ଆଠଗଡ/ କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ କାନପୁର ଥାନା ଅଧିନ ତାମରା ଓ କାଞ୍ଜିଆପଦା ଗ୍ରାମ ମଧ୍ୟରେ ଗତ କାଳୀପୂଜା ଦିନ ଉପୁଜିଥିବା ବିବାଦ କୁ କାନପୁର ପୋଲିସ ତ୍ୱରିତ ସମାଧାନ କିମ୍ବା ନ୍ୟାୟିକ ପଦକ୍ଷେପ ନେଇପାରି ନଥିବାରୁ ପୋଲିସର କାର୍ଯ୍ୟଦକ୍ଷତା କୁ ନେଇ କାଞ୍ଜିଆପଦା ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇ ରାସ୍ତାରୋକ କରିଥିଲେ ।ଖବର ଅନୁସାରେ, ଗତ କାଳୀପୂଜା ଦିନ ରାତିରେ କାଞ୍ଜିଆପଦା ଗ୍ରାମରେ ଆୟୋଜିତ ଏକ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ତାମରା ଗ୍ରାମର କିଛି ଯୁବକ ମଞ୍ଚ ଉପରକୁ ଚଢି କଳାକାର ମାନଙ୍କୁ ଅଭଦ୍ରୋଚିତ ଆଚରଣ କରିବା ଯୋଗୁ କାଞ୍ଜିଆପଦା ଗ୍ରାମବାସୀ ଓ ଯୁବକ ସଂଘର ସଦସ୍ୟ ମାନେ ଏହାକୁ ବାରଣ କରିଥିଲେ ଫଳରେ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇ ହାତାହାତି ହୋଇଥିଲେ ସେହି ସମୟରେ ଏହାର ଆପୋଷ ସମାଧାନ ହୋଇଥିଲେ ହେଁ ଗତ ଶନିବାର ସକାଳୁ ତାମରା ଗ୍ରାମର ଜଣେ ଯୁବକ କାଞ୍ଜିଆପଦା ଗ୍ରାମକୁ ଯାଇ ଚାଷଜମି ପାଇଁ ସାର କିଣିବା ପାଇଁ ଯାଇଥିବା ବେଳେ ତାମରା ଗ୍ରାମର କିଛି ଯୁବକ ସହିତ ବଚସା ହେବାରୁ ସମ୍ପୃକ୍ତ ଯୁବକ ନିଜ ଗ୍ରାମକୁ ଫୋନ କରିବାରୁ କିଛି ଯୁବକ କାଞ୍ଜିଆପଦା ଗ୍ରାମକୁ ଯାଇ ଗାଳି ଗୁଳଜ କରିବା ସହ ଧମକ ଚମକ ଦେଇଥିଲେ ।ଏହାକୁ ବିରୋଧ କରି କାଞ୍ଜିଆପଦା ଗ୍ରାମବାସୀ ରାସ୍ତା ଉପରକୁ ଆସି ଶନିବାର ସକାଳୁ ବିକ୍ଷୋଭ କରି ଅଭିଯୁକ୍ତ ମାନଙ୍କୁ ଗିରଫ ଦାବୀ କରି ରାସ୍ତାରୋକ କରିଥିଲେ ।ବହୁ ସମୟ ରାସ୍ତାରୋକ ହେବା ଫଳରେ ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଥିଲା ।ଦୀର୍ଘ ସମୟ ରାସ୍ତା ଅବରୋଧ କରିବା ପରେ କାନପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନ କାରୀ ଗ୍ରାମବାସୀ ଙ୍କ ସହିତ ଆଲୋଚନା କରି ଆସନ୍ତା ୧୦ ତାରିଖ ଦିନ ଉଭୟ ପକ୍ଷଙ୍କଙ୍କୁ ନେଇ ଏକ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।ଗତ ଶୁକ୍ରବାର ରାତିରେ ତାମରା ଓ କାଞ୍ଜିଆପଦା ଗ୍ରାମର ଯୁବକ ମାନଙ୍କ ମଧ୍ୟରେ ପ୍ରଥମେ ବଚସା ଓ ପରେ ହାତାହାତି ଅବସ୍ଥା ହୋଇଥିବା ଉଭୟ ପକ୍ଷରୁ କାନପୁର ଥାନାରେ ଅଭିଯୋଗ ହୋଇଥିଲେ ହେଁ ଥାନାରେ ଅଭିଯୋଗ ପଞ୍ଜିକୃତ ହୋଇ ନଥିବା ଅଭିଯୋଗ ହୋଇଛି। ଆଠଗଡରୁ ମହେଶ ଦାସଙ୍କ ରିପୋର୍ଟ।
0 Comments