ଆଠଗଡ,/ କଟକ ଜିଲ୍ଲା ଆଠଗଡ ଉପଖଣ୍ଡ ଅନ୍ତର୍ଗତ ତିଗିରିଆ ବ୍ଲକର ଭିରୁଡ଼ା ଏବଂ ଆଠଗଡ ବ୍ଲକର କୋରଙ୍ଗା ଗ୍ରାମ ଦେଶୀମଦ ପ୍ରସ୍ତୁତ ପାଇଁ କୁଖ୍ୟାତି ଲାଭ କରିଥିବା ବେଳେ ଅବକାରୀ ମାନଚିତ୍ରରେ ଏହା ସ୍ଥାନିତ ହୋଇଛି। ଶନିବାର ଅବକାରୀ ବିଭାଗ ପକ୍ଷରୁ ଏହି ଦୁଇ ଗ୍ରାମରେ ଚଢାଉ କରାଯାଇ ୧୭୧୫ ଲିଟର ଦେଶୀମଦ ଜବତ ହେବାସହ ବିଭାଗୀୟ ଅଧିକାରୀ ମାନେ ୧୭,୪୩୦ ଲିଟର ପୋଚ ନଷ୍ଟ କରିବାରେ ସଫଳ ହୋଇଛନ୍ତି।ବିଭାଗୀୟ କର୍ମଚାରୀ ମାନେ ଭିରୁଡ଼ାର ବିଭିନ୍ନ ମଦଭାଟିରେ ଚଢାଉ କରିବା ସହ ବିଭିନ୍ନ ଲୋକଙ୍କ ଘରେ ଗଚ୍ଛିତ ଥିବା ଦେଶୀମଦ ଜବତ କରିଥିଲେ। ଜବତ ହୋଇଥିବା ସଂପୃକ୍ତ ବ୍ୟକ୍ତିଙ୍କ ନାମରେ ବିଭାଗୀୟ ମାମଲା ରୁଜୁ ହୋଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ। ଭିରୁଡ଼ା ରେ ଧରପଗଡ ସାରି ବିଭାଗୀୟ ଅଧିକାରୀ ମାନେ ଆତଗଡ ଥାନା ଅନ୍ତର୍ଗତ କୋରଙ୍ଗା ଆସି ସେଠାରେ ଚଢାଉ କରିଥିଲେ। ସେଠାରେ ରନ୍ଧାଯାଉଥିବା ମଦ ଜବତ କରିବା ସହ ମଦ ପ୍ରସ୍ତୁତ ପାଇଁ ରହିଥିବା ପୋଚ ନଷ୍ଟ କରିଥିଲେ। କଟକ ଜିଲ୍ଲା ଅବକାରୀ ଉପ ଅଧିକ୍ଷକ ପ୍ରଭାସ କୁମାର ଚୌଧୁରୀ ,
ଆଠଗଡ ଅବକାରୀ ନିରୀକ୍ଷକ କେଶବ ଚନ୍ଦ୍ର ଦାସ,ଭ୍ରାମ୍ୟମାଣ ଅବକାରୀ ନିରୀକ୍ଷକ ସଞ୍ଜୀବ ବାର୍ଲାଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉରେ ଆଠଗଡ ଅବକାରୀ ଉପ ନିରୀକ୍ଷକ ବିଜୟ କୁମାର୍ ଭଞ୍ଜ,ଭ୍ରାମ୍ୟମାଣ ଉପ ନିରୀକ୍ଷକ ଦୁର୍ଯ୍ୟୋଧନ ଦିଗାଲ,ନରସିଂହପୁର ଅବକାରୀ ବିଭାଗ ଅଧିକାରୀ ଦେବାନନ୍ଦ ଭୂୟାଁ ଙ୍କ ସମେତ ବିଭାଗର ବହୁ କର୍ମଚାରୀ ଏହି ଚଢ଼ାଉରେ ଅଂଶ ଗ୍ରହଣ କରିଥିଲେ।ଚଢାଉ ବେଳେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ୪ ଜଣ ମଦ ମାଫିଆଙ୍କ ନାମରେ ମାମଲା ରୁଜୁ ହୋଇଥିବା ବିଭାଗୀୟ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି। ଆଠଗଡରୁ ମହେଶ ଦାସଙ୍କ ରିପୋର୍ଟ।
0 Comments