ଗୁରିଆବାରୀ ଗାଁରେ ସାଙ୍ଘାତିକ ସ୍ଥିତି: ବାଇକ୍‌ଟିଏ ଯିବାକୁ ରାସ୍ତା ନାହିଁ

 ଶପଲ୍ଲା ବ୍ଲକ ନଛିପୁର ପଞ୍ଚାୟତ ଗୁରିଆବାରୀ ଗାଁରେ ସାଙ୍ଘାତିକ ସ୍ଥିତି: ବାଇକ୍‌ଟିଏ ଯିବାକୁ ରାସ୍ତା ନାହିଁ, ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଗ୍ରାମବାସୀ

ନୟାଗଡ଼/ଦଶପଲ୍ଲା (ଆଦ୍ୟାଶା) ୦୮/୦୮ ସରକାର ଆସୁଛନ୍ତି, ଯାଉଛନ୍ତି। ବିକାଶର ବଡ଼ ବଡ଼ ଡିଣ୍ଡିମ ପିଟାଯାଉଛି। ହେଲେ ଆଜିର ଡିଜିଟାଲ୍ ଯୁଗରେ ବି ନୟାଗଡ଼ ଜିଲ୍ଲାର ଏକ ଗାଁରୁ ଆସିଛି ବିକାଶର ଏଭଳି ଏକ ଚିତ୍ର, ଯାହା ପ୍ରଶାସନର ସବୁ ଦାବିକୁ ସମ୍ପୂର୍ଣ୍ଣ ପଦାରେ ପକାଇ ଦେଇଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ନଛିପୁର ପଞ୍ଚାୟତ ଅନ୍ତର୍ଗତ ଗୁରିଆବାରୀ ଗ୍ରାମରେ ଯାତାୟାତ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗାଁର ମୁଖ୍ୟ ରାସ୍ତାଟି ଏବେ କାଦୁଅରେ ସଲବଲ ହୋଇ ଚଷା ବିଲର ଭ୍ରମ ସୃଷ୍ଟି କରୁଛି।

ଗୋଟିଏ ବାଇକ୍ ଯିବା ବି ଅସମ୍ଭବ। ସ୍ଥାନୀୟ ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗାଁର ଏହି ମାଟି ରାସ୍ତାଟି ଦୀର୍ଘ ଦିନ ହେବ ମରାମତି ଅଭାବରୁ ଶୋଚନୀୟ ହୋଇ ପଡ଼ି ରହିଥିଲା। ବର୍ତ୍ତମାନ ବର୍ଷା ଦିନ ଯୋଗୁଁ ସ୍ଥିତି ଆହୁରି ସାଙ୍ଘାତିକ ରୂପ ଧାରଣ କରିଛି। ସାଧାରଣ ଲୋକେ ଚାଲି ଚାଲି ଯିବା ତ ଦୂରର କଥା, ରାସ୍ତାରେ ଗୋଟିଏ ହେଲେ ମୋଟରସାଇକେଲ୍ କିମ୍ବା ବାଇକ୍ ଯିବା ସମ୍ପୂର୍ଣ୍ଣ ଅସମ୍ଭବ ହୋଇପଡ଼ିଛି। ବାଇକ୍ ଚକା କାଦୁଅ ଭିତରେ ପଶିଯାଉଥିବାରୁ ଲୋକେ ଗାଡ଼ି ନେଇ ଯିବାକୁ ଭୟ କରୁଛନ୍ତି। ରାସ୍ତାର ଏଭଳି ଅବସ୍ଥା ଯୋଗୁଁ ଗ୍ରାମକୁ କୌଣସି ଜରୁରୀକାଳୀନ ସେବା ପହଞ୍ଚି ପାରୁନାହିଁ। ଗାଁରେ କେହି ହଠାତ୍ ଅସୁସ୍ଥ ହେଲେ କିମ୍ବା କୌଣସି ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ନେବାକୁ ହେଲେ ୧୦୮ କିମ୍ବା ୧୦୨ ଆମ୍ବୁଲାନ୍ସ ଗାଁ ଭିତରକୁ ଆସିପାରୁ ନାହିଁ। ରୋଗୀଙ୍କୁ କାଦୁଅ ରାସ୍ତାରେ ଖଟିଆରେ ବୋହି କିମ୍ବା ଚାଲି ଚାଲି କିଲୋମିଟର କିଲୋମିଟର ଦୂର ମୁଖ୍ୟ ରାସ୍ତାକୁ ଆଣିବାକୁ ପଡ଼ୁଛି। ସେହିପରି କୋମଳମତି ଛାତ୍ରଛାତ୍ରୀମାନେ ପ୍ରତିଦିନ ଏହି ଆଣ୍ଠୁଏ କାଦୁଅ ରାସ୍ତାରେ ଅତି ବିପଜ୍ଜନକ ଭାବେ ସ୍କୁଲ୍‌କୁ ଯାତାୟାତ କରୁଛନ୍ତି।


 ଯାତାୟାତକୁ ସ୍ୱାଭାବିକ କରିବା ପାଇଁ ତୁରନ୍ତ ରାସ୍ତା ଉପରେ ବାଲି କିମ୍ବା ମୋରମ ପକାଇ କାଦୁଅ ସଫା କରାଯାଉ।ଏହି ଗ୍ରାମୀଣ ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା କିମ୍ବା ପଞ୍ଚାୟତ ପାଣ୍ଠି ଜରିଆରେ ତୁରନ୍ତ ଏକ ସ୍ଥାୟୀ କଂକ୍ରିଟ୍  ରାସ୍ତାରେ ପରିଣତ କରାଯାଉ। ସ୍ଥାନୀୟ ସରପଞ୍ଚ, ଦଶପଲ୍ଲା ବିଡିଓ ଏବଂ ନୟାଗଡ଼ ଜିଲ୍ଲାପାଳ ଏହି ସମ୍ବେଦନଶୀଳ ବିଷୟ ପ୍ରତି ଦୃଷ୍ଟି ଦେଇ ଗୁରିଆବାରୀ ଗ୍ରାମବାସୀଙ୍କୁ ଏହି ନର୍କଯନ୍ତ୍ରଣାରୁ ତୁରନ୍ତ ମୁକ୍ତି ଦିଅନ୍ତୁ। ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି କି, ଯଦି ଖୁବ୍ ଶୀଘ୍ର ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ନହୁଏ, ତେବେ ଆଗାମୀ ଦିନରେ ଗ୍ରାମବାସୀମାନେ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ

Post a Comment

0 Comments