ଶ୍ରୀ ଲୋକନାଥ


 ଆଜି ପଙ୍କୋଦ୍ଧାର ଏକାଦଶୀ। ଶ୍ରୀକ୍ଷେତ୍ରରେ ଏହା ଏକ ବଡ଼ ପର୍ବ। କିନ୍ତୁ ଏହା ଜଗନ୍ନାଥ ମହାପ୍ରଭୁଙ୍କୁ ଆଧାର କରି ଅନୁଷ୍ଠିତ ହୁଏନାହିଁ। ଏହା ଏକ ଶୈବ ଏକାଦଶୀ ବା ମହାଦେବ ଶିବଙ୍କୁ ଆଧାର କରି ଅନୁଷ୍ଠିତ ହେଉଥିବା ଏକ ପର୍ବ। ଲୋକନାଥ ମହାପ୍ରଭୁ ଭୂମି ପତ୍ତନଠାରୁ ବହୁତ ତଳେ ଅବସ୍ଥାନ କରିଛନ୍ତି। ଆଜି ବର୍ଷ ତମାମର ପଙ୍କ ବାହାର କରାଯିବା ପରେ ଠାକୁରଙ୍କ ସ୍ବୟମ୍ବୁ ଲିଙ୍ଗ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି।


ଶ୍ରୀ ଲୋକନାଥ । ଆମ ଜଗନ୍ନାଥ ସଂସ୍କୃତିରେ ସେ ମଧ୍ୟମ ପାଣ୍ଡବ। ଜଗନ୍ନାଥଙ୍କ ଭଣ୍ଡାର ରକ୍ଷକ। ତାଙ୍କ ବିନା ମହାପ୍ରଭୁଙ୍କ ଅନେକ ନୀତି ଅଧୁରା। ଚନ୍ଦନ ଚାପ ହେଉ ଅଥବା ଶମ୍ଭୁ ଏକାଦଶୀ। ସବୁଠି ଶ୍ରୀ ଲୋକନାଥଙ୍କୁ ଆଗ୍ରହର ସହ ଅପେକ୍ଷା କରିଥାନ୍ତି ଭକ୍ତମାନେ। ହେଲେ ପାଠକମାନଙ୍କୁ ଜଣାଇବାକୁ ଚାହୁଛିଁ, ପୂରାଣ ବର୍ଣ୍ଣନା ଅନୁଯାୟୀ ଏହି ଲୋକନାଥଙ୍କ ଆଦ୍ୟନାମ ହେଉଛି ଅଲାବୁକେଶ୍ବର ବା ଲାଉକେଶ୍ବର। ଅପଭ୍ରଶଂ ହୋଇ ଏହାଙ୍କ ନାମ ଲୋକେଶ୍ବର ବା ଲୋକନାଥ ହୋଇଛନ୍ତି।


ରାମାୟଣ ଯୁଗର କଥା। ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ଓ ମାତା ସୀତା ବନବାସରେ ଥାଆନ୍ତି। ପଦବ୍ରଜରେ ସେମାନେ ଶ୍ରୀକ୍ଷେତ୍ରରେ ପହଞ୍ଚିଲେ। ସେତେବେଳକୁ ସକାଳ। ପ୍ରଭୁ ଶ୍ରୀରାମ ହେଉଛନ୍ତି ପରମ ଶୈବ ବା ଶିବଭକ୍ତ। ଶିବ ପୂଜନ ବିନା ସେ ଦିନ ଆରମ୍ଭ କରନ୍ତି ନାହିଁ। ଏଣୁ ଏଠାରେ ଶିବ ପୂଜନ କାରିବାକୁ ସେ ଶିବଲିଙ୍ଗ ଖୋଜିବାକୁ ଲାଗିଲେ। ମାତ୍ର ତାହା ତାଙ୍କୁ ପ୍ରାପ୍ତ ହେଲାନି। ଶେଷରେ ସେ ଏକ ‘ଲାଉ’ ଆଣି ସେଠାରେ ସ୍ଥାପନ କଲେ ଆଉ ପୂଜାବିଧି ଆରମ୍ଭ କଲେ। ଭଗବାନ ଶିବ ପ୍ରଭୁ ଶ୍ରୀରାମଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ସେବେଠାରୁ ସେଇଠି ଅଛନ୍ତି, ଲୋକନାଥ ନାମରେ। ଆଜି ପଙ୍କୋଦ୍ଧାର ଏକାଦଶୀ, ରାସ୍ତା ପତନଠାରୁ ବହୁତ ତଳେ ଏହି ଶିବଲିଙ୍ଗ ବର୍ଷତମାମ ବୁଡି ରହୁଥିବା ବେଳେ, ଶିବରାତ୍ରୀ ପୂର୍ବ ଏହି ଏକାଦଶୀରେ ହିଁ ନିଜକୁ ଲିଙ୍ଗ ସ୍ବରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି।

Post a Comment

0 Comments