ନୂଆଗାଁ ବ୍ଲକର ୩ଟି ଜୋନରେ ସାମୂହିକ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ: ୩୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ସାମିଲ

 


ନୂଆଗାଁ: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନୁକୂଲ୍ୟରେ ନୂଆଗାଁ ବ୍ଲକର ୩ଟି ଜୋନରେ ସାମୂହିକ କ୍ରୀଡ଼ା ପ୍ରତିଯୋଗିତା ମହାସମାରୋହରେ ଉଦ୍‌ଘାଟିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ଶାରୀରିକ ତଥା ମାନସିକ ବିକାଶକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ପ୍ରତିଯୋଗିତା ଆୟୋଜିତ ହୋଇଛି।

ଏହି କ୍ରୀଡ଼ା ପ୍ରତିଯୋଗିତା ବ୍ଲକର ବିଭିନ୍ନ ଜୋନରେ ଯଥା— ଚାହାଳୀ ଜୋନ ଅଧୀନରେ ଥିବା ମାଳିସାହି ଗତିକେଶ୍ୱର ଉଚ୍ଚ ବିଦ୍ୟାଳୟ, ନୂଆଗାଁ ଜୋନର ପିଏମଶ୍ରୀ (PM SHRI) ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ମହୀପୁର ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି। ବ୍ଲକ କ୍ରୀଡ଼ା ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କନିଷ୍ଠ ଓ ବରିଷ୍ଠ ସ୍ତରରେ ଭଲିବଲ୍, କବାଡ଼ି, ଚେସ୍, ବ୍ୟାଡମିଣ୍ଟନ୍ ଏବଂ ଯୋଗ ଆଦି ବିଭିନ୍ନ ପ୍ରତିଯୋଗିତା କରାଯାଇଛି। ଚଳିତ ବର୍ଷ ଏହି ତିନୋଟି ଜୋନରୁ ୩୦୦ରୁ ଊର୍ଦ୍ଧ୍ୱ କ୍ରୀଡ଼ାବିତ୍ ଅଂଶଗ୍ରହଣ କରି ନିଜର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି।

ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ନୂଆଗାଁ ବ୍ଲକ ଶିକ୍ଷା ଅଧିକାରୀ (BEO) ଗିରିଜା ଶଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ଆନୁଷ୍ଠାନିକ ଭାବେ କ୍ରୀଡ଼ାର ଶୁଭାରମ୍ଭ କରିଥିଲେ। ସମସ୍ତ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକମାନଙ୍କର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ପରିଚାଳିତ ହୋଇଥିଲା।

ଏହି ଅବସରରେ ମହୀପୁର ଏବଂ ଚାହାଳୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାସ, ନୂଆଗାଁ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୀମସେନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ଉକ୍ତ ଜୋନର ସମସ୍ତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ କ୍ରୀଡ଼ା ଶିକ୍ଷକମାନେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

Post a Comment

0 Comments