ନୟାଗଡ଼ ଜିଲ୍ଲାପରିଷଦ ସଭାଗୃହରେ 'ମଡେଲ୍‌ ପାର୍ଲାମେଣ୍ଟ, 2026' ଅନୁଷ୍ଠିତ; ଯୋଗଦେଲେ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ସଭାପତି

 



​ନୟାଗଡ଼, ୭/୧୧:
ନୟାଗଡ଼ ଜିଲ୍ଲାପରିଷଦ ସଭାଗୃହଠାରେ  ପିଏମଶ୍ରୀ ବିଦ୍ୟାଳୟଗୁଡ଼ିକର ମିଳିତ ଆନୁକୂଲ୍ୟରେ 'ମଡେଲ୍‌ ପାର୍ଲାମେଣ୍ଟ-୨୦୨୬ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି।
​ଏହି କାର୍ଯ୍ୟକ୍ରମରେ  ଜିଲ୍ଲାପାଳ  ମଧୁସ୍ମିତା ରଥ, ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲା ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ,ବରିଷ୍ଠ ଜିଲ୍ଲା ପରିଷଦ ସଦସ୍ୟ ରାମେଶ୍ୱର ଶତପଥୀ,ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ,ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ବନଲତା ବେହେରା,ଗୀତାଞ୍ଜଳି ସାହୁ,ସ୍ନେହଲତା ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଛାତ୍ରଛାତ୍ରୀମାନଙ୍କର ଏହି ନିଆରା ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ।


​ଏହି ଅବସରରେ "ଯୁବ ତଥା ନବ ଭାରତ ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା" ଶୀର୍ଷକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ନୟାଗଡ଼ ଜିଲ୍ଲାର ସମସ୍ତ ପିଏମଶ୍ରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଂସଦୀୟ କାର୍ଯ୍ୟପ୍ରଣାଳୀ, ନେତୃତ୍ୱ ଗୁଣ, ନୀତି-ନିୟମ ସମ୍ପର୍କିତ ସଚେତନତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧର ବିକାଶ କରିବା ଏହି ମଡେଲ୍‌ ପାର୍ଲାମେଣ୍ଟର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
​ଛାତ୍ରଛାତ୍ରୀମାନେ ନିଜେ ସଂସଦର ସଦସ୍ୟ ଭାବେ କାର୍ଯ୍ୟ କରି ଦେଶର ବିଭିନ୍ନ ସାମ୍ପ୍ରତିକ ପ୍ରସଙ୍ଗ ଉପରେ ଗ୍ରହର ଶୃଙ୍ଖଳା ରକ୍ଷା କରି ଯୁକ୍ତି ଓ ବାଦ-ବିବାଦ ଉପସ୍ଥାପନ କରିଥିଲେ। ସେମାନଙ୍କର ଉଚ୍ଚକୋଟୀର ସଂସଦୀୟ ଶୈଳୀ ଓ ନେତୃତ୍ବ ଦକ୍ଷତା ଉପସ୍ଥିତ ସମସ୍ତଙ୍କୁ ବେଶ୍ ପ୍ରଭାବିତ କରିଥିଲା।
​ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପିଏମଶ୍ରୀ ବିଦ୍ୟାଳୟର ବହୁ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ମେଧାବୀ ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ।

Post a Comment

0 Comments