ନୟାଗଡ଼ ରାଜନୀତିରେ ପ୍ରତ୍ୟୁଷାଙ୍କ ଆବିର୍ଭାବ

 


ନୟାଗଡ଼ (ମହେଶ ଚନ୍ଦ୍ର ଦାସ,ସାମ୍ବାଦିକ) ନୟାଗଡ ରାଜନୀତି ଏବେ ରୋଚକ ସ୍ଥିତିରେ ପହଞ୍ଚିଛି। ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁଙ୍କୁ ଚେକ୍ ଦେବା ପାଇଁ ଅଣ୍ଟା ଭିଡିଲେଣି ବିରୋଧୀ। ଏକଦା ଅରୁଣଙ୍କ ପ୍ରତିଦ୍ବନ୍ଦୀ ଥିବା ବିଜେପି ନେତ୍ରୀ ଇରାନୀ ରାୟଙ୍କ ନିରବତାର ଫାଇଦା ଉଠାଇବାକୁ ବିଜେପି ଛାମୁଆ ନେତାମାନେ ଅଣ୍ଟା ଭିଡିବାକୁ ଆରମ୍ଭ କରିଛନ୍ତି। ଚର୍ଚ୍ଚା ହେଉଛି,ଦଳୀୟ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ କନ୍ଧମାଳର ପୂର୍ବତନ ସାଂସଦ ତଥା ନୟାଗଡର ରାଣୀ ସହେବା ପ୍ରତ୍ୟୁଷା ମଞ୍ଜରି ଏବେ ଆଗେଇ ଆସିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ଇରାନୀ ରାୟ ବିଜେପିରୁ ନୟାଗଡର ବିଧାୟକ ପ୍ରାର୍ଥୀ ହୋଇଥିଲେ। ଯଦିଓ ଦଳ ଏଠାରେ ସଫଳତା ପାଇ ନଥିଲା,ତଥାପି ଭଲ ଜନ ସମର୍ଥନ ହାଟେଇଥିଲା। କିନ୍ତୁ ଇରାନୀ ଏହାକୁ ହାତ ଛଡ଼ା କଲେ। ନିର୍ବାଚନ ପରାଜୟ ଗ୍ଳାନିରେ ଭାଙ୍ଗି ପଡିଥିବା ଇରାନୀ ଦଳୀୟ ସଂଗଠନକୁ ମଜବୁତ୍ କରିବା ପାଇଁ ଇଚ୍ଛା ପ୍ରକାଶ କଲେ ନାହିଁ। ଫଳରେ ବିଜେଡି ନେତା ଡ଼ ଅରୁଣ କୁମାର ସାହୁଙ୍କ ଲୋକ ପ୍ରିୟତା ଓ ଜନ ସଂପର୍କ ବଢ଼ି ଚାଲିଲା। ଅରୁଣ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ଏପରିକି ୱାର୍ଡ ବୁଲି ଜନ ସଂପର୍କ ସାଉନ୍ଟୁ ଥିବା ବେଳେ ବିଜେପିର କାହାରିକୁ ଦେଖା ମିଳୁନାହିଁ।କନ୍ଧମାଳର ପୂର୍ବତନ ସାଂସଦ ତଥା ନୟାଗଡ ରାଣୀ ମା ' ଏବେ ଦାଣ୍ଡକୁ ଓହ୍ଲାଇଛନ୍ତି। ସ୍ବାମୀ ହେମେନ୍ଦ୍ରଙ୍କ ଶ୍ରାଦ୍ଧ ବାର୍ଷିକୀ ରେ ପ୍ରତ୍ୟୁଷା ନିଜ ସମର୍ଥକ ମାନଙ୍କୁ ନିକଟ ଅତୀତରେ ଏକଜୁଟ କରିଥିଲେ। ବିଜେପିର ତୁଙ୍ଗ ନେତା ମାନଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ନୟାଗଡ ର ବିଧାୟକ ପାଇଁ ପ୍ରାର୍ଥୀ ହେବେ ବୋଲି ସୂଚନା ଦେଇଥିଲେ। ପରେ ନୟାଗଡ ସଦର ବ୍ଲକ ର ଏକ ପଞ୍ଚାୟତରେ ବନ୍ଧୁ ମିଳନ ନାମରେ କର୍ମୀ ସମ୍ମିଳନୀ କରିଥିଲେ। ଏହି କର୍ମୀ ସମ୍ମିଳନୀ ରେ ପ୍ରତ୍ୟୁଷା ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ଏହିସବୁ କାର୍ଯ୍ୟକ୍ରମରେ ସମର୍ଥକ ମାନଙ୍କ ଉତ୍ସାହ ଓ ଆଗ୍ରହ କୁ ଦୃଷ୍ଟିରେ ରଖି ଗତ ଅକ୍ଟୋବର ମାସ ଶେଷ ସପ୍ତାହରେ ରାଣୀ ସଦର ବ୍ଲକ୍ ସାକେରି ପଞ୍ଚାୟତ ମାଛିପଡ଼ାରେ ଏକ ମିଶ୍ରଣ ପର୍ବର ଆୟୋଜନ କରିଥିଲେ। ଯଦି ରାଣୀ ପ୍ରତ୍ୟୁଷା ଙ୍କ କଥା ସତହୁଏ,ତେବେ ଇରାନୀ ଯିବେ କୁଆଡେ ? ଏହାକୁ ନେଇ ଏବେ ନୟାଗଡ ବିଜେପିରେ ଫାଟ ସୃଷ୍ଟି ହୋଇଥିବା ସାଧାରଣରେ ଆଲୋଚନା ହେଉଥିବା ବେଳେ ଅନ୍ୟ ପକ୍ଷରେ ଅରୁଣ ଙ୍କୁ ଚେକ୍ ଦେବାରେ ରାଣୀ ପ୍ରତ୍ୟୁଷା ସମର୍ଥ ହେବେ ତ ? ?

Post a Comment

0 Comments