************(ସାବତ ମାଆ)*************
କାକର ଭିଜା ଏଇ ଶୀତ ସକାଳରେ ଅପର୍ଣ୍ଣା ଝର୍କାଟା ଖୋଲି ବଗିଚା ଭିତରକୁ ଚାହିଁ ଉତ୍ଫୁଲିତ ହୋଇଗଲା । ହଳଦିଆ ଗୋଲାପ ଫୁଲ ଗଛରେ ଦରଫୁଟା କଢ଼ିଟା ଶୀତୁଆ ପବନରେ ଥିରି ଥିରି ହୋଇ ଦୋଳି ଖେଳୁଛି .। ଠିକ୍ ଯେମିତି ଦିନେ ପିପି ତା କୋଳରେ ଝୁଲୁଥିଲା ।ଏ ଗୋଲାପ ଗଛଟା ଅପର୍ଣ୍ଣାର ଭାରି ପ୍ରିୟ ।ଏଇଥି ପାଇଁ ପ୍ରିୟ ଯେ ଗଛଟିକୁ ପିପି ତାକୁ ଉପହାର ସ୍ୱରୂପ ଦେଇଥିଲା ବନ୍ଧୁତ୍ୱ ଦିବସରେ।କହିଥିଲା ମାମା ଏ ଦୁନିଆରେ ତମେ ଏକା ମୋର ବେଷ୍ଟ ଫ୍ରେଣ୍ଡ୍ ।ସେଥିପାଇଁ ଏବେ ମଧ୍ୟ ପିପିର ଅନୁପସ୍ଥିତିରେ ସେ ଗଛଟିର ସ୍ଵତନ୍ତ୍ର ଯତ୍ନ ନିଏ ଅପର୍ଣ୍ଣା।
ପିପିକୁ ସେ ଜନ୍ମ ଦେଇ ନ ଥିଲା ନିଜ ଗର୍ଭରୁ ସତ। କିନ୍ତୁ ତା ଜନ୍ମିତ ମାଆର ଅଚାନକ ମୃତ୍ୟୁ ପରେ କୋଳେଇ ନେଇଥିଲା ଆଦରରେ ତାକୁ ନିଜର ସବୁ ସୁଖ ସ୍ଵପ୍ନକୁ ପଛ କରିଦେଇ। ସେତେ ବେଳେ ପିପି ମାତ୍ର ବର୍ଷକର ଛୁଆ ହୋଇଥିଲା। ଆଉ ପପୁ ପାଞ୍ଚ ବର୍ଷର ଥିଲା ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ସହି ନ ପାରି ଅପର୍ଣ୍ଣାର ମା ବାଧ୍ୟ କରିଥିଲେ ଅପର୍ଣ୍ଣାକୁ ରୁଦ୍ର ବାବୁଙ୍କ ସହିତ ଦ୍ଵିତୀୟ ବିବାହ କରିବାକୁ।
ସେଦିନ ମାଆ ବୁଝେଇଥିଲେ ଜୀବନରେ ଅନେକ ସଫଳତା ମିଳିବ ତୋତେ କିନ୍ତୁ ଏ ମା ଛେଉଣ୍ଡ ପିଲା ଦୁଇଟିଙ୍କୁ ମାଆର ସ୍ନେହ ଦେଇ ମଣିଷ କରିପାରିଲେ ଯେଉଁ ସୁଖ ମିଳିବ ତାହାପରି ମୂଲ୍ୟବାନ ସମ୍ପଦ ଆଉ କିଛି ନାହିଁ ଜଗତରେ। ଯିଏ ଅନ୍ୟ ପାଇଁ ନିଜ ଜୀବନର ଛୋଟ ଛୋଟ ସୁଖକୁ ତ୍ୟାଗ କରି ପାରେ ତା ମଣିଷ ହୋଇ ବଞ୍ଚିବାରେ ସାର୍ଥକତା ଆସିଯାଏ ଏମିତି ତ ସମସ୍ତେ ନିଜ ପାଇଁ ବଂଚୁଛନ୍ତି। ଅନ୍ୟ ପାଇଁ ବଞ୍ଚିବା ଗୋଟେ ନିଆରା ଅନୁଭବ । ସେ ମାଆ କୁ ପଚାରିଲା ମୁଁ କଣ ଏତେ ବଡ଼ ଦାୟିତ୍ଵ ନେଇ ସଠିକ୍ ନ୍ୟାୟ ଦେଇ ପାରିବି । ମାଆ ତାକୁ ବୁଝେଇ ଦେଲେ ପାରିବା ନ ପାରିବା ତୋ ଉପରେ ନିର୍ଭର କରେ। ଯଦି ଦୃଢ଼ ବିଶ୍ୱାସ ଓ ଆତ୍ମବଳରଖିବୁ ନିଶ୍ଚୟ ପାରିବୁ। ଅସମ୍ଭବ କିଛି ନୁହେଁରେ ମା ।ମାଆର କଥାକୁ ସେତେବେଳେ ଅପର୍ଣ୍ଣା ଗଭୀର ଭାବରେ ବୁଝି ନ ପାରିଲେ ବି ମାଆ ଯେ ସେ ପିଲାମାନଙ୍କର ଦୁଃଖ ସହି ପାରୁନି ଏତିକି ବୁଝିପାରିଥିଲା ।
ସେ ସୁନ୍ଦରୀ ନ ହେଲେ ବି ଆକର୍ଷଣୀୟ ଥିଲା। ଦର୍ଶନ ବିଭାଗରେ ଅଧ୍ୟାପିକା ଭାବରେ ସରକାରୀ କଲେଜରେ ଚାକିରୀଟେ ମଧ୍ୟ କରିଥିଲା । ବାପା ଇଂଜିନିୟର ଥିଲେ। ପଇସାର ଅଭାବ ନ ଥିଲା ।ଭଲ ଭଲ ବିବାହ ପ୍ରସ୍ତାବ ଆସୁଥିଲା ତା ପାଇଁ। ବାପାଙ୍କ ବିରୋଧ ସତ୍ତ୍ଵେ ମାଆ ଙ୍କ ଇଚ୍ଛା ପୂରଣ ପାଇଁ ସେ ତା ଜୀବନର ଅନେକ ସୁଖ ସୌଭାଗ୍ୟ କୁ ତ୍ୟାଗ କରି ସାଜି ଥିଲା ପିଲା ଦୁଇଟିଙ୍କର ମାଆ ; ଦୁନିଆ ଆଖିରେ ସାବତ ମାଆ।
ନିଜ ସାଙ୍ଗ ସାଥି ମାନେ ଥଟ୍ଟା ମଜା କଲେ ଆରେ ଏମିତି କଣ ହେଲା ଯେ ଚାକିରୀ ଛାଡ଼ି ଦୁଇଟି ପିଲାର ବାପା କୁ ପ୍ରେମ କରି ବସିଲୁ ।ପ୍ରିୟ ବାନ୍ଧବୀ ସର୍ବରୀ ପ୍ରଶ୍ନ କଲା ହଠାତ୍ ବାହା ହେଇ ଯାଉଛୁ । କି ସୁଖ ସେଠାରେ ପାଇବୁ ! ବରଂ ପ୍ରତି ମୁହୂର୍ତ୍ତରେ ଅପମାନିତ ହେବୁ। ତୋ ସରଳତାର ଫାଇଦା ସମସ୍ତେ ନେବେ ତୁ ସାରା ଜୀବନ ଅବହେଳିତ ହୋଇରହିଯିବୁ ।ସେଦିନ ସେ କିଛି ଭାବି ପାରି ନ ଥିଲା। ସର୍ବରୀକୁ ଉତ୍ତର ଦେଲା ଦେଖ ତୁ ମୋର ପ୍ରିୟ ସାଙ୍ଗ , ମୋତେ ସାହାସ ଦେ,ମୋର ମନୋବଳ ଦୃଢ଼ ହେବା ପାଇଁ ଶକ୍ତି ଦେ ,ଆଉ ପ୍ରେରଣା ଦେ ମୁଁ ନେବାକୁ ଯାଉଥିବା ପଦକ୍ଷେପରେ ଯେମିତି ସଫଳ ହୋଇ ନିରୀହ ଦୁଇଶିଶୁ ଙ୍କର ପ୍ରକୃତ ମାଆ ହୋଇପାରିବି। ଏବେ ମନେ ମନେ ନିଜକୁ ପ୍ରସ୍ତୁତ କରୁଥିଲା ଦୁଇ ଛୁଆଙ୍କୁ କିପରି ସବୁ ଖୁସି ଦେଇ ପାରିବ ବୋଲି।
ସର୍ବରୀ ପରି ତାକୁ ନେଇ ପ୍ରଶ୍ନ ଉଠାଉଥିବା ଅନ୍ୟ ଅନେକଙ୍କୁ ବୁଝେଇ ପାରୁ ନ ଥିଲା ସେ.. ତା କଥାକୁ କେହି ବିଶ୍ୱାସ କରୁ ନ ଥିଲେ ଛୁଆ ଦୁଇଟାଙ୍କୁ କେବଳ ମାତୃତ୍ଵର ସ୍ନେହ ଦେବା ପାଇଁ ତା ପରି ଝିଅ !ରୁଦ୍ର ମାଧବଙ୍କ ହାତ ଧରିବ ।
ଯେଉଁ ଦିନ ମନ୍ଦିରରେ ଅପର୍ଣ୍ଣା ରୁଦ୍ରଙ୍କୁ ବାହା ହେଇ ଘରକୁ ଆସିଲା ପପୁ ତାକୁ ମୋତେ ସହଜ ଭାବରେ ଗ୍ରହଣ କରି ପାରି ନଥିଲା।ବରଂ ଏ ନୂଆ ଆଣ୍ଟି ଏଠି ଆମ ଘରେରହିବେ ନାହିଁ ବୋଲି ଜିଦ୍ଦି ଧରିଲା।ସେ ତାଙ୍କ ଘରକୁ ଯାଆନ୍ତୁ। ସେରହିଲେ ମୋ ମାଆ ଆସିଲେ କେଉଁଠି ରହିବ। ପପୁ ବ୍ୟସ୍ତ ହୋଇ ପଡୁଥିଲା .. ଏରୁମ୍ ଟା ମୋ ମାଆର -ଆମର। ସେ ଆଣ୍ଟି ଏଠି ରହିବେନି ବୋଲି କହି ରାହା ଧରି କାନ୍ଦୁ ଥିଲା। ସେ ଅପର୍ଣ୍ଣା କୁରୁମ୍ ଭିତରକୁ ଛାଡି ନ ଥିଲା। କିଛି ସମୟର ନୀରବତା ପରେ ଅପର୍ଣ୍ଣା ସେଦିନ ତାକୁ ଜବରଦସ୍ତ ନିଜ କୋଳକୁ ଭିଡ଼ି ଆଣି ଗପ କହି କହି ଶୁଆଇ ଦେଲା ବେଳେ ପପୁ ଅପର୍ଣ୍ଣାର କାଣି ଆଙ୍ଗୁଠି ଟିକୁ ଜୋରରେ ଭିଡ଼ି ଧରିଥିଲା ଭରସାରେ ।
ଭଲରେ ଚାଲି ଶିଖି ନ ଥିବା ଓ କଥା କହି ପାରୁ ନ ଥିବା ପିପି ତା କୋଳରୁ ଜମା ଓହ୍ଲାଉ ନ ଥିଲା ମୁହୂର୍ତ୍ତଟେ ପାଇଁ।ସେ ଯେମିତି ଗୋଟେ ସୁରକ୍ଷା ବଳୟ ଭିତରେ ଅଛି। ଆଉ କାହାର ଉପସ୍ଥିତି ତାର ଲୋଡ଼ା ନାହିଁ। ତାର ଯେତେ କଣ୍ଢେଇ ଖେଳନା ସବୁ ଆଣି ଅପର୍ଣ୍ଣା ପାଖରେରଖି ଖୁସିରେ ଖେଳୁଥିଲା ।ବୁଝିପାରି ନ ଥିଲା ଅପର୍ଣ୍ଣା ହସିବ ନା ଚିତ୍କାର କରି କାନ୍ଦିବ ।ଏବେ ବାସ୍ତବତାକୁ ସାମନା କରିବାକୁ ତାକୁ ଭୟ ବି ଲାଗୁଥିଲା ।ସେ ପାରିବ ତ ! ଛୁଆ ଦୁହିଁଙ୍କୁ ନିଜର କରି। ପୁଣି ମନକୁ ଦୃଢ଼ କରୁଥିଲା ହଁ ନିଶ୍ଚୟ ପାରିବ !
କେମିତି ଛୁଆ ଦୁଇ ଜଣଙ୍କୁ ନିଜର କରିରଖିବ ତାଙ୍କର ଯତ୍ନ ନେଇପାରିବ ଦିନରାତି ସେହି କାମରେ ବ୍ୟସ୍ତରହିଲା ଅପର୍ଣ୍ଣା। ଦିନ କେଇଟା ଭିତରେ ମାଆ ଛେଉଣ୍ଡ ଛୁଆ ଦିଟାଙ୍କୁ ନିଜର କରିନେଲା ସେ। କ୍ରମଶଃ ପପୁ ବି ତାକୁ ଆଣ୍ଟି ବଦଳରେ ମାମା ଡାକିଲା। ସେ ଖୁସି ହେଉଥିଲା ଛୁଆ ମାନଂକ ସହିତ ମିଶି। ଚେଷ୍ଟା କରୁଥିଲା ସେମାନଙ୍କୁ ସବୁ ତକ ଖୁସି ଦେବା ପାଇଁ।ଖାଇବା ପିଇବା ଖେଳିବା କେଉଁଥିରେ ଊଣାରଖୁ ନ ଥିଲା।ଏ ସବୁ ସତ୍ବେ ପାଠ ପଢ଼ାରେ ହେଉ ବା ଅନ୍ୟ କେଉଁ କାମରେ ଛୋଟ ଛୋଟ ଭୁଲ୍ ଦେଖିଲେ ଯଦି ପପୁ କୁ ସେ ଆକଟ କରୁଥିଲା ତେବେ ଶାଶୁ ଦି ପଦ ଶୁଣେ଼ଇ ଦେଉଥିଲେ ।
"ତୁ ସାବତ ମାଆ ଛୁଆ ଜନ୍ମ କରିଥିଲେ ସିନା ଜାଣନ୍ତୁ ତାଙ୍କ ଅଳି ଅର୍ଦ୍ଦଳି କୁ କିପରି ବୁଝିବ ! ତୁ ପାରିବୁନି ।।ଆଗ ନିଜେ ଛୁଆ ଜନ୍ମ କରି ମାଆ ହେଇଯା ଯେ ତା ପରେ ପିଲାଙ୍କ ଅଳି ଅର୍ଦ୍ଦଳି ବୁଝି ଶାସନ କରିବୁ । "ନଣନ୍ଦ ମାନେ ଆସିଲେ ପ୍ରତି କଥାରେ ଅପର୍ଣ୍ଣା କୁ ଦୁଇ ଚାରି ପଦ ଶୁଣେଇ ଦେଉଥିଲେ, ।ତାକୁ ଦେଖେଇ ଦେଖେଇ ଶାଶୁ ଙ୍କୁ କହୁଥିଲେ "ଭାଇ ବାହା ହେଇ ଭୁଲ୍ କଲା ବୋଉ। ଇୟେ କଣ ଛୁଆଙ୍କୁ ସମ୍ଭାଳିବେ ନିଜକୁ ସମ୍ଭାଳି ଶିଖନ୍ତୁ। ଖାଲି ଶାଢ଼ୀ ଗହଣା ସିନ୍ଦୂର ପିନ୍ଧି କଣ୍ଢେଇ ପରି ସଜେଇ ହେଲେ କଣ ହେବ ଛୁଆଙ୍କର ମାଆ ହେବା ଏତେ ସହଜ ନୁହେଁ ।ହେଇ ପାରିବେନି ମଧ୍ୟ ।ଜନ୍ମ କରିଥିଲେ ସିନା ଜାଣନ୍ତେ ଛୁଆଟେ କେମିତି ଛୋଟରୁ ବଡ଼ ହୁଏ। ଛୁଆ ମାନେ ସେମିତି ଆମ ଦେଖା ଚାହାଁରେ ବଡ଼ ହେଇ ଯାଇଥାନ୍ତେ। କଥାରେ କହନ୍ତି ପରା ସାବତ ମାଆ ଡାହାଣୀ ଠାରୁ ବି ଭୟଙ୍କର।"
ବୁଝି ପାରୁ ନ ଥିଲା ଅପର୍ଣ୍ଣା ତାର ଭୁଲ୍ କେଉଁଠି ? ତାରା କଣ ଛୁଆ ଙ୍କୁ ଶାସନ କରିବା ଭୁଲ, ଛୁଆ ଦୁଇଟିଙ୍କୁ କିଛି ଶିଖେଇବା ଅଧିକାର ନାହିଁ ? ସବୁ ଛୁଆଙ୍କୁ ସ୍ନେହ ମମତା ଭଲ ପାଇବା ସହିତ କିଛି ଅନୁଶାସନ ବି ଦରକାର। ନ ହେଲେ ଭଲ ମଣିଷ ହେବେ କେମିତି?
ତାର ବ୍ୟସ୍ତତାକୁ ରୁଦ୍ରମାଧବ ବୁଝି ପାରିଥିଲେ। ତାକୁ କହିଲେ ଏତେ ବ୍ୟସ୍ତ ହେବା ଦରକାର ନାହିଁ ମୁଁ ଜାଣିଛି ତୁମେ ତୁମ କର୍ତ୍ତବ୍ୟ କରୁଛ ଏବଂ ପିଲା ମାନ ଙ୍କର ଠିକ୍ ଯତ୍ନ ନେଉଛ ,ଅନ୍ୟ ମାନଙ୍କ କଥା ଶୁଣି ମନ ଖରାପ୍ କରନି। । ମୁଁ କାହାକୁ କହିବି କଣ ବା କହିବି! ନୀରବ
ରହୁଚି। । ମୋ ଅବସ୍ଥା ଟିକେ ବୁଝିବାକୁ ଚେଷ୍ଟା କରିବ । ଅପର୍ଣ୍ଣାରୁଦ୍ର ଙ୍କୁ କାହାକୁ କିଛି ନ କହିବା ପାଇଁ ମଧ୍ୟ ଅନୁରୋଧ କଲା। ନହେଲେ ଘର କଥା ବାହାରକୁ ଯିବ । ସମସ୍ତେ ତାକୁ ହିଁ ଇଙ୍ଗିତ କରି ଦି ପଦ କହିବେ। ।ତେଣୁ ଉଭୟ ନୀରବ ରହିଲେ। .
.କିନ୍ତୁ ଧୀରେ ଧୀରେ ପପୁ ପ୍ରତିବାଦ କରିଲା ତା ମାମା କୁ କିଏ କିଛି କହିଲେ? ଆସ୍ତେ ଆସ୍ତେ ଶାଶୁ ନଣନ୍ଦଙ୍କ ଆଧିପତ୍ୟ କମି କମି ଗଲା ସେହି ଘରେ।। ତାରି ଭିତରେ ସମୟ ଗଡି ଚାଲିଲା ,ପିଲା ବି ବଡ ହୋଇଗଲେ। ପିଲା ମାନଙ୍କ ଖୁସି ପାଇଁ ସେ ନିଜ ଗର୍ଭରୁ ଶିଶୁଟେ ଜନ୍ମ ପାଇଁ କେବେ ଇଚ୍ଛା କରିନି । କାଳେ ମାତୃତ୍ଵ ଆଳରେ ଛୁଆ ଦୁହିଁ ଙ୍କୁ ଅବହେଳା କରିଦେବ ସେହି ଭୟରେ ।ନିଜ ମାଆକୁ ଦେଇଥିବା କଥା ସେ ମନ ପ୍ରାଣ ଦେଇ ପାଳିବାକୁ ଚେଷ୍ଟା କରୁଥିଲା।
ଚାରି ଜଣଙ୍କୁ ନେଇ ତାଙ୍କ ଖୁସିର ସଂସାର ଟା ହସି ଉଠିଲା ବେଳେ ସମୟ ଚକ ଘୁରିଗଲା । ଅଶାନ୍ତିର ଝଡଟେ ପରିବାରରେ ବୋହିଗଲା । ତାଙ୍କ ଛୋଟ ଝିଅ ପିପି ବଡ଼ ହେଲା ପରେ ମସ୍ତ ବଡ ଭୁଲ୍ ଟେ କରିବସିଲା। ନିଜର ଗୋଟେ ସାଙ୍ଗର ଭାଇ ସହିତରାତି ଅନ୍ଧାରରେ ଘରୁ ଲୁଚି ପଳେଇଗଲା ।ତାର ସେ ପ୍ରେମ ବିଷୟରେ ସମ୍ୟକ୍ ସୂଚନା ପାଇ ପାରିଲାନି ଅପର୍ଣ୍ଣା।କେମିତି ଜାଣି ପାରିଲାନି କେଜାଣି?ସେଦିନ ସେ ନିଜେ ନିଜକୁ ଦୋଷୀ କରି କାଠ ଗଡାରେ ଠିଆ କରିଦେଲା।ଛୋଟରୁ ଛୋଟ କଥା ସବୁ ଅପର୍ଣ୍ଣା ସହିତ ବାଣ୍ଟି ତାର ମତାମତ ଲୋଡୁଥିବା ପିପି ଜୀବନର ଏତେବଡ଼ ଫଇସଲା ଏକା ଏକା କରିଦେଲା..ଅଥଚ ସେ ସୁରାକ ଟିକିଏ ପାଇ ପାରିଲାନି। କଣ କମି ଥିଲା ତା ଭଲ ପାଇବାରେ ! କାହିଁକି ଏମିତି କଲା ପିପି ।ଏଥର ନଣନ୍ଦ ମାନେ ଓ ପିପିର ନିଜ ମାମୁଁ ମାଇଁ ମାଉସୀ ଓ ମଉସା ମାନେ ତା ଉପରେ ସବୁ ଦୋଷ ଲଦି ଦେଲେ।ତାର ଅବହେଳା ଦାୟିତ୍ବହୀନତା ଯୋଗୁଁ ଏତେ ବଡ଼ ଭୁଲ୍ କରି ବସିଲା ପିପି । ପିପି ଛୁଆଟେ ଭଲ ମନ୍ଦ କିଛି ଜାଣିନି ଅପର୍ଣ୍ଣା ତାକୁ ନିଜ ଆୟତ୍ତ ଭିତରେରଖି ପାରିଲାନି..।
ଅପର୍ଣ୍ଣା ନିଜକୁ ନିଜେ ବାରମ୍ବାର ପ୍ରଶ୍ନ କଲା ସତରେ କଣ ସବୁବେଳେ ସେ ସାବତ ମାଆ ହୋଇରହିଗଲା, ପିଲାମାନଙ୍କର ମାଆ ହୋଇ ପାରିଲାନି। ତାର ଏତେ ତ୍ୟାଗର ମୂଲ୍ୟ କିଛିରହିଲାନି। ମରିବା ଯାଏଁ କଣ ଏ ସାବତ ମାଆ ଶବ୍ଦର ଲାଞ୍ଛନା ତା ସହିତ ଯୋଡି ହୋଇ ରହି ଥିବ । ସେ ବିନା ପ୍ରତିବାଦରେ ସବୁ ସହି ଚାଲିଥିବ।
ଅଲିଅଳି ପିପିର ବାହାଘର ବଡ଼ ଜାକଜମକରେ କରିବେ ବୋଲି କେତେ ଯୋଜନା ସେମାନେ କରିଥିଲେ। କେଉଁ କଥାରେ ବା ଅଭାବ ଥିଲା ଯେ କାହାକୁ ନ ଜଣେଇ ଘରୁ ଗୋଡ଼ କାଢି ଚାଲିଗଲା ଏମିତି ସମସ୍ତଙ୍କ ମୁଣ୍ଡ ତଳକୁ କରିଦେଇ। ସେ ଦିନଠାରୁ ପ୍ରାୟ ଦୁଇ ବର୍ଷ ହେଲାଣି ପିପି କୁ ଏ ଘର ଦୁଆର ମନା ।ହଁ !ଏତେ ପରେ ପିପି ଯଦି ତା ଶାଶୁ ଘରେ ଭଲରେ ଥାଆନ୍ତା ,! ହୁଏ ତ ତା ମାଆ ମନକୁ ଟିକେ ସାନ୍ତ୍ଵନା ମିଳି ଥାଆନ୍ତା।
ସମସ୍ତେ ଅଭିମାନରେ ଅଛନ୍ତି ନିଜ ନିଜ ଅହଙ୍କାରକୁ ଧରି। କେହି ବୁଝନ୍ତି ନାହିଁ ତାଙ୍କ ମାଆ ମନ କଣ ଚାହେଁ । ନିଜ ସ୍ନେହ ମମତାରେ ଗଢା କଣ୍ଢେଇଟା ଶାଶୁ ଘରେ ନିଜ ବାପଘର କଥା କୁ ନେଇ କେତେ ଯେ କଥା ଶୁଣୁ ନ ଥିବ ।.. ସହୁ ଥିବା ଦୁଃଖକୁ କାହା ଆଗରେ ମନ ଟା ଖୋଲି ଦେଇ କହି ପାରୁ ନ ଥିବ ବିଚାରୀ । ଭୁଲ୍ ହେଉ ବା ଠିକ୍ ଯାହା ହେଇ ଗଲାଣି ତାକୁ ସମସ୍ତେ ଭୂଲି ଯିବାକୁ ବାରମ୍ବାରରୁଦ୍ର ଓ ପପୁ କୁ ସେ ବୁଝେଇ ଆସୁଥିଲା । ଅଭିମାନ ଓ ଅହଙ୍କାରର ବଳୟ କୁ ଭେଦି ସେମାନଙ୍କୁରାଜି କରେଇ ପରି ନ ଥିଲା ପିପିର ଭୁଲ କୁ କ୍ଷମା କରିଦେବା ପାଇଁ। ପିପି ତା କୃତକର୍ମର ଫଳ ଭୋଗୁଛି ପରବାରର ସମସ୍ତଙ୍କ ଠାରୁ ଦୂରରେରହି।
ଏବେ ପପୁର ବାହାଘର ଆୟୋଜନ ଜୋରରେ ଚାଲିଛି ପ୍ରାୟତଃ ଠିକ୍ ହୋଇ ଯିବା ଉପରେ। ଗୋଟିଏ ବୋଲି ଭଉଣୀ ପିପି ସେ ନ ଆସିଲେ ବାହାଘରଟା କଣ ବାହାଘର ପରି ଲାଗିବ।ତେଣୁ ଏବେ ଅପର୍ଣ୍ଣା ଜିଦି ଧରିଥିଲେ ବାସ୍ ବହୁତ ହେଇଗଲା ଏଥର ଆଉ ତମ ମାନଙ୍କ ଜିଦି ଓ ଅହଙ୍କାର ଆଗରେ ମୁଁ ମୋର ମାତୃତ୍ଵକୁ ବଳି ଦେଇ ପାରିବିନି ।ତମେ ବାପା ପୁଅ ଦୁଇ ଜଣ ଯାକ ତୁମ ଅଭିମାନରେ ରୁହ ମୁଁ କିନ୍ତୁ ଆଉ ଚୁପ୍ ରହି ପାରିବିନି।ମୁଁ ମୋ ଝିଅ କୁ ଦେଖା କରିବାକୁ ଯିବି।
ଅପର୍ଣ୍ଣା ମନର ଶୂନ୍ୟତା ଓ ଦୁଃଖକୁ ବୁଝି ପାରିଥିଲେ ପପୁ ଓରୁଦ୍ର ବାବୁ। ପ୍ରକାଶ ନ କଲେ ମଧ୍ୟ ସେମାନଙ୍କ ମନ ବି ଖୋଜୁଥିଲା ଅଲିଅଳି ପିପିର ଉପସ୍ଥିତି । ଦୀର୍ଘ ଦୁଇବର୍ଷ ହେଲଣି ସମ୍ପର୍କ ନାହିଁ।
ଏତେ ଦିନ ପରେ ସବୁ ସମସ୍ୟା ସମାଧାନର ବାଟ ଫିଟିଛି। ଆଜି ଝିଅ ଜୋଇଁ ପ୍ରଥମ ଥର ପାଇଁ ଘରକୁ ଆସିବେ ସେଥି ପାଇଁ ସକାଳୁ ତା ଗୋଡ଼ଟା ଜମା ତଳେ ଲାଗୁନି। ସେ ସିନା ଦେବକୀ ହୋଇ ଜନ୍ମ ଦେଇନି କିନ୍ତୁ ଯଶୋଦା ମାଆ ତ ।ତାକୁ ଜଣା ତା ଛୁଆ ଙ୍କର ପସନ୍ଦ ଓରୁଚି।ଝିଅର ପସନ୍ଦ ମୁତାବକ ରୋଷେଇ କରିବେ ବୋଲି ଲମ୍ବା ଲିଷ୍ଟ ଟେ ସକାଳୁ ଧରେଇ ଦେଇଛନ୍ତି ରୁଦ୍ରବାବୁଙ୍କୁ। ଲିଷ୍ଟ କୁ ହାତରେ ଧରିରୁଦ୍ର ବାବୁ ପଢ଼ି ଚାଲିଲେ ମଟନ, ଚିକେନ ଚିଙ୍ଗୁଡ଼ି , ଚୁନା ମାଛ ,ଛତୁ, ପନୀର୍, ପଣସ କଠା, କଖାରୁ ଫୁଲ , ପୋଟଳ , ବାଇଗଣ ଛେନା ପୋଡ଼ା , ଛେନଝିଲି , ଷ୍ଟିମ୍ ,ବର୍ଫି ,ରସ ମଲାଇ ।ଲିଷ୍ଟ ପଢ଼ି ସାରି ତାକୁ ଚିଡ଼େଇବା ପାଇଁରୁଦ୍ର ବାବୁ କହିଁଲେ ହଇଓ ତମ ଝିଅ ଜୋଇଁ କଣଏତେ ସବୁ ଜିନିଷ ଏକା ଥରକେ ଖାଇବେ !
ଅପର୍ଣ୍ଣା ଚିଡି ଉଠି କହିଲା ତମର ମୋ ମୁଣ୍ଡ ଖରାପ କରିବା ଦରକାର ନାହିଁ। ତମେ କେମିତି ବୁଝିବ..। କାହିଁ କେତେଦିନ ହେଇ ଗଲାଣି ମୁଁ ହାତରେରାନ୍ଧି ମୋ ଝିଅକୁ ଗଣ୍ଡେ ପେଟପୁରା ଖାଇବାକୁ ଦେଇନି। ଯୁଗ ଟେ ପରି ଲାଗୁଛି।
କଣ ଦିଟା ହାତରେ ରାନ୍ଧିଦେଇ ବାଢ଼ି ଖାଉଥିବ। ସବୁ ଜିନିଷ ପାଖରେ ଥିଲେ ଆଜି ସେ ଯାହା କହିବ ମୁଁ ତାକୁ ତା ପସନ୍ଦ ମୁତାବକ ସେଇ ତରକାରୀ ରୋଷେଇ କରି ଖାଇବାକୁ ଦେବି । ତମେ ସେ କଥା ବୁଝିପାରିବ ନାହିଁ।ହଁ ମୁଁ ଜାଣେ ବା ତମେ ସିନା ଅଭିମାନରେ ଏତେ ଦିନରହିଗଲ ନହେଲେ ତମ ମନବି ଝିଅ ପାଟିରୁ ବାପା ଡାକ ଟା ଶୁଣିବାକୁ ସେତିକି ବ୍ୟଗ୍ର ହେଉଥିବ. ଯେମିତି ମୋ ମନ..ମା ଶବ୍ଦ ପାଇଁ ହେଉଛି ।ଯାହା ବିତି ଯାଇଛି ତାକୁ ଆଉ ମନେ ପକେଇ ସେମାନଙ୍କୁ କାଠଗଡାରେ ଠିଆ କରିବା ନାହିଁ। ସେ ସମୟ ଫେରି ଆସିବନି। ଆମେ ପୁଣି ନୂଆ ଭାବରେ ତାକୁ ସ୍ବାଗତ କରିବା ।ସେମାନେ ଖୁସିରେରହିଲେ ଆମେ ଖୁସି ହେବା ।ଏବେ ତମେ ଶୀଘ୍ର ବଜାର ଯାଅ ଡେରି ହେଇଯିବ।ସେମାନେ ଆସି ପହଂଚି ଯିବେ।
ରୁଦ୍ର ବାବୁ ମାର୍କେଟ ବାହାରି ଗଲା ବେଳେ ଭାବୁଥିଲେ ସାବତ ମାଆର ଲାଂଚ୍ଛନା ଓ ଅପମାନ କୁ ଆଖିବୁଜି କେମିତି ସହିଯାଏ ଅପର୍ଣ୍ଣା କେଜାଣି? ନିଜକୁ ନିଜେ ପ୍ରଶ୍ନ କରୁଥିଲେ ଅପର୍ଣ୍ଣା କଣ ସତରେ ସାବତ ମା ! ଅସ୍ପଷ୍ଟ ଭାବରେ ପାଟିରୁ ବାହାରି ଆସିଲା ନା ଅପର୍ଣ୍ଣା ତୁମେରକ୍ତ ମାଂସର ମଣିଷ ନୁହେଁ ବରଂ ଚୀର ନମସ୍ୟା ଦେବୀଟିଏ।
ରୁଦ୍ର ବାବୁ ବଜାର ଚାଲିଗଲା ପରେ ଅପର୍ଣ୍ଣା ବସି ପଡ଼ି ମନେ ମନେ ଭାବୁଥିଲା ଥରେ ଝିଅଟା ମୋର ଆସି ଖାଲି କାନ୍ଧରେ ଓହଳି ଯାଉ। ତାକୁ ଟିକେ ମନ ପୁରେଇ ଦେଖିଦେଲେ ମୋ ଆତ୍ମାକୁ ଶାନ୍ତି ମିଳିବ। ଉଭୟଙ୍କର ଛାତି ତଳେ ବହୁତ ଦିନରୁ ଜମା ଟ ବାନ୍ଧିଥିବା ବରଫ ଗୁଡା ତରଳି ଝରି ଯିବ ଦୁଇ ଆଖିରୁ। ମନ ହୋଇ ଯିବ କାଗଜ ଠାରୁ ହାଲ୍କା..।
0 Comments