ସୁଦଶା ବ୍ରତ କଥା ।

 



       [ ଶ୍ରୀ ମହାଲକ୍ଷ୍ମୀ  ସମସ୍ତ ଧନସମ୍ପଦ, ସୌଭାଗ୍ୟ, ସୁଖ୍ୟାତି, ସୁଖସମୃଦ୍ଧି, ସୌନ୍ଦର୍ଯ୍ୟ ଓ ପ୍ରେମର ଦେବୀ ଅଟନ୍ତି ।   ସେ ଭଗବାନ ବିଷ୍ଣୁଙ୍କର ସହଧର୍ମିଣୀ ଓ ଶକ୍ତି ସୂରୁପା ।ରାମାୟଣମତେ ସମୁଦ୍ର ମନ୍ଥନ ସମୟରେ ଅମୃତପାତ୍ର ଧରି ସେ ପୃଥିବୀ ପୃଷ୍ଠକୁ ଆସିଥିଲେ । ସେ ସମୁଦ୍ରଙ୍କର କନ୍ୟା । ଲକ୍ଷ୍ମୀଙ୍କର ବାହାନ ପେଚା, ମତାନ୍ତରେ ହାତୀ । ଲକ୍ଷ୍ମୀଙ୍କର ନାମ ଲକ୍ଷ ଶବ୍ଦରୁ ସିଛି । ରୁକ୍ମଣୀ ଓ ସତ୍ୟଭାମା ଲକ୍ଷ୍ମୀଙ୍କ ଅବତାର ଭାବେ ପରିଚିତ । ପ୍ରେମ ଏବଂ ପ୍ରଜନନର ଦେବତା କାମଦେବ ବିଷ୍ଣୁ ଓ ଲକ୍ଷ୍ମୀଙ୍କର ପୁତ୍ର ଭାବେ ବର୍ଣ୍ଣିତ ହେଇଥାନ୍ତି ।  ]


       🌹🌹 ଶୁକ୍ଳପକ୍ଷ ଦଶମୀ ତିଥି ଗୁରୁବାରରେ ପଡ଼ିଲେ, ତାହା ସୁଦଶା ବ୍ରତ ରୂପେ ପାଳିତ ହୁଏ । ଏଥିରେ ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ସୁଦଶାର ଅର୍ଥ ଭଲ ସମୟ କିନ୍ତୁ ପଲ୍ଲୀ ମାନସରେ ସମ୍ଭବତଃ ସୁଦଶା ଶବ୍ଦ ସହିତ ଦଶ ସଂଖ୍ୟାଟି ସଂଯୋଜିତ ହୋଇ ଆସିଅଛି । ଫଳତଃ ଉପାସନାରେ ଦଶ ପାଖୁଡ଼ା ପଦ୍ମ, ଦଶବର୍ଣ୍ଣ ମୁରୁଜ, ଦଶମୁଖୀ ଦୀପ, ଦଶମୁଠି ଚାଉଳ, ଦଶମେଞ୍ଚା କଦଳୀ, ଦଶଗୋଟି ମଣ୍ଡା ଓ ଲକ୍ଷ୍ମୀଙ୍କ ପ୍ରତୀକ ରୂପେ ଲକ୍ଷ୍ମୀଙ୍କ ଦଶନାମ ଲକ୍ଷ୍ମୀନାରାୟଣୀ, କମଳିନୀ, ଶ୍ରୀ ହରିପ୍ରିୟା, ପଦ୍ମାଳୟା, କମଳା, ଚଞ୍ଚଳା, ବିଘ୍ନସେନୀ, ସିନ୍ଧୁର ଦୁଲ୍ଲଣୀ, ଦୁର୍ଗତି, ବିଷ୍ଣୁ ପାଟରାଣୀ । ସୁମରିତ ଦଶଖିଅ ଧଳାସୂତାର ଏକ ବ୍ରତ ପୂଜା କରାଯିବାର ବିଧି ରହିଛି । ସେହି ବ୍ରତକୁ ପରବର୍ତ୍ତୀ ସୁଦଶା ବ୍ରତ ପର୍ଯ୍ୟନ୍ତ ବାହୁରେ ଧାରଣ କରାଯାଏ ।


         (👉 ଜନୈକା ବିଧବା ବ୍ରାହ୍ମଣୀ ନଦୀରୁ ଜଳ ଆଣିବା ସମୟରେ ନିଜ ବ୍ରତଟିକୁ ହଜାଇ ଦେଇଛନ୍ତି । ବ୍ରତ ହରାଇ ବିକଳ ଭାବେ କ୍ରନ୍ଦନ କରୁଥିବା ବେଳେ ନଳ ରାଜା ତାଙ୍କର ଦୁଃଖ ଦୂର କରିବା ପାଇଁ ସତ୍ୟବଦ୍ଧ ହୋଇ ନିଜ ରାଣୀଙ୍କ ଠାରୁ ବ୍ରତ ଆଣି ବ୍ରାହ୍ମଣୀଙ୍କୁ ଦେଛନ୍ତି । ବ୍ରତଟି ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥିବାରୁ ବ୍ରତଦାନ କଲେ ଲକ୍ଷ୍ମୀଛଡ଼ା ହେବାର କଥିତ ଥିବାରୁ ରାଣୀ ଅତ୍ୟନ୍ତ କୁଣ୍ଠାର ସହ ବ୍ରତଟିକୁ ଦେଇଛନ୍ତି । ବ୍ରତଦାନ ପରେ ତାଙ୍କର ସକଳ ସମ୍ପଦ, ସୁଖ, ଐଶ୍ଵର୍ଯ୍ୟ ଅପହୃତ ହୋଇ ରାଜା ଓ ରାଣୀ ଲକ୍ଷ୍ମୀଛଡ଼ା ଓ ଶ୍ରୀହୀନ ହୋଇ ପଡ଼ିଛନ୍ତି । ଯାବତୀୟ ଦୁଃଖ ଦୁର୍ଦ୍ଦଶା ଭୋଗ କଲାପରେ ରାଣୀ ପୁନଶ୍ଚ ଯଥାବିଧି ସୁଦଶା ବ୍ରତ ପାଳନ କରିବାପରେ ସେମାନଙ୍କର ସମସ୍ତ ଅପହୃତ ସୁଖ ସୌଭାଗ୍ୟ ଫେରି ଆସିଛି । )


  

🌹🌹ସୁଦଶା ବ୍ରତ କଥା  🌹🌹


(ଦମୟନ୍ତୀଙ୍କର ଶ୍ରୀ ସୁଦଶା ବ୍ରତ କଥା ଆରମ୍ଭ)


ବନ୍ଦଇ ପରମାଲକ୍ଷ୍ମୀ ଜଗତ ତାରେଣୀ ।

ସମୁଦ୍ର ମନ୍ଥନୁ ଜାତ ହୋଇଲୁ ତୁ ଜାଣି ।୧।

ତେଣୁ କରି ନାମ ହେଲା ଲକ୍ଷ୍ମୀନାରାୟଣୀ ।

ବିଷ୍ଣୁଙ୍କ ଘରଣୀ ମାଗୋ ଅଟୁ କମଳିନୀ ।୨।

ଏଥୁ ଅନନ୍ତରେ ଦିନେ ଏମନ୍ତ ସମୟେ ।

ନାରଦମହର୍ଷି ଇନ୍ଦ୍ରଭୁବନେ ବିଜୟେ ।୩।

ଷଡ଼ ଅର୍ଘ୍ୟ ଦେଇ ଇନ୍ଦ୍ରପାଦ ପୂଜା କଲେ ।

ବସିବା ନିମନ୍ତେ ଦିବ୍ୟ ଆସନେକ ଦେଲେ ।୪।


ଇନ୍ଦ୍ର ଉବାଚ

କେବଣ ବ୍ରତ କଲେ କେବଣ ଫଳ ପାଇ ।

ଘରଣୀ ପୁତ୍ର ଦୁହିତା କେମନ୍ତେ ମିଲଇ ।୧।

ଏହା ମୋତେ ସଂକ୍ଷେପିଣ କ‌ହିବା ଗୋସାଇଁ ।

ତବ ମୁଖୁଁ ଶୁଣିଲେ ପରତେ ଯିବି ମୁହିଁ ।୨।


ନାରଦ ଉବାଚ

ଶୁଣ ଏବେ ଇନ୍ଦ୍ର ସେହି ବ୍ରତର ମହିମା ।

ଯହିଁରେ ସନ୍ତୋଷ ହୋନ୍ତି ମହାଲକ୍ଷ୍ମୀ ଉମା ।୧।

ମର୍ତ୍ତମଣ୍ଡଳରେ ସାର ଅବନ୍ତୀ ନ‌ଗର ।

ତ‌ହିଁ ବିଷ୍ଣୁ କର ବୋଲି ଅଟେ ଦ୍ୱିଜବର ।୨।

ତାହାରି ଭାରିଯା ନାମ ଅଟେ ଲକ୍ଷ୍ମୀବତୀ ।

ସେ ବ୍ରାହ୍ମଣୀ ଲକ୍ଷ୍ମୀବ୍ରତ ସର୍ବଦା କରନ୍ତି ।୩।

ଲକ୍ଷ୍ମୀଙ୍କର ଦୟା ଯେଣୁ ହେଲା ତା'ଉପରେ ।

ଅଚଳା ସମ୍ପତ୍ତି ଭୋଗକରେ ମର୍ତ୍ତ୍ୟପୁରେ ।୪।

ଏଥୁ ଅନନ୍ତରେ ଇନ୍ଦ୍ର ଶୁଣ ମନ ଦେଇ ।

ଲକ୍ଷ୍ମୀଙ୍କର ବ୍ରତ ତୋତେ କ‌ହିବା ବୁଝାଇ ।୫।

ମାଘ ମାସ ଶୁକ୍ଳପକ୍ଷ ଦଶମୀ ଗୁରୁବାର ।

ଶ୍ରୀସୁଦଶା ବ୍ରତଗୋଟି ପଡ଼େ ସେ ଦିନର ।୬।

ସେହି ଦିନ ବ୍ରାହ୍ମଣୀ ଯେ ପ୍ରଭାତୁ ଉଠିଲା ।

ଏକବଣ୍ଣି ଗାଈର ଯେ ଗୋବର ଆଣିଲା ।୭।

ସୁସଞ୍ଚ କରି ଘର ଦୁଆର ଲିପିଲା ।

ନ‌ଦୀରେ ସ୍ନାନ କରିଣ ଘରକୁ ଅଇଲା ।୮।

ତଣ୍ଡୁଳ ବାଟିଣ ଝୋଟି ଆଭରଣ ଦେଲା ।

ଶ୍ରୀ ପରମାଲକ୍ଷ୍ମୀଙ୍କୁ ସେ ସୁମରଣ କଲା ।୯।

ଦଶବର୍ଣ୍ଣ ମୁରୁଜରେ ପିତୁଳା ଲେଖିଲା ।

ଦଶ ଯେ ପାଖୁଡ଼ କରି ପଦ୍ମକେ ରଖିଲା ।୧୦।

ତ‌ହିଁର ଉପରେ ପୂର୍ଣ୍ଣ ଘଟକେ ସ୍ଥପିଲା ।

ଘଟର ଉପରେ ଚ୍ୟୂତ ଡାଳକେ ଥୋଇଲା ।୧୧।

ନାରୀକେଳ ଏକଗୋଟି ଘଟ ପରେ ଦେଲେ ।

ଦଶମୁଖୀ ଦୀପାବଳି ଜାଗର ଜାଳିଲେ ।୧୨।

ଦଶଖିଅ ଧଳା ସୂତ୍ରେ ବ୍ରତକୁ ଭାଙ୍ଗିଲେ ।

ଚଉଁରୀ ନାମେଣ ବେତ ପାଖରେ ଥୋଇଲେ ।୧୩।

ଦଶ ମୁଷ୍ଟିତଣ୍ଡୁଳ ଯେ ଘଟ ପାଖେ ଦେଲେ ।

ଦବରି ଫଳ ଗୋଟିଏ ଆଣିଣ ଯେ ଦେଲେ ।୧୪।

ଉପରେ ତନ୍ଦ୍ରାତାପ ଚାନ୍ଦୁଆ ଟଣାଇଲେ ।

ଦଶ ମେଞ୍ଚା ହଳଦୀ ଯେ ପୂର୍ଣ୍ଣକୁମ୍ଭେ ଦେଲେ ।୧୫।

ସିନ୍ଦୂର କଜଳ ନେଇ ଘଟ ପରେ ଦେଲେ ।

ଶ୍ରୀ ପରମା ଲକ୍ଷ୍ମୀଙ୍କୁ ଯେ ସୁମରଣା କଲେ ।୧୬।

ଛେନା କଦଳୀ ଯେ ସର ଘୃତ ଦେଲେ ।

ଦଶ ଗୋଟି ମଣ୍ଡା ନେଇ ଆଗରେ ଥୋଇଲେ ।୧୭।

କର୍ପୂରରେ ଯୁକ୍ତ କରି ଆଣିଣ ବାଢ଼ିଲେ ।

ନଇବେଦ୍ୟ ନେଇ ପୁଣି କଥା ଯେ ଶୁଣିଲେ ।୧୮।

ଶ୍ରୀ ମହାଲକ୍ଷ୍ମୀଙ୍କି ସେ ସୁମରଣା କଲେ ।

ଲକ୍ଷ୍ମୀଙ୍କର ଦଶନାମ ଧରି ବ୍ରତେ ଗଣ୍ଠି ଦେଲେ ।୧୯।

ପ୍ରଥମ ଗଣ୍ଠିର ନାମ ଲକ୍ଷ୍ମୀ ନାରାୟଣୀ ।

ଦ୍ୱତୀୟ ଗଣ୍ଠିର ନାମ ହେଲା କମଳିନୀ ।୨୦।

ତୃତୀୟ ଗଣ୍ଠିର ନାମ ଶ୍ରୀହରିହର ପ୍ରିୟା ।

ଚତୁର୍ଥ ଗଣ୍ଠିର ନାମ ଅଟେ ପଦ୍ମାଳୟା ।୨୧।

ପଞ୍ଚମ ଗଣ୍ଠିର ନାମ ଅଟଇ କମଳା ।

ଷଷ୍ଠ ଗଣ୍ଠିର ନାମଟି ହୋଇଲା ଚଞ୍ଚଳା ।୨୨।

ସପ୍ତମ ଗଣ୍ଠିର ନାମ ଅଟେ ବିଘ୍ନସେନୀ ।

ଅଷ୍ଟମ ଗଣ୍ଠିର ନାମ ସିନ୍ଧୁର ଦୁଲ୍ଲଣୀ ।୨୩।

ନବମ ଗଣ୍ଠିର ନାମ ଦୁର୍ଗତି ନାଶିନୀ ।

ଦଶମ ଗଣ୍ଠିର ନାମ ବିଷ୍ଣୁ ପାଟରାଣୀ ।୨୪।

ଦଶନାମ ଧରିଣ ସେ ବ୍ରତ ଗଣ୍ଠି ଦେଲେ ।

ଲକ୍ଷ୍ମୀ ନାରାୟଣୀ ବୋଲି ମନେ ସୁମରିଲେ ।୨୫।

ସୂର୍ଯ୍ୟଙ୍କୁ ସେ ଅର୍ଘ୍ୟ ଦେଇ ବନ୍ଦାପନା କଲେ ।

ନ‌ଦୀକୁ ଯେ ପାଣି କୁମ୍ଭେ ଆଣିବାକୁ ଗଲେ ।୨୬।

ବ୍ରତ ହସ୍ତରୁ ଖସାଇ କୂଳରେ ରଖିଲେ ।

ଜଳ ଭିତରେ ଯାଇଣ ବ୍ରାହ୍ମଣୀ ପଶିଲେ ।୨୭।

ମାଂସ ମେଞ୍ଚା ପ୍ରାୟ ପାଟବ୍ରତ ଦିଶୁଥିଲା ।

ଚିଲ ପକ୍ଷୀ ଝାମ୍ପ ଦେଇ ବେଗେ ଘେନିଗଲା ।୨୮।

ସେ ବ୍ରାହ୍ମଣୀ ଜଳ ଘେନି କୂଳକୁ ଆଇଲା ।

ବ୍ରତ ନ ଦେଖିଣ ସେହୁ ବିସ୍ମୟ ହୋଇଲା ।୨୯।

ଚାରି ଦିଗକୁ ବ୍ରହ୍ମଣୀ ନିରେଖି ଚାହିଁଲା ।

ସେ ବ୍ରତକୁ ଚିଲ ଘେନି ଯାଉଛି ଦେଖିଲା ।୩୦।

ଚିଲ ପଛେ ପଛେ ସେ ବ୍ରାହ୍ମଣୀ ଗୋଡ଼ାଇଲା ।

ସେ ଚିଲ ଯାଇଣ ଏକ ବନସ୍ତେ ପଶିଲା ।୩୧।

ବ୍ରତ ନ ପାଇ ବ୍ରାହ୍ମଣୀ ବିକଳେ କାନ୍ଦିଲା ।

ଚିଲପକ୍ଷୀ ବନସ୍ତେ ଅଦୃଶ୍ୟ ହୋଇଗଲା ।୩୨।

ଏଥୁ ଅନନ୍ତରେ ଇନ୍ଦ୍ର ଶୁଣ ହେ ବୋଇଲା ।

ମୃଗୟା ବିନୋଦେ ନଳ ବନସ୍ତକୁ ଗଲା ।୩୩।

ବ୍ରାହ୍ମଣୀ ରୋଦନ ରାଜା କର୍ଣ୍ଣେ ଯେ ଶୁଣିଲେ ।

ବନସ୍ତେ କେ କାନ୍ଦୁଅଛି ବୋଲିଣ ବୋଇଲେ ।୩୪।

ସଇନିକ ସଖା ଘେନି ରାଜା ବିଜେ କଲେ ।

ବ୍ରହ୍ମଣୀ ପାଖରେ ଯାଇଁ ପ୍ରେବେଶ ହୋଇଇଲେ ।୩୫।

ବ୍ରହ୍ମଣୀକୁ ଦେଖି ରାଜା ବିସ୍ମୟ ହୋଇଲେ ।

କି ନିମନ୍ତେ କାନ୍ଦୁଅଛି ବୋଲିଣ ବୋଇଲେ ।୩୬।

ଏହା ଶୁଣି ବ୍ରାହ୍ମଣୀ ଯେ ରାଜାଙ୍କୁ କ‌ହଇ ।

ମୋହର ଦୁଃଖକୁ ବାବୁ ପାରିବ କି ଫେରେଇ ।୩୭।

ନଳ ରାଜା ବୋଇଲେ ଯେ କି ଦୁଃଖ ତୋହର ।

ମୋର ଆଗେ କ‌ହିଲେ ତାହା କରିବଇଁ ଦୂର ।୩୮।

ଏହା ଶୁଣି ବ୍ରାହ୍ମଣୀ ଯେ ବୋଲଇ ଉତ୍ତର ।

ସତ୍ୟ କର ତୁମ୍ଭେ ରାଜା କ‌ହିବି ଛାମୁର ।୩୯।

ବ୍ରାହ୍ମଣୀର ବାକ୍ୟ ଶୁଣି ରାଜା ସତ୍ୟ କଲେ ।

ଯାହା ତୁମ୍ଭେ ମାଗ ତାହା ଦେବଇଁ ବୋଇଲେ ।୪୦।

ଏହା ଶୁଣି ବ୍ରାହ୍ମଣୀ ଯେ ହରଷ ହୋଇଲା ।

ମୋହର ସୁଦଶା ବ୍ରତ ଚିଲ ଘେନି ଗଲା ।୪୧।

ତୁମ୍ଭର ମହାଦେଈ ବ୍ରତ କରୁଛନ୍ତି ।

ସେହି ବ୍ରତ ଗୋଟି ତୁମ୍ଭେ ଦେବ ହେ ନୃପତି ।୪୨।

ଏହାଶଣି ମହାରାଜା ସନମତ କଲେ ।

ବ୍ରାହ୍ମଣୀକୁ ଘେନି ନିଜ ରାଜ୍ୟେ ଚଳିଗଲେ ।୪୩।

ବ୍ରାହ୍ମଣୀକୁ ସିଂହଦ୍ୱାରେ ବସାଇ ନୃପତି।

ଅନ୍ତଃପୁରକୁ ଗମନ କରିଲେ ତଡ଼ତି ।୪୪।

ରାଣୀକୁ ଯାଇଣ ନଳ ରାଜା ଯେ କ‌ହିଲେ ।

ଆମ୍ଭଙ୍କୁ ଏକ ମାଗୁଣି ଦେବଇଁ ବୋଇଲେ ।୪୫।

ଏହା ଶୁଣି ମହାରାଣୀ ସ୍ତବ୍‌ଧା ହୋଇଗଲେ ।

ଆମ୍ଭଙ୍କୁ କିସ ମିଳିବ ଦେବଇ ବୋଇଲେ ।୪୬।

ନଳରାଜା ବୋଈଲେ ଗୋ ସତ୍ୟ ଏବେ କର ।

ତେବେ ମୁଁ କ‌ହିବି ସିନା ମାଗୁଣି ମୋହର ।୪୭।

ଏହାଶୁଣି ମହାଦେଈ ସତ୍ୟବାକ୍ୟ କଲେ ।

ଯେ ଇଚ୍ଛା ତୁମ୍ଭର ରାଜା ମାଗ ହୋ ବୋଇଲେ ।୪୮।

ସତ୍ୟ ବାକ୍ୟ ଶୁଣି ରାଜା ବୋଇଲେ ଉତ୍ତର ।

ଶ୍ରୀ ସୁଦଶାବ୍ରତ ଗୋଟି ଦିଅ ଗୋ ତୁମ୍ଭର ।୪୯।

ଏହା ଶୁଣି ମହାରାଣୀ ବିସ୍ମୟ ହୋଇଲେ ।

ଶ୍ରୀସୁଦଶା ବ୍ରତ ଦେବା ନୁହଁଇ ବୋଇଲେ ।୫୦।

ଏହି ବ୍ରତଗୋଟି ଅନ୍ୟକୁ ଯେ ନ ଦିଅନ୍ତି ।

ବ୍ରତ ଦେଲେ କାନ୍ଧରୁ ଯେ ଲକ୍ଷ୍ମୀ ଛାଡ଼ିଯାନ୍ତି ।୫୧।

ଦରିଦ୍ର ଭିକ୍ଷୁକ ବ୍ୟାଧିବନ୍ତ ଯେହୁ ହୋଇ ।

ଲକ୍ଷ୍ମୀଙ୍କର ବ୍ରତ ଏହି ଦେଇ ନ ପାରଇ ।୫୨।

ଜଞ୍ଜାଳ କରିଣ ରାଜା ପୁନଶ୍ଚ ମାଗିଲେ ।

ହସ୍ତରୁ ଖସାଇ ବ୍ରତ ରାଜା କଲେ ଦେଲେ ।୫୩।

ବ୍ରତ ପାଇ ମହାରାଜା ବେଗେ ଚଳିଗଲେ ।

ବ୍ରହ୍ମଣୀ ହସ୍ତରେ ବ୍ରତ ନେଇଣ ସେ ଦେଲେ ।୫୪।

ବ୍ରତ ପାଇ ବ୍ରହ୍ମଣୀ ଯେ ଆନନ୍ଦ ହୋଇଲା ।

ରାଜାଙ୍କୁ ଆଶିଷ କରି ନିଜପୁରେ ଗଲା ।୫୫।

ସେ ବ୍ରତ ନେଲା କଞ୍ଚା ଦୁଧରେ ଧୋଇଲା ।

ଦଶଗୋଟି ମଣ୍ଡା କରି ପାଣି ଛଡ଼ାଇଲା ।୫୬।

ଆପଣା ହସ୍ତରେ ନେଇ ବ୍ରତକୁ ବାନ୍ଧିଲା ।

ପଣା କରି ବ୍ରାହ୍ମଣୀ ଆନନ୍ଦେ ରହିଲା ।୫୭।

ନାରଦଙ୍କୁ ଚାହିଁ ଇନ୍ଦ୍ର ପୁଣି ପୁଚ୍ଛାକଲେ ।

ନଳରାଜାଙ୍କର କିସ ହୋଇଲା ବୋଇଲେ ।୫୮।

ନାରଦ ବୋଇଲେ ଶୁଣ ଇନ୍ଦ୍ର ମନ ଦେଇ ।

ନଳରାଜାଙ୍କ ବିପତ୍ତି ତୋତେ ଦେବା କ‌ହି ।୫୯।

ଚରିଯିବା ଗୋରୁ ଆଉ ଘରକୁ ନଇଲେ ।

ପୋତିଲାର ଧନ ସବୁ ବାସୁକୀ ହରିଲେ ।୬୦।

ଧାନ‌ଚାଉଳ ତ ସବୁ ବସି ଯେ ଖାଇଲେ ।

ଶତ୍ରୁ ଆସିଣ ରାଜ୍ୟରେ ଉପଗତ ହେଲେ ।୬୧।

ରାଜା ରାଣୀ ଅନ୍ନ‌ବସ୍ତ୍ର କିଛି ନ ପାଇଲେ ।

ରାଜାଙ୍କୁ ରାତ୍ରରେ କାଳପୁରୁଷ ଡାକିଲେ ।୬୨।

ରାଜ୍ୟ ଛାଡ଼କରି ରାଜା ପଳାଇଣ ଯାଆ ।

ରାଜ୍ୟେ ଥିଲେ ନିଶ୍ଚୟ ମରିବୁ ନୃପନାହା ।୬୩।

ଏହାଶୁଣି ନଳରାଜା ତେଜିଣ ଉଠିଲେ ।

ମହଦେଈ ପାଶେ ଯାଇ ସକଳ କ‌ହିଲେ ।୬୪।

ଚାଲ ତୁମ୍ଭେ ପିତାଘର ଯିବା ହେ ବୋଇଲେ ।

ଏହି ଶୁଣି ମହାଦେଈ ସନମତ କେଲ ।୬୫।

ସଭାଚନ୍ଦ୍ର କୁମରକୁ ହକାରି ଆଣିଲେ ।

ଗୃହକୁ ଛାଡ଼ିଣ ବିଜେ ରାଜାରାଣୀ ଗଲେ ।୬୬।

ପ୍ରଥମରେ ଯାଇ ଏକ ପୋଖରୀ ଦେଖିଲେ ।

ଏଠାରେ ସ୍ନାହାନ ରାଣୀ କରିବା ବୋଇଲେ ।୬୭।

ଏଠାରେ ସ୍ନାହାନ କରି ଯେ କିସ କରିବା ।

ପାଶରେ ତ କିଛି ନାହିଁ କଅଣ ଖାଇବା ।୬୮।

ଏହା କ‌ହି ରାଜା ରାଣୀ ଜଳରେ ପଶିଲେ ।

ଚାରୋଟି ଗଡ଼ିଶା ମାଛ ଧରିଣ ଆଣିଲେ ।୬୯।

ଏହି ମାଛ ପୋଡ଼ି ରାଣୀ ରଖି ଥାଅ ନେଇ ।

ପାଖେ ଅଛି ଗ୍ରାମେ ଭିକ୍ଷା ମାଗିଣ ଆଣଇ ।୭୦।

ଏହା କ‌ହି ମହାରାଜା ବିଜେ କରିଗଲେ ।

ବିଷ୍ଣୁକର ପଣ୍ଡା ଘରେ ପ୍ରବେଶ ହୋଇଲେ ।୭୧।

ଆମ୍ଭଙ୍କୁ ଭୋଜନ କିଛି ଦେବ କି ବୋଇଲେ ।

ଏହାଶୁଣି ବ୍ରାହ୍ମଣୀ ଯେ ଅନ୍ନ ଆଣୀ ଦେଲେ ।୭୨।

ହରଷ ହୋଇ ରାଜା ଲେଉଟି ଅଇଲେ ।

ଗୃହେ ପତ୍ନୀ କରେ ଅନ୍ନ ଦାନ‌କୁ ଥୋଇଲେ ।୭୩।

ଝାମ୍ପ ଦେଇ କାକପକ୍ଷୀ ଦାନ ଘେନିଗଲା ।

ତଳେ ପଡ଼ି ଅନ୍ନ ମାଟି ଧୂଳି ହୋଇଗଲା ।୭୪।

ବିରସ ହୋଇଣ ରାଜା ସେଠାରୁ ଆସିଲେ ।

ଏହା ଦେଖି ମହାରାଣୀ ସ୍ତମ୍ଭୀଭୂତ ହେଲେ ।୭୫।

ଯେଉଁ ମାଛ ପୋଡ଼ି ରାଣୀ ରଖିଥିଲେ ନେଇ ।

ସେହି ମାଛ ଜୀବ ପାଇ ଜଳେ ଗଲେ ଡେଇଁ ।୭୬।

ଆଚମ୍ବିତ ହୋଇ ରାଣୀ କଲେକ କ୍ରନ୍ଦନ ।

ପାଶେ ଆସି ମହାରାଜା ମିଳିଲେ ବ‌ହ‌ନ ।୭୭।

ମହାରାଣୀ ବୋଲେ ଲକ୍ଷ୍ମୀ ଛାଡ଼ିଲେ ଆମ୍ଭଙ୍କୁ ।

ପୋଡ଼ାମାଛ ଜୀବପାଇ ଡେଇଁଲେ ଜଳକୁ ।୭୮।

ଏହା ଦେଖି ମହାରାଜା ବିସ୍ମୟ ହୋଇଲେ ।

ଚାଲ ଏଠାବରୁ ରାଜା ବୋଲିଣ ବୋଇଲେ ।୭୯।

ଏତେକ‌ହି ରାଜାରାଣୀ ବିଜେ କରିଗେଲ ।

ବନସ୍ତ ଭିତରେ ଏକ ନ‌ଦୀ ଯେ ଦେଖିଲେ ।୮୦।

ସଭାଚନ୍ଦ୍ର କୁମରକୁ କୋଳରେ ଧଇଲେ ।

ନ‌ଦୀ ପାରହୋଇ ରାଜା ରାଣୀ ଯାଉଥିଲେ ।୮୧।

ଏମନ୍ତ ସମୟେ ଏକ କୁମ୍ଭୀର ମିଳିଲା ।

ସଭଚନ୍ଦ୍ର କୁମରକୁ ତଡ଼ତି ଗିଳିଲା ।୮୨।

ଏହା ଦେଖି ରାଜା ରାଣୀ ବେଗେ ପଳାଇଲେ ।

କାନ୍ଦି କାନ୍ଦିଣ ଯାଇ ଯେ ବନସ୍ତେ ପଶିଲେ ।୮୩।

ଭଙ୍ଗା ମନ୍ଦିର ଗୋଟାଏ ସେଠାରେ ଦେଖିଲେ ।

ରାଜାରାଣୀ ସେ ମନ୍ଦିର ଭିତରେ ରହିଲେ ।୮୪।

ଅଳଙ୍କାର ଖୋଲି ରାଣୀ ଅଞ୍ଚଳେ ବାନ୍ଧିଲେ ।

ସେହିଠାରେ ରାଜାରାଣୀ ଶ୍ରମେ ନିଦ୍ରା ଗଲେ ।୮୫।

ସେ ମନ୍ଦିର କାନ୍ଥେ ଚିତ୍ର ମୟୂର ଯେ ଥିଲା ।

ରାଣୀ ଅଳଙ୍କାରମାନ ସବୁ ଗିଳିଦେଲା ।୮୬।

ରାଣୀଙ୍କ ନୟନେ କାଳନିଦ୍ରା ଯେ ଘରିଲା ।

ରଣୀଙ୍କୁ ଛାଡ଼ିଣ ରାଜା ତ‌ହୁଁ ପଳାଇଲା ।୮୭।

ସେଠାବରୁ ନଳ ରାଜା ଭ୍ରମି ଭ୍ରମି ଗଲେ ।

ଭୀମ ରାଜା ରାଜ୍ୟେ ଯାଇଁ ପ୍ରବେଶ ହୋଇଲେ ।୮୮।

ଭୀମ ରାଜା ଆଗରେ ସେ ଜଣାଇଲେ ଯାଇ ।

ଆମ୍ଭଙ୍କୁ ରଖ ହେ ରାଜା କିଛି ପଣ ଦେଇ ।୮୯।

କେଉଁ ଦେଶେ ଘର ପୁଣି କେଉଁ ଜାତି ପୁଣ ।

କେଉଁ କେଉଁ ବିଦ୍ୟାମାନ କରିଛ ସାଧନ ।୯୦।

ନଳ ରାଜାଙ୍କର ସୂପକାର ଥିଲି ମୁହିଁ ।

ଗଉରୀ ସଉରୀ ବିଧି ରାନ୍ଧଣା ଜାଣଇ ।୯୧।

ଏହା ଶୁଣି ଭୀମରାଜା ହରଷ ହୋଇଲେ ।

ଆମ୍ଭ ସୂପକାର ହୋଇ ଥାଅ ହୋ ବୋଇଲେ ।୯୨।

ଆଜ୍ଞା ପାଇ ନଳରାଜା ସନମତ କଲେ ।

ରୋଷେଇ ଶାଳରେ ଯାଇ ପ୍ରବେଶ ହୋଇଲେ ।୯୩।

ରାତ୍ର ପାହିଲାରୁ ରାଣୀ ନିଦ୍ରାରୁ ଉଠିଲେ ।

ରାଜାଙ୍କୁ ନ‌ଦେଖି ରାଣୀ ଡାକ ଚାରି ଦେଲେ ।୯୪।

ରାଜାଙ୍କୁ ନ ପାଇ ରାଣୀ କାନ୍ଦି କନ୍ଦି ଗଲେ ।

ଛନ୍ନ ଛନ୍ନ ହୋଇ ସେ ସ୍ଥାନରୁ ଚଳିଗଲେ ।୯୫।

ବାଟେ ବାଟ ସେ ପଚାରି ପଚାରିଣ ଗଲା ।

ଭୀମରାଜା ରାଜ୍ୟେ ଯାଇ ପ୍ରବେଶ ହୋଇଲା ।୯୬।

ଭୀମସେନ ଅନ୍ତଃପୁରେ ଯାଇଣ ମିଳିଲା ।

ଲକ୍ଷ୍ମୀଙ୍କ ମାୟାରୁ ନିଜ ମାତା ନ ଚିହ୍ନିଲା ।୯୭।

ଦମୟନ୍ତୀ କ‌ହ‌ନ୍ତି ଯେ ମହାଦେଈ ପାଶ ।

ଭାତ ଲୁଗା ଦେଇରଖ ତୁମ୍ଭର ଉଆସ ।୯୮।

ନଳ ରାଜାଙ୍କର ଦାସୀ ହୋଇଥିଲି ମୁହିଁ ।

କର୍ମ ଅଭାଗ୍ୟରୁ ମୁହିଁ ସେଠାରୁ ଆସଇ ।୯୯।

ଏହାଶୁଣି ମହାଦେଈ ହରଷ ହୋଇଲେ ।

ଆମ୍ଭ ଅନ୍ତଃପୁରେ ଦାସୀ ହୋଇଥାଅ ଭଲେ ।୧୦୦।

ଏହାଶୁଣି ଦମୟନ୍ତୀ ସନମତ କଲେ ।

ନଳ ଦମୟନ୍ତୀ ଦୁହେଁ ସେଠାରେ ରହିଲେ ।୧୦୧।

ଏଥୁ ଅନନ୍ତରେ ଶୁଣଇନ୍ଦ୍ର ମନ‌ଦେଇ ।

ନଳରାଜାଙ୍କର ଶୁଭବାର୍ତ୍ତା ଦେବା କ‌ହି ।୧୦୨।

ଭାଦ୍ରମାସ ଶୁକ୍ଳପକ୍ଷ ଦଶମୀ ଗୁରୁବାର ।

ଶ୍ରୀ ସୁଦଶାବ୍ରତ ଗୋଟିପଡ଼େ ସେ ଦିନର ।୧୦୩।

ପାଟ ଜ୍ୟୋତିଷ ଯାଇଣ ରାଣୀଙ୍କୁ କ‌ହିଲା ।

କାଲିଠୁଁ ସୁଦଶା ବ୍ରତ ପଡ଼ୁଛି ବୋଇଲା ।୧୦୪।

ଜ୍ୟୋତିଷଙ୍କୁ ଧନରତ୍ନ‌ଦେଇ ବିଦାକଲା ।

ଦାସୀମାନଙ୍କୁ ଡାକିଣ ବୁଝାଇ କ‌ହିଲା ।୧୦୫।

ପ୍ରଭାତରୁ ଉଠି ଦାସୀମାନେ ଚଳିଗଲେ ।

ଏକବର୍ଣ୍ଣି ଗାଈର ଯେ ଗୋବର ଆଣିଲେ ।୧୦୬।

ସୁସଞ୍ଚ କରିଣ ଘର ଦୁଆର ଲିପିଲେ ।

ନ‌ଦୀରେ ସ୍ନାନ କରିଣ ଘରକୁ ଆସିଲେ ।୧୦୭।

ତଣ୍ଡୁଳ ବାଟିଣ ଝୁଣ୍ଟିଆଳ ପଣା ଦେଲେ ।

ଏହା ଦେଖି ଦମୟନ୍ତୀ ରାଣୀଙ୍କୁ କ‌ହିଲେ ।୧୦୮।

ମହାରାଣୀ ମୋହପ୍ରତି ଯେବେ ଦୟା ହେବ ।

ଓଷାର ଉପକରଣ ଯେବେ ମୋତେ ଦେବେ ।୧୦୯।

ଶ୍ରୀ ସୁଦଶା ବ୍ରତଟିକୁ କରନ୍ତି କ‌ହିଲେ ।

ଏହାଶୁଣି ମହାଦେଈ ସନ୍ତୋଷ ହୋଇଲେ ।୧୧୦।

ବ୍ରତ ଯେବେ କର ତୁମ୍ଭେ କର ଗୋ ବୋଇଲେ ।

ଦମୟନ୍ତୀ ଶୀଘ୍ର ସ୍ନାନ ସାରିଣ ଆସିଲେ ।୧୧୧।

ଅତି ଯତନରେ ନେଇ ଘଟକେ ସ୍ଥାପିଲେ ।

ହଳଦୀ ଚନ୍ଦନ ନେଇ ଘଟ ପରେ ଦେଲେ ।୧୧୨।

ଚ୍ୟୁତ ଡାଳ ଦେଇ ଦୀପମାନ ଲଗାଇଲେ ।

ଧୂପ ଦୀପ ନୈବେଦ୍ୟ ଯେ ଗନ୍ଧ ପୁଷ୍ପ ଦେଲେ ।୧୧୩।

ପୁର ମଣ୍ଡା ଦଶଗୋଟି ଆଗରେ ଥୋଇଲେ ।

ମହାଲକ୍ଷ୍ମୀଙ୍କୁ ସୁମରି ସେଠାରେ ବସିଲେ ।୧୧୪।

ଲକ୍ଷ୍ମୀ ଦଶ ନାମ ଧରି ବ୍ରତେ ଗଣ୍ଠି ଦେଲେ ।

ଆସ ଆସ ମହାଲକ୍ଷ୍ମୀ ହୃଦେ ସୁମରିଲେ ।୧୧୫।

ପ୍ରଥମ ଗଣ୍ଠିର ନାମ ଲକ୍ଷ୍ମୀନାରାୟଣୀ ।

ଦ୍ୱତୀୟ ଗଣ୍ଠିର ନାମ ହେଲା କମଳିନୀ ।୧୧୬।

ତୃତୀୟ ଗଣ୍ଠିର ନାମ ଯେ ଶ୍ରୀ ହରିପ୍ରିୟା ।

ଚତୁର୍ଥ ଗଣ୍ଠିର ନାମ ଅଟେ ପଦ୍ମାଳୟା ।୧୧୭।

ପଞ୍ଚମ ଗଣ୍ଠିର ନାମ ଅଟଇ କମଳା ।

ଷଷ୍ଠ ଗଣ୍ଠିର ନାମଟି ହୋଇଲା ଚଞ୍ଚଳା ।୧୧୮।

ସପ୍ତମ ଗଣ୍ଠିର ନାମ ଅଟେ ବିଘ୍ନସେନୀ ।

ଅଷ୍ଟମ ଗଣ୍ଠିର ନାମ ସିନ୍ଧୁର ଦୁଲ୍ଲଣୀ ।୧୧୯।

ନବମ ଗଣ୍ଠିର ନାମ ଦୁର୍ଗତି ନାଶିନୀ ।

ଦଶମ ଗଣ୍ଠିର ନାମ ବିଷ୍ଣୁ ପାଟରାଣୀ ।୧୨୦।

ଲକ୍ଷ୍ମୀ ଦଶନାମ ଧରି ବ୍ରତେ ଗଣ୍ଠି ଦେଲେ ।

ପରମାଲକ୍ଷ୍ମୀଙ୍କୁ ମନେ ସୁମରଣା କଲେ ।୧୨୧।

ହେ ପରମାଲକ୍ଷ୍ମୀ ମୋତେ ଅନୁଗ୍ରହ ହେଉ ।

ପୁତ୍ର ଗେରସ୍ତ ଆବର ରାଜ୍ୟ ପ୍ରାପ୍ତ ହେଉ ।୧୨୨।

ଏମନ୍ତ ଭାବନା କରି ମନେ ସୁମରିଲେ ।

ପ୍ରସନ୍ନ ହୋଇଣ ଲକ୍ଷ୍ମୀ ରାଣୀଙ୍କୁ କ‌ହିଲେ ।୧୨୩।

ଯାଆ ତୋର ପୁଅ ସ୍ୱାମୀ ପ୍ରପାତ ହୋଇବେ ।

ତାର ହସ୍ତେ ଶତ୍ରୁମାନେ ନିପାତ ହୋଇଲେ ।୧୨୪।

ନଳରାଜାଙ୍କୁ ସେ ଲକ୍ଷ୍ମୀ ସ‌ହୟ ହୋଇଲେ ।

ଏଣେ ନଳରାଜାଙ୍କର ମନ୍ତ୍ରୀ ବିଚାରିଲେ ।୧୨୫।

ଆମ୍ଭର ଯେ ମହାରାଜା କେଣେ ଚଳିଗଲେ ।

ରାଜ୍ୟରେ କାହାକୁ ରାଜା କରିବା ବୋଇଲେ ।୧୨୬।

ଏହାଶୁଣି କେହି ବୋଲେ ହେବି ମୁଁ ରାଜନ ।

ଆଉ କେହି ବୋଲେ ମୁହିଁ ହେବି ନୃପରାଣ ।୧୨୭।

ଏହିପରି ପରସ୍ପର କରିଲେକ ଗୋଳ ।

ତ‌ହିଁ ସୁବୁଦ୍ଧି ନାମରେ ଥିଲା ମନ୍ତ୍ରୀବର ।୧୨୮।

ମନ୍ତ୍ରୀ କ‌ହେ ଆମ୍ଭ ରାଜା କେଉଁଠି ଅଛନ୍ତି ।

ଆଉ ଜଣେ କେଉଁପରି ହୋଇବ ନୃପତି ।୧୨୯।

ମନ୍ତ୍ରୀ ବୋଲେ ଶୁଣ ସର୍ବେ ମୋହର ବିଚାର ।

ପାଟ‌ହସ୍ତୀକୁ ମଣ୍ଡିଣ ଛାଡ଼ିବା ସତ୍ୱଇ ।୧୩୦।

ସୁବର୍ଣ୍ଣ କଳସେ ଗଙ୍ଗା ଜଳ ଶିରେ ଦେଇ ।

ଛାଡ଼ିଦେବା ଯାହା ପରେ ଢାଳିବ ଯେ ସେହି ।୧୩୧।

ତାହାକୁ ରାଜ୍ୟରେ ରାଜା କରିବାଟି ଜାଣ ।

ପାଟ‌ହସ୍ତୀ ମଣ୍ଡି ଛାଡ଼ିଦେଲେ ତ‌ତକ୍ଷଣ ।୧୩୨

ମନ୍ତ୍ରୀ ପୁରୋହିତ ସ‌ହ ସକଳ ଚଳିଲେ ।

ରାଜ୍ୟର ପରଜାବୃନ୍ଦ ସର୍ବେ ଗୋଡ଼ାଇଲେ ।୧୩୩।

ନିଜ ଇଚ୍ଛାମନେ ହସ୍ତୀ ଦୃତଗାମୀ ହୋଇ ।

ଭୀମ ରାଜା ରାଜ୍ୟେ ପ୍ରବେଶିଲା ହସ୍ତୀ ଯାଇ ।୧୩୪।

ପାଟ‌ହସ୍ତୀ ଯାଇ ନଳରାଜାଙ୍କୁ ଭେଟିଲା ।

ସୁବର୍ଣ୍ଣ କଳସୀ ଜଳ ଶିରରେ ଢାଳିଲା ।୧୩୫।

ରାଜାଙ୍କୁ ନେଇଣ ହସ୍ତୀ ପୃଷ୍ଠେ ବସାଇଲେ ।

ଜୟ ନଳରାଜା ବୋଲି ଉଚ୍ଚେ ଡାକ ଦେଲେ ।୧୩୬।

ସେ ନ‌ଗ୍ରରେ ନରନାରୀମାନେ ଦେଖୁଥିଲେ ।

ରାଜାଙ୍କ ଆଗରେ ଯାଇ ସମସ୍ତେ କ‌ହିଲେ ।୧୩୭।

ଗୁପ୍ତେ ନଳରାଜା ସୂପକାର ପଣେ ଥିଲେ ।

ଏଥି ଥିବାଯାଏ ତାଙ୍କୁ କେହି ନ ଚିହ୍ନିଲେ ।୧୩୮।

ତାଙ୍କ ବାକ୍ୟେ ପାତ୍ରମନ୍ତ୍ରୀ ସମସ୍ତେ ଅଇଲେ ।

ନଳରାଜାଙ୍କୁ ହସ୍ତୀର ପୃଷ୍ଠେ ବସାଇଲେ ।୧୩୯।

ଏହାଶୁଣି ଭୀମ ରାଜା ହରଷ ହୋଇଲେ ।

ନଳରାଜାଙ୍କୁ ଗୌରବ କରି ଘେନିଗଲେ ।୧୪୦।

ଅନ୍ତଃପୁରେ ରାଣୀ ଦମୟନ୍ତୀଙ୍କୁ ଚିହ୍ନିଲେ ।

ଏତ ଆମ ଦମୟନ୍ତୀ ଦୁହିତା ବୋଇଲେ ।୧୪୧।

କି ନିମନ୍ତେ ଆସି ଏଠି ଗୁପରେ ରହିଲା ।

କି ନିମନ୍ତେ ଏ ବିରୂପ ରୂପ ହୋଇଥିଲା ।୧୪୨।

ଦମୟନ୍ତୀ ଏହ ଶୁଣି ବୁଝାଇ କ‌ହିଲେ ।

ଲକ୍ଷ୍ମୀ ଦ୍ରୋହ କରିବାରୁ ରାଜ୍ୟୁ ତଡ଼ାଇଲେ ।୧୪୩।

ବନସ୍ତ ମଧ୍ୟରେ ସଭାଚନ୍ଦ୍ରକୁ ହରାଇ ।

ମୋତେ ଛାଡ଼ିକରି ରାଜା ଗଲେକ ପଳାଇ ।୧୪୪।

ଏହାଶୁଣି ମହାଦେଈ ରାଜାଙ୍କୁ କ‌ହ‌ନ୍ତି ।

ଆମ୍ଭ ଗୃହେ ଦମୟନ୍ତୀ ଝିଅ ରହିଛନ୍ତି ।୧୪୫।

ଭୀମରାଜା କ‌ହ‌ନ୍ତି ଯେ ନଳ ଆସିଛନ୍ତି ।

ଏହା ଦେଖି ରାଜା ରାଣୀ ହରଷ ହୁଅନ୍ତି ।୧୪୬।

ଦମୟନ୍ତୀଙ୍କୁ ଧରିଣ ନଳ ପାଶେ ଗଲେ ।

ଦମୟନ୍ତୀଙ୍କୁ ଦଖିଣ ନଳ ଖୁସି ହୋଇଲେ ।୧୪୭।

ରାଜାରାଣୀଙ୍କର ପାଦତଳେ ପଡ଼ିଲେ ।

ମନବାଞ୍ଛା ପୂର୍ଣ୍ଣହେଉ ବୋଲିଣ ବୋଇଲେ ।୧୪୮।

କିଛିଦିନ ନଳ ପୁଣି ସେଠାରେ ରହିଲେ ।

ଏହା ଦେଖି ରାଜା ରାଣୀ ହରଷ ହୋଇଲେ ।୧୪୯।

ରାଜାଙ୍କ ଅଗ୍ରତେ ଯାଇଁ ନଳ ଜଣାଇଲେ ।

ନିଜ ରାଜ୍ୟକୁ ଚଳିବା ଆଜ୍ଞା ତୁମ୍ଭେ ଦେଲେ ।୧୫୦।

ବିଧିମତେ ସମ୍ମାନ ନଳରାଜାଙ୍କୁ କଲେ ।

ପାଟ ପୀତାମ୍ବରିମାନ ରାଜା ଯେ ପିନ୍ଧିଲେ ।୧୫୧।

ନାନା ଅଳଙ୍କାର ଦେଇ ଭୂଷଣ କରିଲେ ।

ବିନୟ ହୋଇଣ ରାଣୀ ମାତାଙ୍କୁ କ‌ହିଲେ ।୧୫୨।

ଦୟା ରଖିଥିବ ମାତା ପିତାଙ୍କୁ କ‌ହିଲେ ।

ଆଶିଷ କଲ୍ୟାଣ କରି ବିନୟ ହୋଇଲେ ।୧୫୩।

ରତ୍ନ ହୋନ୍ଦୋଳରେ ନେଇ ବିଜେ କରାଇଲେ ।

ବିନୟ ହୋଇଣ ରାଣୀ ଦାସୀଙ୍କୁ କ‌ହିଲେ ।୧୫୪।

ଏହି ସ୍ନେହ ସଦା ରଖିଥିବ ପ୍ରଜାମାନେ ।

ବିଦାୟ ଦିଅ ଯାଉଛି ନିଜ କର୍ମସ୍ଥାନେ ।୧୫୫।

ଶୁଭବେଳେ ରାଜରାଣୀ ରାଜ୍ୟକୁ ଗମିଲେ ।

ପାତ୍ରମନ୍ତ୍ରୀ ସର୍ବେ ତାଙ୍କ ସଙ୍ଗେ ଗୋଡ଼ାଇଲେ ।୧୫୬।

ଶଙ୍ଗ ଶବଦରେ ରାଜ୍ୟ ସାରା କମ୍ପାଇଲେ ।

ଶୁଭ ଅନୁକୁଳ କରି ବାହାର ହୋଇଲେ ।୧୫୭।

କିଛି ଦୂର ଗଲାପରେ ମନ୍ଦିର ଭେଟିଲେ ।

ଜୟ ଶଙ୍ଖ ବୀର ଶବ୍ଦ ତୂରୀ ବଜାଇଲେ ।୧୫୮।

ଯେଉଁ ମୟୂରଟି ରାଣୀ ମାଳା ଗିଳିଥିଲା ।

ରାଜା ରାଣୀଙ୍କୁ ଚିହ୍ନିଣ ଉଦ୍‌ଗାରିଣ ଦେଲା ।୧୫୯।

ଅଳଙ୍କାର ପାଇ ରାଣୀ ହରଷ ହୋଇଲେ ।

ସୁରଦେବ ରାଣୀ ଶାପମୁକ୍ତ ହୋଇଗଲେ ।୧୬୦।

ସେଠାବରୁ ପାତ୍ରମନ୍ତ୍ରୀ ବିଦାକରି ଦେଲେ ।

ତୁମ୍ଭେମାନେ ଯାଅ ଭଲେ ଆମ୍ଭେ ଯିବୁ ଭଲେ ।୧୬୧।

ସେଠାବରୁ ପାତ୍ରମନ୍ତ୍ରୀ ବିଦାୟ ହୋଇଲେ ।

ରାଜା ରାଣୀ ବ‌ହୁତ ଆଶିଷ ଯେ ବାଞ୍ଛିଲେ ।୧୬୨।

ହସ୍ତୀ ପୃଷ୍ଠେ ବସି ରାଜାରାଣୀ ଚାଲିଗଲେ ।

ବନସ୍ତ କନ୍ଦରେ ନ‌ଦୀ ନିକଟେ ମିଳିଲେ ।୧୬୩।

ଶଙ୍ଖଧ୍ୱନି ଶବଦରେ ନ‌ଦୀ କମ୍ପିଗଲା ।

ଶବ୍ଦ ଶୁଣିଣ କୁମ୍ଭୀର ତଡତି ଆସିଲା ।୧୬୪।

ସଙ୍ଗେ ସଙ୍ଗେ ସଭାଚନ୍ଦ୍ରକୁ ଯେ ଉଦ୍‌ଗାରିଲା ।

ଏହି ଜନମରୁ ମୁକ୍ତ କରନ୍ତୁ ବୋଇଲା ।୧୬୫।

ପୁତ୍ରକୁ ପାଇଣ ରାଣୀ ହରଷ ହୋଇଲେ ।

ଶୁରଦେବ ରାଜ୍ୟ ଶାପୁ ମୁକ୍ତ ହୁଅ ଭଲେ ।୧୬୬।

ସଭାଚନ୍ଦ୍ରକୁ ନେଇଣ କୋଳେ ବସାଇଲେ ।

ସେଠାବରୁ ରାଜାରାଣୀ ମନ୍ଦିରେ ଚଳିଲେ ।୧୬୭।

ମହାଲକ୍ଷ୍ମୀ ନଳକୁ ଯେ ସୁଦୟା କରିଲେ ।

ବେତାଳମାନଙ୍କୁ ଡାକି ତ‌ହୁଁ ଆଜ୍ଞାଦେଲେ ।୧୬୮।

ରାଜାରଭଣ୍ଡାର ସର୍ବ ପୂର୍ଣ୍ଣ କରି ଆସ ।

ପୂର୍ଣ୍ଣ କରି ଆସି ମୋତେ କ‌ହିବ ସନ୍ଦେଶ ।୧୬୯।

ଏହା ଶୁଣି ବେତାଳ ଯେ ଶୀଘ୍ର ଚଳିଗଲେ ।

ନଳରାଜାଙ୍କ ଭଣ୍ଡାଇ ସମ୍ପୂର୍ଣ୍ଣ କରିଲେ ।୧୭୦।

ଲେଉଟିଣ ଆସି ଲକ୍ଷ୍ମୀ ପାଶେ ଜଣାଇଲେ ।

ଭଣ୍ଡାଇ ପୂର୍ଣ୍ଣ ଶୁଣି ସନ୍ତୋଷ ହୋଇଲେ ।୧୭୧।

ଏ ସମୟେ ନଳରାଜା ରାଜ୍ୟେ ପ‌ହ‌ଞ୍ଚିଲେ ।

ସିଂହଦ୍ୱାରେ ପ‌ହଞ୍ଚି ହରଷ ହୋଇଲେ ।୧୭୨।

ରାଜା ରାଣୀ ପାତ୍ରମନ୍ତ୍ରୀ ଦେଖି ଧାଇଁଗଲେ ।

ସମାରୋହେ ପାଦତଳେ ସର୍ବେ ଲୋଟିଗଲେ ।୧୭୩।

ଉଠ ସର୍ବେ ରାଜାରାଣୀ ଏମନ୍ତ କ‌ହିଲେ ।

ଯେ ଯାହାର କାର୍ଯ୍ୟକ୍ରମେ ସର୍ବେ ଲିପ୍ତ ହେଲେ ।୧୭୪।

ଅଭିଷେକର ଯୋଗାଡ଼ ମନ୍ତ୍ରୀ କରାଇଲେ ।

ଶୁଭବେଳେ ରାଜାରାଣୀ ଅଭିଷେକ ହେଲେ ।୧୭୫।

ବାଦ୍ୟ ଶବଦରେ ରାଜ୍ୟେ ଆନନ୍ଦ ଲଭିଲେ ।

ନ‌ଗ୍ର ନ‌ଗ୍ର ବୁଲିରାଜା ବ‌ହୁ ଧନ ଦେଲେ ।୧୭୬।

ଆନନ୍ଦ ହୋଇଣ ରାଜା ପ୍ରଜାଙ୍କୁ ପାଳିଲେ ।

ରାଜା ପ୍ରଜା ଆନନ୍ଦରେ ସନ୍ତୋଷ ଲଭିଲେ ।୧୭୭।

ଏହା ପରେ ଶ୍ରୀ ସୁଦଶା ବ୍ରତ ହିଁ ପଡ଼ିଲା ।

ବ୍ରତକରିବାକୁ ରାଣୀ ରାଜାଙ୍କୁ କ‌ହିଲା ।୧୭୮।

ଏମନ୍ତ ଏ ବ୍ରତ ବୋଲି ଇନ୍ଦ୍ରଙ୍କୁ କ‌ହ‌ନ୍ତେ ।

ଇନ୍ଦ୍ର ସ‌ହିତରେ ଶଚୀ ଏ ବ୍ରତ କରନ୍ତେ ।୧୭୯।

ନାରଦ ଋଷିଙ୍କଠାରୁ କଥାକୁ ଶୁଣିଲେ ।

ବ୍ରତକୁ ସମ୍ପୂର୍ଣ୍ଣ କରି ଦକ୍ଷିଣାକୁ ଦେଲେ ।୧୮୦।

ଦକ୍ଷିଣା ପାଇ ନାରଦ ବିଜେ କରିଗଲେ ।

ଏ ବିଧିରେ ନର ନାରୀ ଲକ୍ଷ୍ମୀବ୍ରତ କଲେ ।୧୮୧।

ଯେଉଁ ନର ନାରୀ ଏହି ବ୍ରତକୁ କରନ୍ତି ।

ତାଙ୍କରି କନ୍ଧରୁ ଲକ୍ଷ୍ମୀ କେବେ ନ ଛାଡ଼ନ୍ତି ।୧୮୨।

ଏଣୁ ମହାଲକ୍ଷ୍ମୀ ପାଦେ ଥାଉ ମୋର ମତି ।

ସଦାଜୟେ ସମ୍ପୂର୍ଣ୍ଣ ହେ ସୁଦଶ ବ୍ରତଟି ।୧୮୩।


🌹🌹॥ ଇତି ଶ୍ରୀ ସୁଦଶାବ୍ରତକଥା ସମ୍ପୂର୍ଣ  ॥🌹🌹

Post a Comment

0 Comments