ଦିନକୁ ଦିନ ବିଜ୍ଞାନ ଯେତିକି ଅଗ୍ରଗତି କରୁଛି ସେହି ଅନୁପାତରେ ପ୍ରକୃତି ନଷ୍ଟ ହୋଇ ଚାଲିଛି । କଳକାରଖାନା, ଗାଡ଼ିମଟର, ଶିଳ୍ପାନୁଷ୍ଠାନ, ଟେକ୍ନୋଲୋଜିର ବିକାଶ ପରୋକ୍ଷରେ ଜଳବାୟୁ ଉପରେ କୁପ୍ରଭାବ ପକାଉଛି । ଫଳରେ ଋତୁଚକ୍ର ଅନୁଯାୟୀ ପାଣିପାଗର ପରିବର୍ତ୍ତନରେ ବ୍ୟତିକ୍ରମ ଦେଖାଯାଉଛି । ବର୍ତ୍ତମାନ ଫେବୃଆରୀ ମାସ ଚାଲିଥିବା ବେଳେ ରାଜ୍ୟରେ ଡହଡହ ଖରା ହେଉଛି । ଫଳରେ ବହୁ ଜଙ୍ଗଲରେ ନିଆଁ ଲାଗିଯାଉଥିବା ଦେଖାଯାଉଛି ।
ତେବେ ଯଦି ସ୍ଥିତି ଏପରି ରୁହେ, ତେବେ ଆଗାମୀ ଦିନରେ ବହୁ ଜଙ୍ଗଲରେ ମଧ୍ୟ ନିଆଁ ଲାଗିବାର ସମ୍ଭାବନା ରହିଛି । ଏହି ନିଆଁ ଜଙ୍ଗଲୀ ଜୀବଜନ୍ତୁଙ୍କ ବାସସ୍ଥାନ, ଖାଦ୍ୟ ନଷ୍ଟ କରିଦେଉଛି । ସମୟକ୍ରମେ ଧୀରେଧୀରେ ଜଙ୍ଗଲୀ ଜୀବ ପୃଥିବୀପୃଷ୍ଠରୁ ଗାଏବ ହୋଇଯିବେ, ଯାହାର ଭୟଙ୍କର ପରିଣାମ ଭୋଗିବ ମଣିଷ ଜାତି । ଏହା ମଧ୍ୟରେ ଶହ ଶହ ଜୀବ ପ୍ରଜାତି ବିଶ୍ୱବକ୍ଷରୁ ଉଭେଇ ଯାଇଥିବା ନେଇ ବୈଜ୍ଞାନିକମାନେ ମତ ଦେଇଛନ୍ତି ।
ତେବେ ନିକଟରେ ରାଜ୍ୟର ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗି ଏହା ୨ କି.ମି. ଅଞ୍ଚଳକୁ ବ୍ୟାପି ସାରିଲାଣି । ଏହି ନିଆଁ ଉଭୟ ବୃକ୍ଷଲତା ଓ ବନ୍ୟଜନ୍ତୁଙ୍କୁ ନଷ୍ଟ କରିଦେଉଛି । ପ୍ରକୃତିର ସୃଷ୍ଟିରେ ବିଭିନ୍ନ ପ୍ରକାରର ଜୀବଙ୍କର ପରସ୍ପର ସହିତ ନିର୍ଭରଶୀଳତା ରହିଛି । ଯଦି ବୃକ୍ଷଲତା, ଜୀବଜନ୍ତୁଙ୍କର ଅବସ୍ଥା ଏପରି ହେବ ତେବେ ମଣିଷ ମଧ୍ୟ ବେଶି ଦିନ ତିଷ୍ଠି ପାରିବ ନାହିଁ ।ତେବେ ଭାରତୀୟ ବନ ସର୍ବେକ୍ଷଣ (ଏଫଏସଆଇ)ର ତଥ୍ୟ ଅନୁଯାୟୀ, ଗତ ମାସ ୧ରୁ ୧୫ ତାରିଖ ମଧ୍ୟରେ ଓଡ଼ିଶାରେ ୧୯୩୯ଟି ବନାଗ୍ନି ଚିହ୍ନଟ ହୋଇଛି । ସେଥିମଧ୍ୟରୁ ଶିମିଳିପାଳ ଅଭୟାରଣ୍ୟକୁ ନେଇ ବେଶି ଚିନ୍ତା ବଢ଼ୁଛି । କିଛି ସ୍ଥାନରେ ନିଆଁ ମନୁଷ୍ୟକୃତ ହୋଇଥିବା ବେଳେ ଆଉ କିଛି ସ୍ଥାନରେ ସ୍ୱାଭାବିକ ଭାବେ ହେଉଛି । ତାପମାତ୍ରା ଓ ବର୍ଷା ଠିକ୍ ସମୟରେ ନ ହେବାରୁ ଏହାର ପ୍ରଭାବ ମଣିଷର ସ୍ୱାସ୍ଥ୍ୟ ସହିତ ବିଭିନ୍ନ ପ୍ରକାରର ଫସଲ ଉପରେ ପଡ଼ୁଛି ।
ଏବେ ନିଆଁର ସ୍ଥିତି ଏପରି ଯେ ଆଗାମୀ ଦିନରେ ଏହାକୁ ନିୟନ୍ତ୍ରଣ କରିବା ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହେବ ବୋଲି କିଛି ପରିବେଶବିତ୍ ମତ ଦେଇଛନ୍ତି । ଗତ ୨୦୨୧ରେ ରାଜ୍ୟର ମୟୁରଭଞ୍ଜ ଜିଲ୍ଲାର ଶିମିଳପାଳ ଅଗ୍ନିକାଣ୍ଡକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । ସେ ସମୟରେ ମାତ୍ର ୩୦ ଦିନ ମଧ୍ୟରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ୧୪୨୮ଟି ସ୍ଥାନରେ ନିଆଁ ଲାଗିଥିଲା । ତେବେ ନିଆଁକୁ ରୋକିବା ପାଇଁ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି । ଜଙ୍ଗଲ ନିଆଁକୁ ରୋକିବା ପ୍ରକୃତିକୁ ବଞ୍ଚାଇବା କେବଳ ସରକାରଙ୍କ କାମ ନୁହେଁ, ପ୍ରତ୍ୟେକ ମଣିଷର ମଧ୍ୟ ବଡ଼ ଦାୟିତ୍ୱ ଅଟେ ।
0 Comments