ନୂଆଗାଁ ବ୍ଲକ ସଦର ମହକୁମାସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଓ ମେଳା ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ଓ ସୃଜନଶୀଳତାର ବିକାଶ ଲକ୍ଷ୍ୟରେ ଆୟୋଜିତ ଏହି ମେଳାରେ କନିଷ୍ଠ ଓ ବରିଷ୍ଠ ବିଭାଗରେ ସମୁଦାୟ ୧୭ଟି ଷ୍ଟଲ୍ ସ୍ଥାନ ପାଇଥିଲା। ଏଥିରେ କୁନି କୁନି ବୈଜ୍ଞାନିକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା।
ଶିଳ୍ପ, ପରିବେଶ ସୁରକ୍ଷା, ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଏବଂ ମହାକାଶ ବିଜ୍ଞାନ ଭଳି ଯୁଗୋପଯୋଗୀ ବିଷୟବସ୍ତୁ ଉପରେ ପିଲାମାନେ ଚିତ୍ତାକର୍ଷକ ପ୍ରକଳ୍ପ ଓ ମଡେଲ ପ୍ରଦର୍ଶନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ସିଆରସିସି ମମତାମଞ୍ଜରୀ ଦେବୀ, ଉଦୟପୁର ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପ୍ରହ୍ଲାଦ ସାହୁ ଏବଂ ନୂଆଗାଁ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିବଶଙ୍କର ବେହେରା ଯୋଗଦେଇ ପ୍ରକଳ୍ପଗୁଡ଼ିକର ପୁଙ୍ଖାନୁପୁଙ୍ଖ ମୂଲ୍ୟାଙ୍କନ କରିଥିଲେ।
ପ୍ରଦର୍ଶନୀ ଅବସରରେ ଆୟୋଜିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୀମସେନ ଦାସ ସଭାପତିତ୍ୱ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି (ଏସଏମସି) ସଭାପତି ସୁଧୀର କୁମାର ପ୍ରଧାନ ଓ ଅତିଥି ଭାବେ ଅଧ୍ୟାପକ ଚିନ୍ମୟ କୁମାର ପ୍ରଧାନ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ବିଜ୍ଞାନ ଶିକ୍ଷାର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ।
ଶିକ୍ଷୟତ୍ରୀ ସଂଧ୍ୟାରାଣୀ ସାହୁ ସଭା ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ସକ୍ରିୟ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।


0 Comments