ଖଣ୍ଡପଡ଼ାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି ଶିବିର
ନୟାଗଡ଼୧୦/୦୮ ଜନସାଧାରଣଙ୍କ ସମସ୍ୟାର ସରଳ ଏବଂ ସୁୁଗମ ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି। ଏହି କ୍ରମରେ ଆଜି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ସଭାଗୃହ ପରିସରରେ ଏକ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟକ ଲୋକ ନିଜ ନିଜର ମୌଳିକ ସମସ୍ୟା ଓ ଅଭିଯୋଗ ନେଇ ପହଞ୍ଚିଥିଲେ। ପ୍ରଶାସନ ତରଫରୁ ସମସ୍ତ ଅଭିଯୋଗକୁ ଗମ୍ଭୀରତାର ସହ ନିଆଯାଇ ଶୁଣାଣି ପ୍ରକ୍ରିୟା ଆରମ୍ଭ କରାଯାଇଥିଲା।
ଏହି ମିଳିତ ଶିବିରରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକଙ୍କ ଠାରୁ ସର୍ବମୋଟ ୧୪୭ଟି ଅଭିଯୋଗ ପତ୍ର ପଞ୍ଜୀକୃତ କରାଯାଇଥିଲା।
ମୋଟ ଅଭିଯୋଗ ମଧ୍ୟରୁ ୨୪ଟି ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗର ଘଟଣାସ୍ଥଳରେ ହିଁ ସଙ୍ଗେ ସଙ୍ଗେ ଫୈସଲା କରାଯାଇ ଲୋକଙ୍କୁ ସମାଧାନର ସୁଫଳ ପ୍ରଦାନ କରାଯାଇଛି। ଏହି ଶିବିରରେ ଜିଲ୍ଲାର ପ୍ରାୟ ସମସ୍ତ ସରକାରୀ ବିଭାଗର ବିଭାଗୀୟ ମୁଖ୍ୟ ଏବଂ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ସେମାନେ ପ୍ରତ୍ୟେକଟି ଅଭିଯୋଗର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବା ସହ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ଶିବିର ଶେଷରେ ଜିଲ୍ଲାପାଳ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ବାକି ରହିଯାଇଥିବା ସମସ୍ତ ଅଭିଯୋଗଗୁଡ଼ିକର ଅନୁଧ୍ୟାନ କରାଯାଇ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସେଗୁଡ଼ିକର ସମାଧାନ କରାଯାଉ। ସରକାରୀ ଯୋଜନାର ଲାଭ ଯେପରି ପ୍ରତିଟି ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ, ସେଥିପାଇଁ ସମସ୍ତ ବିଭାଗ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି। ପ୍ରଶାସନର ଏଭଳି ଜନହିତକର କାର୍ଯ୍ୟକ୍ରମକୁ ଖଣ୍ଡପଡ଼ା ଅଞ୍ଚଳର ଜନସାଧାରଣ ବେଶ୍ ପ୍ରଶଂସା କରିଛନ୍ତି।


0 Comments