ନୂଆଗାଁ: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ନୂଆସାହି ଗ୍ରାମରେ ପୂର୍ବତନ କୃଷି ଅଧିକାରୀ ତଥା ବିଶିଷ୍ଟ ସମାଜସେବୀ ସ୍ବର୍ଗତ ବୈଦ୍ୟନାଥ ସ୍ୱାଇଁଙ୍କ ଦ୍ୱାଦଶାହ ଉପଲକ୍ଷେ ଏକ ଭାବପୂର୍ଣ୍ଣ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ସମ୍ବାଦ ସାହିତ୍ୟ ଘର ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ସ୍ବର୍ଗତ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ବୈଦିକ ଶାନ୍ତିପାଠ କରାଯିବା ସହ ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରଦୀପ ପ୍ରଜ୍ୱଳନ ଏବଂ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି ସଭାରେ ସ୍ବର୍ଗତ ସ୍ୱାଇଁଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରାଯାଇଥିଲା। ସେ ନୂଆଗାଁ ବ୍ଲକରେ ପ୍ରଥମେ ଗ୍ରାମସେବକ ଭାବେ ନିଜର ସେବା ଆରମ୍ଭ କରି ପରବର୍ତ୍ତୀ ସମୟରେ ଜଣେ ଦକ୍ଷ କୃଷି ଅଧିକାରୀ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ। ସେ ଜଣେ ଅମାୟିକ, ପରୋପକାରୀ, ମେଳାପୀ ତଥା ଭାତୃଭାବ ସମ୍ପନ୍ନ ବ୍ୟକ୍ତି ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ପରିଚିତ ଥିଲେ।
ଏହି ସ୍ମୃତି ସଭାରେ ସାହିତ୍ୟ ଘରର ସଭାପତି ମଦନ ମୋହନ ପ୍ରଧାନଙ୍କ ସମେତ ରମେଶ ଚନ୍ଦ୍ର ପ୍ରଧାନ, ଭଜମନ ପରିଡ଼ା, ଅଧ୍ୟାପକ ଚିନ୍ମୟ କୁମାର ପ୍ରଧାନ, ଶିକ୍ଷକ ଶ୍ରୀଧର ବେହେରା ଏବଂ ବୈକୁଣ୍ଠ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ସ୍ୱାଇଁଙ୍କ ସ୍ମୃତିଚାରଣ କରିଥିଲେ। ଏଥିସହ ପରିବାରବର୍ଗ, ଆତ୍ମୀୟସ୍ୱଜନ ଓ ବହୁ ଗ୍ରାମବାସୀ ଉପସ୍ଥିତ ରହି ଦିବଙ୍ଗତ ଆତ୍ମା ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।


0 Comments