ଜଷ୍ଟଷ୍ଟ୍ରାଇଭ୍ ଇଣ୍ଡଷ୍ଟ୍ରିଜ୍‌ରେ ବଏଲର ଟେଷ୍ଟିଂ ବେଳେ ଭୟାବହ ଅଗ୍ନିକାଣ୍ଡ: ୪ ଗୁରୁତର, ଭୁବନେଶ୍ୱର ସ୍ଥାନାନ୍ତର

 


ନୂଆଗାଁ (ପ୍ରତୀକ୍ଷା ୱେବ ମିଡ଼ିଆ): ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅଧୀନ ଗାତେରୀ ପଞ୍ଚାୟତ ହରିଡ଼ାବନ୍ଧ ନିକଟସ୍ଥ ଜଷ୍ଟଷ୍ଟ୍ରାଇଭ୍ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍‌ ପରିସରରେ ବୁଧବାର ସନ୍ଧ୍ୟାରେ ଏକ ବଡ଼ ଧରଣର ଅଘଟଣ ଘଟିଛି। କମ୍ପାନୀର ବଏଲର ଟେଷ୍ଟିଂ ଚାଲିଥିବା ସମୟରେ ହଠାତ୍ ଭୟାବହ ଅଗ୍ନିକାଣ୍ଡ ଘଟି ୪ ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ରାତି ପ୍ରାୟ ୮ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ବଏଲର ଟେଷ୍ଟିଂ ବେଳେ ହଠାତ୍ ନିଆଁ ବ୍ୟାପିଯିବାରୁ ସେଠାରେ କାର୍ଯ୍ୟରତ ଥିବା କାଣିଗିରି ଗ୍ରାମର ବିଭୂତି ପ୍ରଧାନ (୨୯), ଘଡ଼େଇବନ୍ଧର ଦିଲ୍ଲୀପ ନାୟକ (୨୬), ମହିପୁରର ଶରତ କୁମାର ସାହୁ (୪୫) ଏବଂ ଇଟାମାଟିର ବ୍ରଜ କିଶୋର ପ୍ରଧାନ (୨୮) ନିଆଁ ସଂସ୍ପର୍ଶରେ ଆସି ଗୁରୁତର ଭାବେ ଆହତ ହୋଇଥିଲେ।

ଦୁର୍ଘଟଣା ପରେ ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ପ୍ରାଥମିକ ଚିକିତ୍ସା ପ୍ରଦାନ ପରେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ, ଡାକ୍ତରଙ୍କ ପରାମର୍ଶ କ୍ରମେ ସେମାନଙ୍କୁ ଅଧିକ ଚିକିତ୍ସା ନିମନ୍ତେ ତୁରନ୍ତ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟପଟେ ଏହି ଘଟଣା ପରେ କମ୍ପାନୀର ସୁରକ୍ଷା ବ୍ୟବସ୍ଥାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବଏଲର ଟେଷ୍ଟିଂ ଭଳି ବିପଦପୂର୍ଣ୍ଣ କାର୍ଯ୍ୟ ସମୟରେ ନିର୍ଦ୍ଧାରିତ ଶିଳ୍ପ ସୁରକ୍ଷା ନିୟମ କଡ଼ାକଡ଼ି ଭାବେ ପାଳନ ହେଉଥିଲା କି ନାହିଁ ଏବଂ ସୁରକ୍ଷା ବ୍ୟବସ୍ଥାରେ କେଉଁଠି ତ୍ରୁଟି ରହିଥିଲା, ତାହା ବର୍ତ୍ତମାନ ତଦନ୍ତ ସାପେକ୍ଷ। ପୋଲିସ ଏବଂ ବିଭାଗୀୟ ଅଧିକାରୀଙ୍କ ପ୍ରକୃତ ତଦନ୍ତ ପରେ ହିଁ ଅଗ୍ନିକାଣ୍ଡର ସଠିକ୍ କାରଣ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।

Post a Comment

0 Comments