ଆମ୍ବଝରୀ ଗ୍ରାମରେ ନିଆରା ଢଙ୍ଗରେ ଖୁଦୁରୁକୁଣୀ ଓଷା ପାଳିତ: ଅଭିନୟ ମାଧ୍ୟମରେ ଦେଲେ ଭାଇ-ଭଉଣୀର ଅତୁଟ ସମ୍ପର୍କର ବାର୍ତ୍ତା



ନୂଆଗାଁ: ପବିତ୍ର ଖୁଦୁରୁକୁଣୀ ଓଷା ଉପଲକ୍ଷେ ନୂଆଗାଁ ବ୍ଲକ ଅନ୍ତର୍ଗତ ଆମ୍ବଝରୀ ଗ୍ରାମରେ ଏକ ନିଆରା ତଥା ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି। ଗ୍ରାମର ଯୁବତୀ ଓ ଭୁଆସୁଣୀମାନେ ଅତ୍ୟନ୍ତ ନିରାଡ଼ମ୍ବର ସହକାରେ ଏହି ଓଷା ପାଳନ କରିବା ସହିତ ଶେଷ ପାଳି ଦିନ ଏହାକୁ ଏକ ଭିନ୍ନ ଢଙ୍ଗରେ ଉଦ୍‌ଯାପନ କରିଛନ୍ତି।


ସାଧାରଣତଃ ଓଡ଼ିଆ ଘରର ଝିଅମାନେ ନିଜ ଭାଇମାନଙ୍କର ଦୀର୍ଘାୟୁ ଏବଂ ଶୁଭ କାମନା କରି ମା' ମଙ୍ଗଳାଙ୍କୁ ପୂଜାର୍ଚ୍ଚନା କରିଥାନ୍ତି।ଆମ୍ବଝରୀ ଗ୍ରାମରେ ଏହି ପୁରାତନ କିମ୍ବଦନ୍ତୀର ଜୀବନ୍ତ ଚିତ୍ରଣ କରାଯାଇଥିଲା। ଖୁଦୁରୁକୁଣୀ ଓଷାର ମୁଖ୍ୟ ଉଦ୍ଦେଶ୍ୟ ଓ ତଅପୋଇର ପୌରାଣିକ କଥାବସ୍ତୁକୁ ଗ୍ରାମର ଯୁବତୀମାନେ ଅଭିନୟ ମାଧ୍ୟମରେ ଅତି ନିଖୁଣ ଭାବରେ ଉପସ୍ଥାପନ କରିଥିଲେ, ଯାହା ସେହି ପୁରୁଣା ସ୍ମୃତିର ମୂକସାକ୍ଷୀ ପାଲଟିଥିଲା।



ଏହି ଉତ୍ସବରେ ଭଉଣୀମାନେ ନିଜ ନିଜର ଭାଇମାନଙ୍କୁ ଫୁଲ ଓ ଚନ୍ଦନ ଦେଇ ଆଳତି କରି ବନ୍ଦାପନା କରିଥିବାର ଦୃଶ୍ୟ ଉପସ୍ଥିତ ଦର୍ଶକଙ୍କୁ ଭାବବିହ୍ୱଳ କରିଥିଲା। ଆଧୁନିକ ସମାଜରେ ଭାଇ ଓ ଭଉଣୀଙ୍କ ମଧ୍ୟରେ ଥିବା ପବିତ୍ର ତଥା ନିବିଡ଼ ସମ୍ପର୍କର ବାର୍ତ୍ତାକୁ ଏହି ଅଭିନୟ ମାଧ୍ୟମରେ ସୁନ୍ଦର ଭାବରେ ଉପସ୍ଥାପନ କରାଯାଇଥିଲା। ଗାଁ ଝିଅମାନଙ୍କର ଏହି ନିଆରା ତଥା ସୃଜନଶୀଳ ପ୍ରୟାସକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି।


Post a Comment

0 Comments