ନୟାଗଡ଼, ୧୦/୧୧: ସମୃଦ୍ଧ ଭାଷା, ସମୃଦ୍ଧ ଓଡ଼ିଶା ଓ ଓଡ଼ିଆ ଅସ୍ମିତାର ପରିଚୟ ବାର୍ତ୍ତାକୁ ନେଇ ସ୍ଥାନୀୟ ନବଘନପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଜିଲ୍ଲାପାଳ ମଧୁମିତା ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁମାନେ ନିଜସ୍ୱ ଜ୍ଞାନ, ଚିନ୍ତନ ଓ ସୃଜନଶୀଳତାର ବିକାଶ କରିବାକୁ ଆହ୍ୱାନ ଦେଇଥିଲେ। ମୁଖ୍ୟବକ୍ତା ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମାତୃଭାଷାର ଗୁରୁତ୍ୱ, ସ୍ୱ-ଶିକ୍ଷଣ ଓ ଶିକ୍ଷକଙ୍କ ଆଦର୍ଶ ଅନୁସରଣ ଉପରେ ମତ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରିଣୀ ଗୀତାଞ୍ଜଳି ସାହୁ, ବନଲତା ବେହେରା ଏବଂ ସନ୍ଧ୍ୟାରାଣୀ ରାଉତ ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୋଗେନ୍ଦ୍ର କୁମାର ପ୍ରଧାନ ମଞ୍ଚାସୀନ ଥିଲେ । ଏହି ମହୋତ୍ସବରେ ଚତୁର୍ଥରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ରଚନା, କୁଇଜ୍, ଚିତ୍ରାଙ୍କନ, ବିତର୍କ, ସୃଜନଶୀଳ ଲିଖନ ଓ ସାଂସ୍କୃତିକ ପ୍ରତିଯୋଗିତା ହୋଇଥିଲା। କୃତୀ ପ୍ରତିଯୋଗୀଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ ସହ ବିଭିନ୍ନ ବିଭାଗର ପ୍ରଥମ ସ୍ଥାନ ଅଧିକାରୀକୁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ କରାଯାଇଥିଲା।
ଦ୍ୱିତୀୟ ଅଧବେଶନରେ ବିଧାନସଭା ବାଚସ୍ପତି ସୁରମା ପାଢ଼ି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କ ମଧ୍ୟରେ ଥିବା ଅପାର ପ୍ରତିଭାକୁ ଚିହ୍ନଟ କରି ତାହାର ବିକାଶ ପାଇଁ ସୁରଭି ଏକ ଉତ୍କୃଷ୍ଟ ମଞ୍ଚ ବୋଲି ସେ ମତ ଦେଇଥିଲେ। ମୁଖ୍ୟବକ୍ତା ଭାବେ ପୁରୀ ଲୋକସଭା ସାଂସଦ ଡ଼ ସମ୍ବିତ ପାତ୍ର ଯୋଗଦେଇ ପିଲାମାନଙ୍କୁ ସୋସିଆଲ ମେଡ଼ିଆ ତଥା ମୋବାଇଲରୁ ନିଜକୁ ଦୂରେଇ ରଖି ନିଜ ପିତାମାତାଙ୍କ ସହିତ ସମୟ ବିତାଇବାକୁ ପରାମର୍ଶ ଦେଇଥିଲେ। ସେହିପରି ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ନିଜ ବକ୍ତବ୍ୟରେ ନିଷ୍ଠା ଓ କଠିନ ପରିଶ୍ରମ ମାଧ୍ୟମରେ ନିଜ ଲକ୍ଷ୍ୟ ହାସଲ କରିବାକୁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ଦଶପଲ୍ଲା ବିଧାୟକ ରମେଶ ବେହେରା, ଖଣ୍ଡପଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଦୁଷ୍ମନ୍ତ ସ୍ୱାଇଁ, ନୟାଗଡ଼ ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ନିଜ ସ୍ୱପ୍ନ ସହ ପିତାମାତାଙ୍କ ସ୍ୱପ୍ନକୁ ମଧ୍ୟ ସାକାର କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହା ସହିତ ଓଡ଼ିଆ ଭାଷା ଓ ସଂସ୍କୃତିର ସମୃଦ୍ଧି ସହ ଶିଶୁ ପ୍ରତିଭାକୁ ଉତ୍ସାହ ବର୍ଦ୍ଧନ ଉପରେ ଗୁରୁତ୍ୱ ଦେଇଥିଲେ। ଉଭୟ ଅଧିବେଶନରେ ସାମ୍ବାଦିକ ଜୟେନ୍ଦ୍ର ବେହେରା ମଞ୍ଚ ସଂଯୋଜନା କରିଥିବା ବେଳେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରିଣୀ ଗୀତାଞ୍ଜଳି ସାହୁ ଧନ୍ୟବାଦ ଦେଇଥିଲେ।





0 Comments