ଦଶପଲ୍ଲା ବ୍ଲକ କାର୍ଯ୍ୟାଳୟରେ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ

 ଦଶପଲ୍ଲା ବ୍ଲକ କାର୍ଯ୍ୟାଳୟରେ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ 
ନୟାଗଡ/ଦଶପଲ୍ଲା ୦୯/୦୮ ଦଶପଲ୍ଲା ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ସରକାରଙ୍କ ଆଭିମୁଖ୍ୟ ଅନୁଯାୟୀ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ପ୍ରଶାସନ ଓ ଜନପ୍ରତିନିଧିଙ୍କ ମିଳିତ ସହଯୋଗରେ ଆୟୋଜିତ ଏହି ସ୍ୱଚ୍ଛତା ଅଭିଯାନରେ ଦଶପଲ୍ଲା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ମଲ୍ଲିକ ମୁଖ୍ୟ ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ।





ଏହି ଅଭିଯାନରେ କନ୍ଧମାଳ ସାଂସଦଙ୍କ ବ୍ଲକ ପ୍ରତିନିଧି ତଥା ନଗର ମଣ୍ଡଳ ପ୍ରଭାରୀ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ଦଳବେହେରା, ବିଜେପି କାର୍ଯ୍ୟକର୍ତ୍ତା ସୌମ୍ୟ ରଞ୍ଜନ ରଥ ଏବଂ ଅଞ୍ଚଳର ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ସଫେଇ କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।ବ୍ଲକ କାର୍ଯ୍ୟାଳୟ ପରିସରକୁ ସ୍ୱଚ୍ଛ ଓ ରୋଗମୁକ୍ତ ରଖିବା ଉଦ୍ଦେଶ୍ୟରେ ହାତରେ ଗ୍ଲୋଭ୍ସ ଏବଂ ମୁହଁରେ ମାସ୍କ ପିନ୍ଧି ସମସ୍ତେ ସ୍ୱେଚ୍ଛାକୃତ ଭାବେ ଶ୍ରମଦାନ କରିଥିଲେ। କାର୍ଯ୍ୟାଳୟ ଚାରିପାଖରେ ଜମି ରହିଥିବା ଆବର୍ଜନା, ଅନାବନା ଘାସ, ଜଙ୍ଗଲ ସଫା କରାଯିବା ସହ ବର୍ଷା ଦିନେ ସୃଷ୍ଟି ହେଉଥିବା ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ରାସ୍ତା ସଫେଇ କରାଯାଇଥିଲା।
ଏହି ଅବସରରେ ଅତିଥିମାନେ ସ୍ୱଚ୍ଛତାକୁ ନିଜର ଦୈନନ୍ଦିନ ଅଭ୍ୟାସରେ ପରିଣତ କରିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ବିଡ଼ିଓ ଶ୍ରୀଯୁକ୍ତ ମଲ୍ଲିକ କହିଥିଲେ ଯେ, ପରିବେଶ ସ୍ୱଚ୍ଛ ରହିଲେ ହିଁ ବିଭିନ୍ନ ସଂକ୍ରାମକ ରୋଗରୁ ରକ୍ଷା ମିଳିପାରିବ। ସେହିପରି ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ଦଳବେହେରା ପ୍ରତ୍ୟେକ ନାଗରିକଙ୍କୁ ନିଜ ନିଜ ଅଞ୍ଚଳ ସଫା ରଖି ‘ସ୍ୱଚ୍ଛ ଭାରତ’ର ସ୍ୱପ୍ନକୁ ସାକାର କରିବା ପାଇଁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ପ୍ରଶାସନର କର୍ମଚାରୀ ଓ ବିଜେପିର ବହୁ କାର୍ଯ୍ୟକର୍ତ୍ତା ସାମିଲ ହୋଇ ସଫେଇ ଅଭିଯାନକୁ ସଫଳ କରିଥିବାରୁ ଏହା ସ୍ଥାନୀୟ ଅଞ୍ଚଳରେ ଏକ ସକାରାତ୍ମକ ବାର୍ତ୍ତା ସୃଷ୍ଟି କରିଛି। ( ନୟାଗଡ ରୁ ଜିଲ୍ଲା ପ୍ରତିନିଧି ଦୀପକ ନାୟକ ଙ୍କ ରିପୋର୍ଟ)

Post a Comment

0 Comments