ନୂଆଗାଁ, ୨୮/୯ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଶିକ୍ଷା ବିଭାଗ ସିଙ୍ଗାରପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ବନ୍ତଳା ଶିବରାମ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ବନ୍ତଳା କ୍ଲଷ୍ଟର ସିଆରସିସିଙ୍କ କାର୍ଯ୍ୟାଳୟରେ ସୋମବାର ବିଦ୍ୟୁତ୍ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଛି। ଏଥିରେ କାର୍ଯ୍ୟାଳୟର କେତେକ ଚେୟାର, ଆସବାବପତ୍ର ଓ ଅଫିସରେ ରହିଥିବା କିଛି କାଗଜପତ୍ର ପୋଡ଼ି ନଷ୍ଟ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ବନ୍ତଳା କ୍ଲଷ୍ଟର ସିଆରସିସି ବୀରକିଶୋର ବଳବନ୍ତ ସିଂ ଶିକ୍ଷାଦାନ ସମ୍ପର୍କିତ କାର୍ଯ୍ୟରେ ବଧୂଲିପୁର ପୋଡ଼ାସାହି ବିଦ୍ୟାଳୟକୁ ଯାଇଥିଲେ। ଏହି ସମୟରେ ଆଜି ଦିନ ପ୍ରାୟ ୧୨ଟାରେ ସିଆରସିସିଙ୍କ କାର୍ଯ୍ୟାଳୟରୁ ଧୂଆଁ ବାହାରୁଥିବା ବିଦ୍ୟାଳୟର କର୍ମଚାରୀମାନେ ଦେଖିଥିଲେ। ପରେ ପ୍ରଧାନଶିକ୍ଷକ ଅନ୍ତର୍ଯ୍ୟାମୀ ନାୟକ ଘଟଣା ସମ୍ପର୍କରେ ଶ୍ରୀ ସିଂଙ୍କୁ ଜଣାଇଥିଲେ।ଖବର ପାଇ ଶ୍ରୀ ସିଂ ଓଡ଼ଗାଁ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଓଡ଼ଗାଁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଧୂଆଁରେ ପରିପୂର୍ଣ୍ଣ କାର୍ଯ୍ୟାଳୟ ଗୃହ ମଧ୍ୟରେ ପ୍ରବେଶ କରି ନିଆଁକୁ ଆୟତ୍ତ କରିଥିଲେ। ଫଳରେ ନିଆଁ ଅନ୍ୟ ଅଞ୍ଚଳକୁ ବ୍ୟାପିବାରୁ ରୋକାଯାଇଥିଲା। ଅଗ୍ନିକାଣ୍ଡ ସମୟରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଉପସ୍ଥିତ ଲୋକମାନେ ଅଗ୍ନିଶମ କର୍ମଚାରୀଙ୍କୁ ସହଯୋଗ କରିଥିଲେ। ପ୍ରାଥମିକ ଭାବେ ବିଦ୍ୟୁତ୍ ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସିଆରସିସି ଶ୍ରୀ ସିଂ କହିଛନ୍ତି। ତେବେ ଅଗ୍ନିକାଣ୍ଡରେ କେତେ ପରିମାଣର କ୍ଷୟକ୍ଷତି ହୋଇଛି, ତାହାର ସଠିକ୍ ଆକଳନ ପରେ ଜଣାପଡ଼ିବ।



0 Comments