୍ରାୟତଃ ମିଶୁଥିଲା ଯେହେତୁ ମୁଁ ତା ଗାଁ ରେ, ମୋ ମାମୁଁଘରେ ଥିଲି ପିଲାଦିନେ । ସ୍ଵାମୀ କହୁଥିଲେ ତାଙ୍କ ଗାଁ ରେ କେମିତି ପାଳନ କରାଯାଏ । ମୁଁ ଗତ ବର୍ଷ ନଣନ୍ଦଙ୍କ ଘରେ ପଟ୍ଟାମୁଣ୍ଡାଇରେ ଥିଲି। ଦେଖୁଥିଲି କେତେ କେତେ ବିମାନ ସକାଳୁ ଆରମ୍ଭ କରି ଦିନସାରା ଯାଉଥାନ୍ତି ରାସ୍ତାଦେଇ। ଯାହା ପଚାରି ବୁଝିଥିଲି, ଦିନସାରା ଠାକୁର ଭୋଗ ଖାଇବେ ଲୋକଙ୍କ ଘରେ, ଆଉ ରାତିରେ ମେଳଣ ପଡ଼ିଆରେ ପାଖ ଆଖର ଅନେକ ଗାଁ ର ବିମାନ ଏକାଠି ହେବେ। 

ଆଃ! କି ସୁନ୍ଦର ଥିବ ସେ ଦୃଶ୍ୟ! ମୁଁ କିନ୍ତୁ ସେ ସୁନ୍ଦର ଦୃଶ୍ୟ କେବେ ଦେଖିବାର ସୁଯୋଗ ପାଇନି ଏଯାଏଁ 😢


ନନାଙ୍କୁ ତାଙ୍କ ସ୍ମୃତି ବିଷୟରେ ପଚାରିବାକୁ ଡର ଲାଗେ ମତେ। ତାଙ୍କ ପିଲାବେଳ କଥା ମୁଁ ମନେ ପକେଇ ବାକୁ ଚାହେଁନି ସୁଦ୍ଧା। ଖୁବ୍ କଷ୍ଟ ଲାଗେ ମତେ ତାଙ୍କ ସେ ସଂଘର୍ଷମୟ ପିଲାଦିନ କଥା ଭାବି। ନନା ଥିଲେ ମଝିଆ ପୁଅ। ତାଙ୍କ ବାକି ଦୁଇ ଭାଇ ଓ ଜଣେ ଭଉଣୀ ଭିତରୁ ନନାଙ୍କର କେବଳ ଭଲ ପାଠ ହଉଥିଲା। କିନ୍ତୁ ଜେଜେବାପା, ଜେଜେ ମା ଙ୍କ ଅବସ୍ଥା ଆର୍ଥିକ ଅବସ୍ଥା ଏତେ ଖରାପ ଥିଲା ଯେ, ତାଙ୍କ ପକ୍ଷେ ଚାରି ପିଲାଙ୍କୁ ପାଠ ପଢ଼େଇବା ସମ୍ଭବ ନ ଥିଲା। ତେଣୁ ନନାଙ୍କୁ ତାଙ୍କ ମାମୁଁଘର ନେଇ ଯାଇଥିଲେ ତାଙ୍କରି ପାଖରେ ରଖି ପାଠ ପଢ଼େଇ ବାକୁ। ତିନି ମାମୁଁଙ୍କ ଘରେ ପାଳି କରି ରହି ପାଠ ପଢୁଥିଲେ ନନା। ସେମାନଙ୍କ ଅବସ୍ଥା ବି ଖୁବ୍ ଗୋଟେ ସ୍ଵଚ୍ଛଳ ନଥିଲା। ନନା ଗୋଟେ ବେଳା ତାଙ୍କ ଘରେ ଖାଆନ୍ତି ଆଉ ଅନ୍ୟ ବେଳା ଗାଁ ର ଜଣଙ୍କ ଛୁଆକୁ ପାଠ ପଢ଼େଇ ତାଙ୍କ ଘରେ ରୁଟି ଦୁଇପଟ ଖାଇ ଦେଇ ଚଳେଇ ଦିଅନ୍ତି। ତେବେ ସେଇ ଗୋଟେ ବେଳା ଖାଇବା ଭିତରେ ପ୍ରାୟତଃ ବିଲରୁ କାମ କରି ଆସି ପଖାଳ ଖାଇ ସ୍କୁଲ ଯିବାକୁ ପଡ଼େ ତାଙ୍କୁ । ଆଉ ପଖାଳ ସହ ଥାଏ ଶୁଖୁଆ ପୋଡ଼ା କିମ୍ବା ଅଲଗା କିଛି ପୋଡ଼ା ପୋଡ଼ି। ଆଉ ନନା କୁହନ୍ତି, ସେ ଏଇ ଦୋଳ ପୂର୍ଣ୍ଣିମାକୁ ବଡ଼ ଆଗ୍ରହରେ ଅପେକ୍ଷା କରି ରୁହନ୍ତି ସେ । କାରଣ ଏଇ ଦିନରେ ଚଣା ଭଜା ହୁଏ ପୂଜା ହବାକୁ। ଆଉ ବେଶ୍ କିଛିଦିନ ଯାଏଁ ପଖାଳ ସହ ଚଣା ଭଜା ଖାଇବାର ସୁଯୋଗ ମିଳେ ତାଙ୍କୁ!

ଏଭଳି ସଂଘର୍ଷ କରିବାକୁ ପଡ଼ୁଥିଲା ତାଙ୍କୁ ଖାଇବା ଗଣ୍ଡେ ପାଇଁ 😢😥

ଇଶ୍ୱରଙ୍କ ଦୟାରୁ ତାଙ୍କ ଚାକିରି ପରେ ଆର୍ଥିକ ଅବସ୍ଥା ସୁଧୁରି ଗଲା। ଆଉ ଆମେ ମାନେ ସେ ସଂଘର୍ଷ କଣ ଜାଣି ପାରିଲୁନି। 

ଅଜାଘର ଗାଁ ର ସ୍ଵଚ୍ଛଳ ଘର ମାନଙ୍କ ଭିତରୁ ଗୋଟିଏ। ତେଣୁ ମୁଁ ପିଲାଦିନରୁ ବେଶ୍ ଅୟସ ଆରାମ୍ ରେ ସେଠି ରହିଥିଲେ ସୁଦ୍ଧା ନନାଙ୍କ ସଂଘର୍ଷ ବିଷୟରେ ଜାଣିବା ଦିନୁ ଖାଦ୍ୟ ମୁଠେର ଗୁରୁତ୍ଵ ବେଶ୍ ବୁଝିପାରେ। କେବେ ବି ଖାଦ୍ୟ ଫୋପାଡ଼ି ପାରେନି। ଘରେ କି ଭୋଜିରେ ଆବଶ୍ୟକତା ଠୁ ଅଧିକ ଖାଦ୍ୟ ଆଣେନାହିଁ କେବେବି। ଆଉ ଯେତିକି ଆଣେ, ଯେତେ ଡେରି ହଉ ପଛେ, ତାକୁ ବସି ବସି ଖାଇବାକୁ ଚେଷ୍ଟା କରେ। ଘରକୁ କିଏ ଭିକ୍ଷା ମାଗିବାକୁ ଆସିଲେ ତାକୁ ଖାଇବା ଜିନିଷ ଦବାକୁ ଚେଷ୍ଟା କରେ। ବଜାରରେ ବି କିଏ ଟଙ୍କା ମାଗିଲେ ମନା କରେ। କିନ୍ତୁ ସେ କିଛି ଖାଇବାକୁ ମାଗିଲେ, ଖୁସି ଖୁସିରେ ଅର୍ଡର କରିଦିଏ ତା ପାଇଁ ଖାଦ୍ୟ। 

ସବୁବେଳେ ଇଶ୍ୱରଙ୍କ ପାଖରେ ପ୍ରାର୍ଥନା ଥାଏ ମୋର, ଦୁନିଆଁରେ କିଏ କୋଉଠି ଭୋକିଲା ନ ରହୁ। ପେଟ ପୁରା ଅନ୍ତତଃ ଖାଇବାକୁ ପାଆନ୍ତୁ ସମସ୍ତେ।

ଏସବୁ ଆଜିର ଦିନରେ ପୁଣି ମନେ ପଡ଼ିଗଲା ସେଇ ଚଣାଭଜା ଯୋଗୁ। ଭାବିଲି ସ୍ମୃତି ରୋମନ୍ଥନ ଆଳରେ ଟିକେ ଖାଦ୍ୟର ଆବଶ୍ୟକତା ବିଷୟରେ କହିବି ପାଠକ ମାନଙ୍କୁ। ତା ସହ ଅନୁରୋଧ କରିବି: କେବେ ବି ଯଦି ଖାଇବା ଫିଙ୍ଗିବାକୁ ଭାବୁଛନ୍ତି, ଥରେ ଭାବିବେ, ଏ ଦୁନିଆଁରେ ଅନେକ ଲୋକ ଅଛନ୍ତି, ଯିଏ ଭୋକ ଉପାସରେ, ଖାଲି ପେଟରେ ଶୋଇଛନ୍ତି 

Post a Comment

0 Comments