ନୂଆଗାଁ ବ୍ଲକ ସମ୍ବାଦ ସାହିତ୍ୟଘର ପକ୍ଷରୁ ମାସିକ ଆସର ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆମ୍ବଝରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ନୂଆଗାଁ ଶାଖା ସଭାପତି ମଦନ ମୋହନ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିବେଶର ସନ୍ତୁଳନ ଓ ସୁରକ୍ଷା ସହ ଅକ୍ସିଜେନର ପରିମାଣ ବୃଦ୍ଧି ପାଇଁ ଅଧିକରୁ ଅଧିକ ବୃକ୍ଷରୋପଣର ଆବଶ୍ୟକତା ଉପରେ ସଚେତନତା ସୃଷ୍ଟି କରାଯାଇଥିଲା।
ସମ୍ବାଦ ସାହିତ୍ୟଘରର ସଦସ୍ୟମାନେ ବିଦ୍ୟାଳୟ ସମେତ ପାଖାପାଖି ଅଞ୍ଚଳରେ ବିଭିନ୍ନ ଚାରାରୋପଣ କରିବା ସହ ଗଛ ଲଗାଇବା ଓ ତାହାର ଯତ୍ନ ନେବା ପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ବାର୍ତ୍ତା ପହଞ୍ଚାଇଥିଲେ। ପରିବେଶ ସୁରକ୍ଷା ଦିଗରେ ବୃକ୍ଷରୋପଣକୁ ଏକ ସାମାଜିକ ଦାୟିତ୍ୱ ଭାବେ ଗ୍ରହଣ କରିବାକୁ ଉପସ୍ଥିତ ସଦସ୍ୟମାନେ ଆହ୍ୱାନ ଦେଇଥିଲେ। ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ଆନୁକୂଲ୍ୟରେ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣକୁ ଏକ ଆହ୍ୱାନ ଭାବେ ଗ୍ରହଣ କରାଯାଇଥିବା ପରିପ୍ରେକ୍ଷୀରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ଅବସରରେ ଶାଖା ସଭାପତି ମଦନ ମୋହନ ପ୍ରଧାନଙ୍କ ସମେତ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ, ସହସମ୍ପାଦକ ତଥା ଅଧ୍ୟାପକ ଚିନ୍ମୟ କୁମାର ପ୍ରଧାନ, ଭଜମନ ପରିଡ଼ା, ଆଦିତ୍ୟ ନାରାୟଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ ସମ୍ବାଦ ସାହିତ୍ୟଘର ନୂଆଗାଁ ଶାଖା ସଂଯୋଜକ ତଥା ସମ୍ବାଦ ପ୍ରତିନିଧି ବିଶ୍ୱଜିତ ଖଣ୍ଡୁଆଳ ଧନ୍ୟବାଦ ଅର୍ପଣ କରିଥିଲେ।

0 Comments