ଲୋକଙ୍କ ନିକଟରେ ପହଞ୍ଚିବ ପ୍ରଶାସନ, ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ହେବ ସମସ୍ୟାର ସମାଧାନବିଡିଓ, ତହସିଲଦାର ଓ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ରହିବା ବାଧ୍ୟତାମୂଳକ
ନୂଆଗାଁ ବ୍ଲକସାଧାରଣ ଲୋକଙ୍କ ସମସ୍ୟା ଓ ଅଭିଯୋଗର ତ୍ୱରିତ ସମାଧାନ ତଥା ପ୍ରଶାସନିକ ସେବାକୁ ଲୋକଙ୍କ ଦୁଆରମୁହଁରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ସୋମବାରଠାରୁ ନୂଆଗାଁ ବ୍ଲକ ସମେତ ସମସ୍ତ ବ୍ଲକ ମୁଖ୍ୟାଳୟରେ ପ୍ରତ୍ୟେକ ସୋମବାର ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ।ଏହି ଶୁଣାଣିରେ ସମ୍ପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ), ତହସିଲଦାର ଏବଂ ବିଭିନ୍ନ ବିଭାଗର ବ୍ଲକ ସ୍ତରୀୟ ବରିଷ୍ଠ ଅଧିକାରୀମାନେ ବାଧ୍ୟତାମୂଳକ ଭାବେ ଉପସ୍ଥିତ ରହିବେ। ଶୁଣାଣି ଶିବିରକୁ ଆସୁଥିବା ଜନସାଧାରଣଙ୍କ ପ୍ରତ୍ୟେକ ଅଭିଯୋଗ ପଞ୍ଜିକୃତ କରାଯାଇ ନିୟମାନୁଯାୟୀ ଉପଯୁକ୍ତ ତଦନ୍ତ ସହ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଫଇସଲା କରାଯିବାକୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।ଅନ୍ୟପକ୍ଷରେ, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅଧ୍ୟକ୍ଷତାରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ବିଭିନ୍ନ ବ୍ଲକରେ ପରିଚାଳିତ ହେଉଥିବା ଜିଲ୍ଲା ସ୍ତରୀୟ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ଶିବିର ପୂର୍ବବତ୍ ଜାରି ରହିବ ବୋଲି ସ୍ପଷ୍ଟ କରାଯାଇଛି।
ଏହି ବ୍ଲକ ସ୍ତରୀୟ ଶୁଣାଣି କାର୍ଯ୍ୟକ୍ରମ ସମ୍ପର୍କରେ ସାଧାରଣ ଜନତା ଯେପରି ଅବଗତ ହୋଇପାରିବେ, ସେଥିପାଇଁ ପଞ୍ଚାୟତ ଓ ଗ୍ରାମାଞ୍ଚଳରେ ବ୍ୟାପକ ପ୍ରଚାର ପ୍ରସାର କରିବା ସହ ଶୁଣାଣିର ସୁପରିଚାଳନା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ବ୍ୟବସ୍ଥା କରିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ଏହି ଆଦେଶନାମାକୁ ପ୍ରଶାସନ ପକ୍ଷରୁ "ଅତି ଜରୁରୀ" ଭାବେ ଗ୍ରହଣ କରାଯାଇଛି।


0 Comments