ନୟାଗଡ଼ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ* *ମନରେଗା ଓ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକୁ ଗୁରୁତ୍ଵ*

 




ଆଜି ସନ୍ଧ୍ୟାରେ ନୂଆଗାଁ ବ୍ଲକ୍ ସଭା ଗୃହରେ ନୟାଗଡ଼ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ରନାଥ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ନୂତନ ଭାବେ ଯୋଗ ଦେବା ପରେ ଜିଲ୍ଲାପାଳ ଶ୍ରୀ ସାହୁ ଆଜି ପ୍ରଥମ କରି ନୂଆଗାଁ ବ୍ଲକ୍ କୁ ଆସି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଗ୍ରାମୀଣ ଗୃହ ନିର୍ମାଣ ଯୋଜନା, ସ୍ୱଚ୍ଛ ଭାରତ ମିଶନ, ପରିମଳ ଯୋଜନା, ଅଙ୍ଗନବାଡି ଓ ମିଶନ୍ ଶକ୍ତି ଆଦି ଯୋଜନାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରିଥିଲେ। ବିଶେଷ କରି ପ୍ରତି ପଞ୍ଚାୟତ ରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବିଭିନ୍ନ ପ୍ରକଳ୍ପ ସବୁ ଶୀଘ୍ର ଆରମ୍ଭ କରି ଅଧିକରୁ ଅଧିକ ଶ୍ରମ ଦିବସ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ମନରେଗା ଯୋଜନାରେ ସରକାରଙ୍କ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ସାହୁ ସମସ୍ତ ଜିଆରେସ, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।


ସେହିପରି ସ୍ୱଚ୍ଛ ଭାରତ ମିଶନ ରେ କମ୍ପୋଷ୍ଟ୍ ଓ ସୋକ୍ ପିଟ୍ ଏବଂ ଲିଚ୍ ପିତ୍ ଆଦି କାର୍ଯ୍ୟ ସମ୍ପୂର୍ଣ କରିବା ପାଇଁ କନିଷ୍ଠ ଯନ୍ତ୍ରୀ ମାନଙ୍କୁ କହିଥିଲେ। ସମୀକ୍ଷା ବୈଠକ ରେ ଉପସ୍ଥିତ ନୟାଗଡ଼ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସୁବାସ ଚନ୍ଦ୍ର ରାୟ ଅଙ୍ଗନବାଡି ଓ ମିଶନ ଶକ୍ତି ଭବନ ନିର୍ମାଣ କାର୍ଯ୍ୟ ସବୁ ଶୀଘ୍ର ସମ୍ପୂର୍ଣ କରିବା ପାଇଁ କନିଷ୍ଠ ଯନ୍ତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ବ୍ୟତୀତ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସୁବାସ ଚନ୍ଦ୍ର ରାୟ ମନରେଗା ଯୋଜନାରେ ପ୍ରତି ପଞ୍ଚାୟତ ରେ ପାର୍କ, ଅମୃତ ସରୋବର, ପାଠାଗାର, ଖେଳ ପଡିଆ, ଗାଈ ଗୁହାଳ, ଛେଳି ଗୁହାଳ ଓ କୁକୁଡ଼ା ଘର ଆଦି ବହୁ ସଂଖ୍ୟାରେ ନିର୍ମାଣ କରିବା ପାଇଁ କହିଥିଲେ। ବିଭିନ୍ନ ଯୋଜନା ରେ ସମସ୍ତ କାର୍ଯ୍ୟ ସଠିକ୍ ସମୟରେ ସମ୍ପୂର୍ଣ କରି ନୂଆଗାଁ ବ୍ଲକ୍ ଜିଲ୍ଲାରେ ଭଲ କରିବ ବୋଲି ବିଡ଼ିଓ ଶ୍ରୀ ପ୍ରମୋଦ କୁମାର ନାୟକ ପ୍ରତିଶ୍ରୁତି ଦେଇଥିଲେ। ଏପିଓ ଶ୍ରୀ ଅମରେନ୍ଦ୍ର ସାହୁ ମନରେଗା ଯୋଜନାର ସମସ୍ତ ରିପୋର୍ଟ ଉପସ୍ଥାପନା କରିଥିଲେ। ବିଆରସି କାହୁଁ ଚରଣ ବେହେରା ସ୍ବଚ୍ଛ ଭାରତ ମିଶନ ଓ ବିପିସି କାର୍ତ୍ତିକ ଦାସ ଗ୍ରାମୀଣ ଗୃହ ନିର୍ମାଣ ଯୋଜନା ର ରିପୋର୍ଟ ଉପସ୍ଥାପନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଶୁଭଶ୍ରୀ ପଣ୍ଡା, କମ୍ପ୍ୟୁଟର ପ୍ରୋଗ୍ରାମର ତୁଷାର କାନ୍ତ ପାଣିଗ୍ରାହୀ, NREGS ASST ଆଶୁତୋଷ ମିଶ୍ର ଉପସ୍ଥିତ ଥିଲେ।

Post a Comment

0 Comments