ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ "ହର ଘର ତ୍ରିରଙ୍ଗା" ପ୍ରେସ ମିଟିଂ
ନୟାଗଡ଼୧୦/୦୮ ଭାରତର ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ସମଗ୍ର ଦେଶରେ ପାଳିତ ହେଉଥିବା ଜାତୀୟ କାର୍ଯ୍ୟକ୍ରମ "ହର ଘର ତ୍ରିରଙ୍ଗା" ଅଭିଯାନକୁ ସଫଳ କରିବା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଏହି କ୍ରମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ପରିସରରେ ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀ ଆହୁତ ହୋଇଥିଲା। ଜିଲ୍ଲାର ପ୍ରମୁଖ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଅଗଷ୍ଟ ୧୩ ରୁ ୧୫ ତାରିଖ ମଧ୍ୟରେ ଜିଲ୍ଲାର ପ୍ରତ୍ୟେକ ବାସଗୃହ, ସରକାରୀ ଓ ବେସରକାରୀ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ ସମ୍ମାନର ସହ ଜାତୀୟ ପତାକା ଉଡ଼ାଇବା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ସାଧାରଣ ଜନତା ଯେପରି ସହଜରେ ଜାତୀୟ ପତାକା ପାଇପାରିବେ, ସେଥିପାଇଁ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସ୍ଥାନୀୟ ପ୍ରଶାସନ ଜରିଆରେ ପତାକା ଉପଲବ୍ଧ କରାଇବାର ଯୋଜନା ବିଷୟରେ ସୂଚନା ଦିଆଯାଇଥିଲା।
ଜାତୀୟ ପତାକା ଉଡ଼ାଇବା ସମୟରେ କୌଣସି ପ୍ରକାର ଅସମ୍ମାନ ଯେପରି ନ ହୁଏ, ସେଥିପାଇଁ "ଫ୍ଲାଗ କୋଡ୍" ବା ପତାକା ନିୟମାବଳୀ ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ଜିଲ୍ଲାପାଳ ଗଣମାଧ୍ୟମ ଜରିଆରେ ନିବେଦନ କରିଥିଲେ। ଏହି ଅଭିଯାନ ସମୟରେ ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ପଞ୍ଚାୟତ ସ୍ତରରେ ତ୍ରିରଙ୍ଗା ଶୋଭାଯାତ୍ରା, ସ୍କୁଲ କଲେଜରେ କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆଦି ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ଜିଲ୍ଲା ପ୍ରଶାସନ ଏହି ଦେଶାତ୍ମବୋଧ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାର ସମସ୍ତ ସଚେତନ ନାଗରିକ ସକ୍ରିୟ ଭାବେ ଅଂଶଗ୍ରହଣ କରି ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ସହଯୋଗ କାମନା.


0 Comments