ପକ୍କା ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ଅସୁସ୍ଥ ମହିଳା




ଦଶପଲ୍ଲା ୮/୮ ସ୍ୱାଧୀନତାର ୮୦ ବର୍ଷ ବିତିବାକୁ ବସିଲାଣି ହେଲେ ରାଜ୍ୟର ଅନେକ ଗ୍ରାମାଞ୍ଚଳରେ ଆଜି ବି ମୌଳିକ ସୁବିଧା ପହଞ୍ଚିପାରି ନାହିଁ। ଏହାର ଏକ ହୃଦୟବିଦାରକ ଚିତ୍ର ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଟାକରା ପଞ୍ଚାୟତର ବାଙ୍କତଇଳା ଗ୍ରାମରେ । ରାସ୍ତା ନଥିବାରୁ  ଅସୁସ୍ଥ ମହିଳାଙ୍କୁ ଗ୍ରାମବାସୀ  ଖଟିଆରେ ବୋହି   ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ବାଧ୍ୟ ହୋଇଛନ୍ତି। ସୂଚନା ଅନୁଯାୟୀ, ବାଙ୍କତଇଳା ଗାଁର ରବୀନ୍ଦ୍ର ଭୋଇଙ୍କ ସ୍ତ୍ରୀ ସୁଷମା ଭୋଇ ଅଚାନକ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ମାତ୍ର ଗାଁକୁ ଯିବା ପାଇଁ ପକ୍କା ରାସ୍ତାଟିଏ ନଥିବାରୁ ଆମ୍ବୁଲାନ୍ସ ଗାଁ ମଧ୍ୟକୁ ପ୍ରବେଶ କରିପାରିନଥିଲା। ଶେଷରେ ନିରୁପାୟ ହୋଇ ଗ୍ରାମବାସୀ ସୁଷମାଙ୍କୁ ଏକ ଖଟିଆରେ  ପ୍ରାୟ ୨ କିଲୋମିଟରରୁ ଅଧିକ ବାଟ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ଏହା ପରେ ସେଠାରୁ ତାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।


ସ୍ୱାସ୍ଥ୍ୟସେବା ପରି ମୌଳିକ ଅଧିକାରରୁ ବଞ୍ଚିତ ହୋଇ ବାଙ୍କତଇଳା ଗ୍ରାମବାସୀ ଦୈନନ୍ଦିନ ଜୀବନ ସହ ସଂଘର୍ଷ କରୁଛନ୍ତି। ବ୍ଲକ୍ ପ୍ରଶାସନ ଓ ସ୍ଥାନୀୟ ଅଧିକାରୀମାନେ ଗାଁର ବାସ୍ତବ ସମସ୍ୟା ପ୍ରତି କୌଣସି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ପ୍ରଶାସନ କେବେ ଏହି ଗାଁକୁ ପକ୍କା ରାସ୍ତା ସଂଯୋଗ କରିବ ଏବଂ ଲୋକଙ୍କୁ ଏହି ଦୁର୍ଦ୍ଦଶାରୁ ମୁକ୍ତି ମିଳିବ, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Post a Comment

0 Comments