ଆଠଗଡ/ ପୁରୁଣା କଟକ - ସମ୍ବଲପୁର ରାସ୍ତାର ନୁଆପାଟଣା ମଧୁସୂଦନ ସେତୁ ଠାରୁ( ଆଠଗଡ ବ୍ଲକ୍ ମଞ୍ଚେଶ୍ୱର ଠାରୁ ଆଠଗଡ ସହର ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି।ଆବଶ୍ୟକ ମରାମତି ଅଭାବରୁ ରାସ୍ତାର ଅବସ୍ଥା ଏପରି ଅବସ୍ଥାରେ ପହଞ୍ଚିଛି ବୋଲି ସାଧାରଣରେ ଅଭିଯୋଗ ହେଉଛି।ରାସ୍ତାର ଅବସ୍ଥା ଏପରି ଅବସ୍ଥାରେ ପହଞ୍ଚିଛି ଯେ,ଏବେ ଏହା ସାଧାରଣ ଯାତ୍ରୀଙ୍କ ପାଇଁ ମରଣ ଯନ୍ତା ପାଲଟିଛି। ନୁଆପଟଣା ଠାରେ ମହାନଦୀ ଉପରେ ସେତୁ ନିର୍ମାଣ ପରେ ଏହି ରାସ୍ତାର ଗୁରୁତ୍ଵ ବଢି ଯାଇଛି। ଉପକୂଳ ଜିଲ୍ଲା ତଥା ରାଜଧାନୀ ଭୁବନେଶ୍ୱର ସହିତ ଯୋଗାଯୋଗ ସୁଗମ ହୋଇଛି।ରାସ୍ତାର ଦୂରତା ମଧ୍ୟ ଢେର୍ କମିଛି। ତେଣୁ ଏହି ରାସ୍ତା ଏବେ ଏହି ଅଞ୍ଚଳର ଜୀବନରେଖା ଭଳି କାମ କରୁଛି।ଦୈନିକ ହଜାର ହଜାର ସଂଖ୍ୟାରେ ଯାନ ବାହନ ଏହି ରାସ୍ତାଦେଇ ଯାତାୟାତ କରୁଛି। ତେବେ ଏହି ବ୍ୟସ୍ତ ବହୁଳ ରାସ୍ତା ପ୍ରତି ବିଭାଗୀୟ ବୈମାତୃକ ମନୋଭାବ ଯୋଗୁଁ ଏହା ମରାମତି ହୋଇ ପାରୁନି ବୋଲି ସାଧାରଣରେ ଅଭିଯୋଗ ହେଉଛି।ସୂଚନା ଯୋଗ୍ୟ ଯେ,ଆଠଗଡ ଏକ ସଂସ୍କୃତି ସମ୍ପର୍ଣ୍ଣ ଅଞ୍ଚଳ ହୋଇଥିବା ବେଳେ ଏହି ରାସ୍ତା ପାର୍ଶ୍ବରେ ରାଜ୍ୟର ପ୍ରାଚୀନ ଶୈବପୀଠ ଭାବେ ପରିଚିତ ପ୍ରଭୁ ଧବଳେଶ୍ଵର ଙ୍କ ମନ୍ଦିର ରହିଥିବା ବେଳେ କାର୍ତ୍ତିକ ମାସରେ ପ୍ରଭୁଙ୍କ ମହାନ୍ ପର୍ବ "ବଡ଼ଓଷା"ପାଳନ ହୋଇଥାଏ ଏବଂ ଏହି ସମୟରେ ପୀଠକୁ ଲକ୍ଷାଧିକ ଭକ୍ତ ଙ୍କ ସମାଗମ ହୋଇଥାଏ।
ଏହାକୁ ଦୃଷ୍ଟିରେ ରଖି ଉକ୍ତ ରାସ୍ତାର ଆଶୁ ମରାମତି ଆବଶ୍ୟକ। ଏହି ପ୍ରମୁଖ ରାସ୍ତାଟି ଏବେ ଶୋଚନୀୟ ହୋଇପଡ଼ି ଖାଲ ଖମାରେ ପରିଣତ ହୋଇଥିବାରୁ ସମ୍ପ୍ରତି ବହୁ ଦୁର୍ଘଟଣା ଘଟିବା ସହ ଅନେକ ଯାତ୍ରୀ ଆହତ ହେଉଛନ୍ତି। ତେଣୁ ଆଠଗଡ ଯୁବ ସଂଗଠନ ପକ୍ଷରୁ ଏହି ରାସ୍ତାର ଆଶୁ ମରାମତି ଦାବିକରି ଗୁରୁବାର ରାସ୍ତା ଓ ଗୃହନିର୍ମାଣ ବିଭାଗର କଟକସ୍ଥିତ ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ଏକ ଦାବିପତ୍ର ଦିଆ ଯାଇଛି।ଯୁବ ସଂଗଠକ ଅଭୟ କୁମାର ବାରିକଙ୍କ ନେତୃତ୍ୱରେ ପୂର୍ବତନ ସରପଂଚ ସୁନିଲ କୁମାର ସୁତାର,ମନୋଜ କୁମାର ରାଉତ, ଗଗନ ବାରିକ,ଆଲୋକ କୁମାର୍ ମହାନ୍ତି,ସୁରେଶ ରାଉତ ପ୍ରମୁଖ ସ୍ଥାନୀୟ ଲୋକମାନେ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରି ୭ ଦିନ ମଧ୍ୟରେ ଏହି ରାସ୍ତାର ଆଶୁ ମରାମତି ପାଇଁ ଦାବି କରିଛନ୍ତି।ନଚେତ୍ ଲୋକମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ଏବଂ ଏଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଚେତାବନୀ ଦେଇଛନ୍ତି।ଏହି ଦାବିପତ୍ରର ନକଲ ଆଠଗଡ ଉପଜିଲାପାଳ ଙ୍କ ସମେତ ବିଭାଗୀୟ ଅଧିକାରୀ ମାନଙ୍କୁ ଦିଆଯାଇଛି। ଆଠଗଡ ରୁ ମହେଶ ଦାସଙ୍କ ରିପୋର୍ଟ।
0 Comments