ନୂଆଗାଁ, ୨୫/୯ ରାଜସ୍ୱ ମାମଲାର ଶୀଘ୍ର ଫଇସଲା ଓ ଲୋକଙ୍କୁ ରାଜସ୍ୱ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ନୂଆଗାଁ ତହସିଲ ପକ୍ଷରୁ ଦୁରୁଦୁରା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଏକ ରାଜସ୍ୱ ମାମଲା ଫଇସଲା ଶିବିର ଆୟୋଜିତ ହୋଇଥିଲା। ନୂଆଗାଁ ତହସିଲଦାର ହେମନ୍ତ କୁମାର ନାୟକ ଓ ଦୁରୁଦୁରା ରାଜସ୍ୱ ନିରୀକ୍ଷକ ଜିତେନ୍ଦ୍ର କୁମାର ନାୟକଙ୍କ ଉପସ୍ଥିତିରେ ଶିବିରରେ ବିଭିନ୍ନ ରାଜସ୍ୱ ମାମଲାର ଶୁଣାଣି କରାଯାଇଥିଲା। ଶିବିରରେ ୬ଟି ଆପୋଷ ବଣ୍ଟନ ପତ୍ର ମାମଲାର ଫଇସଲା କରାଯାଇଥିଲା। ଏଥିସହ ଦ୍ୱିତୀୟ ଖାନା ସଂଶୋଧନ ହୋଇଥିବା ପଟ୍ଟାଗୁଡ଼ିକ ସମ୍ପୃକ୍ତ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଥିଲା। ଫଳରେ ଦୀର୍ଘଦିନ ଧରି ରାଜସ୍ୱ ମାମଲା ସମ୍ପର୍କିତ ପ୍ରକ୍ରିୟାରେ ଥିବା ଲୋକମାନେ ଶିବିର ମାଧ୍ୟମରେ ସେବା ପାଇପାରିଥିଲେ। ଏହି ଶିବିରରେ ଆଇନଜୀବୀ ସନ୍ତୋଷ କୁମାର ମହାପାତ୍ର ମାମଲାଗୁଡ଼ିକର ଫଇସଲା ପ୍ରକ୍ରିୟାରେ ସହଯୋଗ କରିଥିଲେ। ରାଜସ୍ୱ ସମ୍ବନ୍ଧୀୟ ମାମଲାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ଏଭଳି ଶିବିର ଆୟୋଜନ ଲୋକଙ୍କ ପାଇଁ ଉପଯୋଗୀ ହେଉଥିବା ଜଣାପଡ଼ିଛି।


0 Comments