ଅୟନ ଫାଉଣ୍ଡେସନ ତରଫରୁ ଶିକ୍ଷକ ସମ୍ମାନ ଉତ୍ସବ
ଗଣିଆ ୦୫/୦୯(ସରୋଜ କୁମାର ଦାଶ) ଅୟନ ଫାଉଣ୍ଡେସନ ତରଫରୁ ସ୍ଥାନୀୟ ମହାନଦୀ ପବ୍ଲିକ ସ୍କୁଲ ପରିସରରେ ଶିକ୍ଷକ ସମ୍ମାନ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବ୍ଳକ ଅତିରିକ୍ତ ଶିକ୍ଷା ଅଧିକାରୀ ବିନୋଦିନୀ ପଣ୍ଡା, ସମ୍ମାନିତ ଅତିଥି ଭାବେ ସିଡ଼ିପିଓ ଉଷାରାଣୀ ସାହୁ, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା,ଅୟନ ଫାଉଣ୍ଡେସନର ମୁଖ୍ୟ ନାଶି ପଙ୍କଜ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ମହାନ ଦାର୍ଶନିକ ତଥା ଗୁରୁ ଡ଼ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା । ଛାତ୍ର ଛାତ୍ରୀ ମାନେ ଗୁରୁବନ୍ଦନା ଗାନ କରିଥିଲେ । ଅୟନ ଫାଉଣ୍ଡେସନର ମୁଖ୍ୟ ନାଶି ଶ୍ରୀ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମହାନଦୀ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ସ୍ନେହଲତା ମିଶ୍ର ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ହାଇଦ୍ରାବାଦରେ ଚାକିରି କରୁଥିବା ସମୟରେ ନିଜ ଅଞ୍ଚଳର ଜନସାଧାରଣଙ୍କ ପାଇଁ କିଛି କରିବାର ଆଶା ନେଇ ଏହି ଅୟନ ଫାଉଣ୍ଡେସନ ତିଆରି କରିବା ସହିତ ପରେ ପରେ ଏକ ଇଂରାଜୀ ମିଡିୟମ ମହାନଦୀ ପବ୍ଲିକ ସ୍କୁଲ ପ୍ରତିଷ୍ଠା କରି ପିଲାଙ୍କୁ ଶିକ୍ଷାଦାନ ଦିଆଯାଉଥିବା ବେଳେ ଗତ ଦୁଇ ବର୍ଷ ଧରି ଶିକ୍ଷକ ସମ୍ମାନ ପ୍ରଦାନ କରାଯାଉଛି ବୋଲି ଟ୍ରଷ୍ଟି ଶ୍ରୀ ସାହୁ ମତପ୍ରକାଶ କରିଥିଲେ । ଆଧୁନିକତାର ଛାପରେ ଆଜିକାଲି ଗୁରୁପୂଜନ କଥା ଛାତ୍ର ଛାତ୍ରୀ ମାନଙ୍କ ମାନସ ପଟରୁ ହଜି ଯାଉଥିବା ବେଳେ ଅୟନ ଫାଉଣ୍ଡେସନ ତରଫରୁ ଗୁରୁଦିବସରେ ଗୁରୁ ମାନଙ୍କୁ ସମ୍ମାନ ପ୍ରଦାନ କରାଯାଇଥିବାରୁ ଫାଉଣ୍ଡେସନର ଏଭଳି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ ବିଧାୟକ । ମହାନଦୀ ପବ୍ଲିକ ସ୍କୁଲର ଛାତ୍ର ଛାତ୍ରୀ ମାନେ ବ୍ଳକ ତଥା ଜିଲ୍ଲା ସ୍ତରରେ ସଫଳତା ଲାଭ କରିଥିବାରୁ ଅତିରିକ୍ତ ଶିକ୍ଷା ଅଧିକାରୀ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ଅବସରରେ ଗଣିଆ ପଞ୍ଚାୟତର ଅବସରପ୍ରାପ୍ତ ଶିକ୍ଷକ ଚରଣ ସାହୁ, କିଶୋର ପ୍ରସାଦ ପଞ୍ଚାୟତ ପୂର୍ଣ୍ଣଚନ୍ଦ୍ରପୁରର ଶତୃଘନ ମହାରଣା,ଆଡକଟା ପଞ୍ଚାୟତ ଜଗନ୍ନାଥ ପ୍ରସାଦର ମୂରଲୀଧର କରଣ,କରଡାପଡାର ଭିକାରୀ ଚରଣ ସାହୁ,ରାସଙ୍ଗ ପଞ୍ଚାୟତର ଦୁର୍ଯୋଧନ ସାହୁ,
ବେଲପଡାପାଟଣାର ମହାଦେବ ମହାରଣା, ଛାମୁଣ୍ଡିଆ ପଞ୍ଚାୟତର ରଘୁନାଥ ସାହୁ ଏବଂ ପଞ୍ଚାନନ ନାୟକ, ଅବସରପ୍ରାପ୍ତ ଶିକ୍ଷକ ସୁରେଶ କୁମାର ସାହୁଙ୍କୁ ଶିକ୍ଷକ ସମ୍ମାନ -୨୦୨୬ରେ ସମ୍ମାନିତ କରାଯାଇଥିଲା । ମହାନଦୀ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ସ୍ନେହଲତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ମହାନଦୀ ପବ୍ଲିକ ସ୍କୁଲର ଶିକ୍ଷକ ଅବକାଶ ମିଶ୍ର ଟ୍ରଷ୍ଟି ଶ୍ରୀ ସାହୁଙ୍କୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିଥିଲେ । ବରିଷ୍ଠ ଶିକ୍ଷକ ବାମନ ଚରଣ ବାରିକି ମଞ୍ଚ ପରିଚାଳନା
କରିଥିଲେ ।
ସରୋଜ କୁମାର ଦାଶ ଗଣିଆ



0 Comments