ନୂଆଗାଁ ବ୍ଲକରେ ଶିଶୁ ସୁରକ୍ଷା ଓ ଟାସ୍କ ଫୋର୍ସ କମିଟିର ସମୀକ୍ଷା ବୈଠକ: ବାଲ୍ୟ ବିବାହ ରୋକିବା ଓ ଶିଶୁ ଅଧିକାର ଉପରେ ଗୁରୁତ୍ୱ

 

ନୂଆଗାଁ: ଆଜି ନୂଆଗାଁ ବ୍ଲକ ସମ୍ମିଳନୀ କକ୍ଷରେ ସେଣ୍ଟର ଫର କାଟାଲାଇଜିଂ ଚେଞ୍ଜ (ସି-ଥ୍ରୀ) ଏବଂ ବ୍ଲକ ପ୍ରଶାସନର ମିଳିତ ଆନୁକୂଲ୍ୟରେ ବ୍ଲକ୍ ସ୍ତରୀୟ ଶିଶୁ ସୁରକ୍ଷା କମିଟି ତଥା ପ୍ରକଳ୍ପ ସ୍ତରୀୟ ଟାସ୍କ ଫୋର୍ସ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।


ଏହି କାର୍ଯ୍ୟକ୍ରମରେ ନୂଆଗାଁ ଥାନା ଅଧିକାରୀ (ଆଇଆଇସି) ଶ୍ରୀ ରଶ୍ମିରଞ୍ଜନ ସାହୁ, ସିଡିପିଓ ଶ୍ରୀମତୀ ଶୁଭ୍ରାକେଶୀ ମଲ୍ଲିକ ଏବଂ ଜିଲ୍ଲା ସଂଯୋଜକ ଶ୍ରୀ ସୁକେଶ ମିର୍ଦ୍ଧା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହ ବ୍ଲକର ସମସ୍ତ ସୁପରଭାଇଜର, ଅଙ୍ଗନବାଡ଼ି କର୍ମୀ, ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ମୁଖ୍ୟତଃ ବିଭିନ୍ନ ପଞ୍ଚାୟତରେ ଦେଖାଦେଉଥିବା ଶିଶୁ ସମସ୍ୟା, ବାଲ୍ୟ ବିବାହର କାରଣ ଓ କୁପରିଣାମ, ଶିଶୁ ସୁରକ୍ଷା, ଶିଶୁ ଅଧିକାର ଏବଂ ଶିକ୍ଷାର ଗୁରୁତ୍ୱ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ବୈଠକକୁ ସମ୍ବୋଧିତ କରି ଥାନା ଅଧିକାରୀ ଶ୍ରୀ ସାହୁ କହିଥିଲେ ଯେ, ଝିଅମାନଙ୍କ ସୁରକ୍ଷା ତଥା ଉନ୍ନତି ପାଇଁ ବିଭିନ୍ନ ସ୍ତରରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି ଏବଂ ସେମାନେ ସଚେତନ ମଧ୍ୟ ହେଉଛନ୍ତି। ତେବେ ବର୍ତ୍ତମାନ ସମୟରେ ପୁଅମାନଙ୍କୁ ମଧ୍ୟ ଆଇନଗତ ତଥା ନୀତିଗତ ଶିକ୍ଷା ଓ ସଚେତନତାର ଯଥେଷ୍ଟ ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ ସେ 'ସି-ଥ୍ରୀ'ର ଏଭଳି ମହତ୍ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ସେହିପରି ସିଡିପିଓ ଶ୍ରୀମତୀ ମଲ୍ଲିକ ଶିଶୁମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଓ ସୁରକ୍ଷା ଉପରେ ଆଲୋକପାତ କରିଥିଲେ। ଆଗାମୀ ଦିନରେ ନିୟମିତ ମାସିକ ବୈଠକ ଆୟୋଜନ କରି ଗ୍ରାମ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟି (GPCPC)କୁ ଅଧିକ ସକ୍ରିୟ କରିବା ସହ ଶିଶୁ ସୁରକ୍ଷା କ୍ଷେତ୍ରରେ ଫଳପ୍ରଦ କାର୍ଯ୍ୟ କରିବାକୁ ସେ ସମସ୍ତ ସଦସ୍ୟଙ୍କୁ ପରାମର୍ଶ ଦେଇଥିଲେ।

ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସି-ଥ୍ରୀର ବ୍ଲକ ସଂଯୋଜିକା ସୌଜନ୍ୟା ନାୟକ ସଫଳତାର ସହ ଆୟୋଜନ ଓ ପରିଚାଳନା କରିଥିଲେ। ଆଇସିଡିଏସ୍ (ICDS)ର ଶ୍ରୀ ସୁବ୍ରତ କୁମାର ସାହୁ, ଶ୍ରୀମତୀ ଅନିତା ବେହେରା ଏବଂ ଶ୍ରୀମତୀ ସବିତା ମଲ୍ଲିକଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ।

ରିପୋର୍ଟ: ପ୍ରତୀକ୍ଷା ୱେବ୍ ମିଡ଼ିଆ, ନୂଆଗାଁ

Post a Comment

0 Comments