ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ



 
ନୂଆଗାଁ (ନୟାଗଡ଼): ନୂଆଗାଁ ବ୍ଲକ ସଦର ମହକୁମାରେ ଥିବା ନୂଆଗାଁ ଉଚ୍ଚ ମାଧ୍ୟମିକ (+୨) ବିଦ୍ୟାଳୟ ପରିସରରେ ନୂତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବର୍ଣ୍ଣାଢ଼୍ୟ ‘ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଯୁକ୍ତ ଦୁଇ କଳା ଓ ବିଜ୍ଞାନ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ ନବାଗତ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ଆନନ୍ଦ ଉଲ୍ଲାସର ସହ ଭବ୍ୟ ସ୍ୱାଗତ କରିଥିଲେ।ଉକ୍ତ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ସାହୁ ସଭାପତିତ୍ୱ କରିଥିଲେ। ନୂଆଗାଁ +୩ ଡିଗ୍ରୀ କଲେଜର ଅଧ୍ୟକ୍ଷ ସୁରେଶ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ଉଚ୍ଚ ଶିକ୍ଷା ଓ ଅନୁଶାସନ ଉପରେ ଗୁରୁତ୍ୱାରୋପ କରିଥିଲେ। ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣର ପୂର୍ବତନ ସଦସ୍ୟ ତଥା ପୂର୍ବତନ ଅଧ୍ୟକ୍ଷ ମହମ୍ମଦ ଉମାର ମଲ୍ଲିକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ର ଜୀବନର ମୂଲ୍ୟବୋଧ ଏବଂ ସାମାଜିକ ଦାୟିତ୍ୱବୋଧତା ଉପରେ ଆଲୋକପାତ କରିଥିଲେ।ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଦିଲ୍ଲୀପ କୁମାର ସାହୁ, ବିନାୟକ ପରିଡା, ବିଜ୍ଞାନ ଶିକ୍ଷକ ଏବଂ ନୂଆଗାଁ ସି.ଆର.ସି.ସି (CRCC) ମମତା ମଞ୍ଜରୀ ସାହୁ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।


ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକା ସତ୍ୟ ସ୍ୱାଗତ ସାହୁ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ। ଏହି ଉତ୍ସବରେ ଯୁକ୍ତ ଦୁଇ କଳା ଏବଂ ବିଜ୍ଞାନର ପ୍ରଥମ ଓ ଦ୍ୱିତୀୟ ବର୍ଷର ସମସ୍ତ ଛାତ୍ରଛାତ୍ରୀଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସଭାକାର୍ଯ୍ୟ ସାଙ୍ଗ ହୋଇଥିଲା।

Post a Comment

0 Comments