ଶିକ୍ଷାକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ବହପ । ହେଲେ ସେହି ବହପକୁ ଭାଙ୍ଗି ଦେଇଛି ଏନସିଇଆରଟିର ରିପୋର୍ଟ । ପ୍ରାଥମିକ ସ୍କୁଲରେ ପିଲାମାନଙ୍କ ପାଠପଢ଼ା କେମିତି ଚାଲିଛି ତାର ଖୁଲାସା କରିଛି ଏନସିଇଆରଟି ଦ୍ବାରା ପ୍ରକାଶିତ ଏହି ଫାଉଣ୍ଡେସନାଲ ଲର୍ଣ୍ଣିଂ ଷ୍ଟଡି ରିପୋର୍ଟ । ତୃତୀୟ ଶ୍ରେଣୀରେ ପଢ଼ୁଥିବା ପିଲା ସଂଖ୍ୟା ଚିହ୍ନି ପାରୁନଥିବା ବେଳେ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା କହିଲେ ସେମାନଙ୍କୁ ଜ୍ବର ଆସୁଛି ।
ତିନି ଅଙ୍କ ବିଶିଷ୍ଟ ସଂଖ୍ୟା ମଧ୍ୟରେ ମିଶାଣ ମାତ୍ର 41% ପିଲା କରିପାରୁଥିଲେ । ଆଉ ଫେଡାଣ କରିବାରେ ସମର୍ଥ ଥିଲେ ମାତ୍ର 29% । ଦେଶରେ ଏହି ହାର 41 ପ୍ରତିଶତ ଉପରେ ରହିଛି । ସେହିପରି ବିନା କାଗଜ କଲମରେ ମନେମନେ ମିଶାଣ ଫେଡ଼ାଣ କରିବାକୁ 88 ପ୍ରତିଶତ ପିଲା ଅସମର୍ଥ ଥିବା ରିପୋର୍ଟରେ ପ୍ରକାଶ ହୋଇଛି । ପ୍ରାୟ 50% ପିଲାଙ୍କୁ ଗୁଣନ ଆସୁ ନ ଥିବା ବେଳେ 100ରୁ ମାତ୍ର 49 ଜଣ ଘଡ଼ି ଓ କ୍ୟାଲେଣ୍ଡର ଚିହ୍ନି ପାରୁଛନ୍ତି । ଯାହା ଏବେ ସରକାରୀ ଶିକ୍ଷା ବ୍ୟବସ୍ଥାକୁ କାଠଗଡ଼ାରେ ଛିଡ଼ା କରିଛି ।
ପାଠପଢ଼ା ବ୍ୟତୀତ ସରକାରୀ କାର୍ଯ୍ୟ ଶିକ୍ଷକମାନଙ୍କ ଉପରେ ଏତେ ମାତ୍ରାରେ ଲଦି ଦିଆଯାଉଛି ଯେ ସେମାନେ ପାଠପଢ଼ାଇବାକୁ ଗୁରୁତ୍ବ ଦେଉ ନ ଥିବା ଶିକ୍ଷାବିତ୍ କହିଛନ୍ତି । ୩୨୯ ସ୍କୁଲ, ୬୦୫ ଶିକ୍ଷକ ଓ ୩୦୮୬ ଜଣ ଏହି ସର୍ଭେରେ ସାମିଲ ଥିଲେ । ମୁଖ୍ୟତଃ ଇଂରାଜୀ, ଓଡ଼ିଆ, ଗଣିତ ଓ ହିନ୍ଦୀ ୪ଟି ବିଷୟରେ ଏହି ସର୍ଭେ ହୋଇଥିଲା । ପୂର୍ବରୁ ସରକାରୀ ସ୍କୁଲ ଗୁଡିକରେ ଭିତ୍ତିଭୂମି ଅବ୍ୟବସ୍ଥା, ଶିକ୍ଷକ ଅଭାବର କଥା ସବୁବଳେ ନଜରକୁ ଆସିଥିଲା । କିନ୍ତୁ ଏଥର କେନ୍ଦ୍ରୀୟ ରିପୋର୍ଟ ଦର୍ଶାଯାଇଛି ସାହିତ୍ୟ ବହିର ଶବ୍ଦ, ଧାଡିଟିଏ ପଢିବା କଷ୍ଟକର ହୋଇପଡିଛି ।
ସେପଟେ ଏବେ ବି ରାଜ୍ୟର ଅନେକ ଅଞ୍ଚଳରେ ଶିକ୍ଷା ଅପହଞ୍ଚ । ନୂଆପଡ଼ା ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ଯାଇଛି । ପିଲାଙ୍କୁ ଉନ୍ନତ ମାନର ଶିକ୍ଷା ମିଳୁନଥିବା ଅଭିଯୋଗ କରିଛନ୍ତି ଅଭିଭାବକ ଏବଂ ଛାତ୍ରଛାତ୍ରୀ। ଛୋଟ ମୋଟ ଅଞ୍ଚଳ ନୁହେଁ ଖୋଦ ରାଜଧାନୀରେ ମଧ୍ୟ ଶିକ୍ଷକ ଅଭାବ, ଶିକ୍ଷା ବିଭାଗର ଅଣଦେଖା, ଓ ଘରୋଇ ଶିକ୍ଷାନୁଷ୍ଠାନକୁ ପ୍ରୋତ୍ସାହନ ଦେବାର ଏ ହେଉଛି ରେଜଲ୍ଟ ବୋଲି କହିଛି ଓଡ଼ିଶା ଅଭିଭାବକ ସଂଘ । ଏନସିଇଆରଟିର ଏଭଳି ରିପୋର୍ଟ ରାଜ୍ୟ ପାଇଁ ଲଜ୍ଜାଜନକ । କେବଳ ରଙ୍ଗ ମାରି ତଥାକଥିତ ୫T ବ୍ୟବସ୍ଥା ସ୍କୁଲରେ ଲାଗୁ କଲେ ଫଳ କିଛି ହେବନି । ବରଂ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ଓଡ଼ିଶାର ପିଲା ପଛରେ ପଡ଼ିଯିବା ନିଶ୍ଚୟ ।
0 Comments