ନୂଆଗାଁ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପଞ୍ଚାୟତ ସ୍ତରୀୟ 'ବାଲ୍ ସଭା' ଅନୁଷ୍ଠିତ

 


ନୂଆଗାଁ: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଆନୁକୂଲ୍ୟରେ ନୂଆଗାଁ ସଦର ମହକୁମା ସ୍ଥିତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ପଞ୍ଚାୟତ ସ୍ତରୀୟ 'ବାଲ୍ ସଭା' କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ନୂଆଗାଁ ଗ୍ରାମ ପଞ୍ଚାୟତର ଜିଆରଏସ୍ (GRS) ଅଜୟ କୁମାର ସାହୁଙ୍କ ପ୍ରସ୍ତାବ କ୍ରମେ ବିଦ୍ୟାଳୟ ପରିସରରେ ଏହି ସଭାର ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶ୍ରମ ବିଭାଗର କର୍ମଚାରୀ ଉପସ୍ଥିତ ରହି ଶିଶୁମାନଙ୍କ ଅଧିକାର, ସୁରକ୍ଷା, ଶିଶୁ ଶ୍ରମିକ ନିରାକରଣ ଏବଂ ଆଜିର ବାଲ୍ ସଭା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୀମସେନ ଦାସଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ସଭାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟି (SMC) ସଦସ୍ୟ ତଥା ଅଭିଭାବକ ପ୍ରତିନିଧି ଅଧ୍ୟାପକ ଚିନ୍ମୟ କୁମାର ପ୍ରଧାନ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବାଲ୍ ସଭାର ଆବଶ୍ୟକତା, ଶିକ୍ଷାର ବିକାଶ ଏବଂ ସମାଜରେ ଶିଶୁମାନଙ୍କ ଭୂମିକା ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ। ପିଲାମାନେ କିପରି ନିଜର ସମସ୍ୟା ଓ ମତାମତ ବିନା ଦ୍ୱିଧାରେ ଉପସ୍ଥାପନ କରି ନିଜର ସ୍ୱର ଉତ୍ତୋଳନ କରିପାରିବେ, ସେ ଦିଗରେ ସେ ପିଲାମାନଙ୍କୁ ଉତ୍ସାହିତ କରିଥିଲେ।

ଶେଷରେ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ସାହୁ ଉପସ୍ଥିତ ସମସ୍ତ ଅତିଥି, ଶିକ୍ଷକ ବୃନ୍ଦ ଏବଂ ଛାତ୍ରଛାତ୍ରୀମାନଙ୍କୁ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

Post a Comment

0 Comments