ଦକ୍ଷିଣକାଳୀ ପଡ଼ିଆରେ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା

 

ପୁସ୍ତକ ମେଳାକୁ ଆକର୍ଷଣୀୟ କରିବା ପାଇଁ ପ୍ରୟାସ


ନୟାଗଡ଼ ଜିଲ୍ଲା ସଂସ୍କୃତି ପରିଷଦ ଓ ପୁସ୍ତକ ମହୋତ୍ସବ କମିଟି ଦ୍ୱାରା ଆୟୋଜିତ ହେବାକୁ ଯାଉଛି ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା । ଏଥିପାଇଁ ଶନିବାର ସଂନ୍ଧ୍ୟାରେ ନୟାଗଡ଼ ବିଧାୟକଙ୍କ ଅଧ୍ୟକ୍ଷତାରେ ଏକ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଫେବୃୟାରୀ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବେଳେ ଅନିବାର୍ଯ୍ୟ କାରଣ ପାଇଁ ସ୍ଥାନ ପରିବର୍ତ୍ତନ କରାଯାଇଥିବା ସୂଚନା ମିଳିଛି । ପଠାଣି ସାମନ୍ତ ଅଡିଟୋରିୟମ ପଡ଼ିଆ ବଦଳରେ ପୁସ୍ତକ ମହୋତ୍ସବ ପୂର୍ବ ନିଷ୍ପତ୍ତି ମୁତାବକ ଦକ୍ଷିଣକାଳୀ ପଡ଼ିଆରେ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି । ସଂଖ୍ୟାଧିକ ପୁସ୍ତକ ବିକ୍ରେତା ଓ କ୍ୟାରିୟର କାଉନସେଲିଂ ସଂସ୍ଥା ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ବେଳେ ପ୍ରତ୍ୟେକ ଦିନ ରାଜ୍ୟର ସୁନାମ ଧନ୍ୟ ସାହିତ୍ୟିକଙ୍କୁ ନେଇ ସାହିତ୍ୟ ସଭା ଆୟୋଜନ କରାଯାଇଛି । ଉଦଘାଟକ ଭାବେ କଥା ପତ୍ରିକାର ସମ୍ପାଦକ ଗୈାରହରୀ ଦାଶ ଯୋଗ ଦେବାକୁ ଥିବା ବେଳେ ପ୍ରାବନ୍ଧିକ ଚନ୍ଦଶେଖର ହୋତା, କଥାକାର ଅଜୟ ସ୍ୱାଇଁ, ଡ. ଅରବିନ୍ଦ ରାୟ, ସମ୍ବାଦ ସାହିତ୍ୟ ଘର ମୁଖ୍ୟ ଶୁଭଶ୍ରୀ ଲେଙ୍କା, ସ୍ତମ୍ଭକାର ଛନ୍ଦା ମିଶ୍ର ପ୍ରମୂଖ ଯୋଗ ଦେବେ ବୋଲି ସୂଚନା ମିଳିଛି । ଉଦଯାପନି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ସାହିତ୍ୟ ପାଇଁ ଜୀବନକୁ ଉତ୍ସର୍ଗ କରିଥିବା ସୈାମ୍ୟ ରଞ୍ଜନ ପଟ୍ଟନାୟକ ଯୋଗ ଦେବାର ରହିଛି । ପୁସ୍ତକ ମହୋତ୍ସବ ସହ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବା ପାଇଁ ଉଦ୍ୟମ କରାଯିବା ଆବଶ୍ୟକ ବୋଲି ବିଧାୟକ ମତ ଦେଇଥିଲେ । ଛାତ୍ରଛାତ୍ରୀମାନେ କିଭଳି ଅଧିକ ସଂଖ୍ୟାରେ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ବୁଲି ଆସିବେ, ତାହା ଉପରେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଦୃଷ୍ଟି ଦେବା ଆବଶ୍ୟକ ବୋଲି କହିଥିଲେ । ଏହି ପ୍ରସ୍ତୁତି ବୈଠକରେ କାର୍ଯ୍ୟକ୍ରମର ସଂଯୋଜକ ସଂଜୟ କୁମାର ସ୍ୱାଇଁ, ଧୀରେନ୍ଦ୍ର ପଟ୍ଟନାୟକ, ଅନୀଲ କୁମାର ପଣ୍ଡା, ଶ୍ରୀକାନ୍ତ ଖଟେଇ, ଗୋଦାବରୀଶ୍ ସାହୁ, ଶେଖ୍ ଅବଦୁଲ ଖାଲିକ, ନିର୍ମଳ ଚନ୍ଦ୍ର ଶୂରଦେଓଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ । ନୟାଗଡ଼ ବିଧାୟକ ଡ. ସାହୁଙ୍କ ପୃଷ୍ଠପୋଷକତାରେ ଆୟୋଜିତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତେ ସହଯୋଗ କରିବାକୁ ନିଷ୍ପତ୍ତି ନେଇଥିଲେ ।

Post a Comment

0 Comments