ନୂଆଗାଁରେ ମନରେଗା ଓ ସମଗ୍ର ଶିକ୍ଷା ଯୋଜନାର ବ୍ଲକ୍ ସ୍ତରୀୟ ଜନ ଶୁଣାଣୀ ଅନୁଷ୍ଠିତ: ୭ ଦିନ ମଧ୍ୟରେ ଏଟିଆର୍ ଦାଖଲ କରିବାକୁ ସିଡିଓଙ୍କ ନିର୍ଦ୍ଦେଶ
ନୂଆଗାଁ (ପ୍ରତୀକ୍ଷା ୱେବମିଡ଼ିଆ): ନୂଆଗାଁ ବ୍ଲକ୍ ସଭାଗୃହରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (MGNREGS) ଏବଂ ଶିକ୍ଷା ବିଭାଗର ସମଗ୍ର ଶିକ୍ଷା ଯୋଜନା ଅନ୍ତର୍ଗତ ବ୍ଲକ୍ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
୨୦୨୫-୨୬ ଆର୍ଥିକ ବର୍ଷର ୧ ଅକ୍ଟୋବର ୨୦୨୫ରୁ ୩୧ ମାର୍ଚ୍ଚ ୨୦୨୬ ମଧ୍ୟରେ ବିଭିନ୍ନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ଏବଂ ସମଗ୍ର ଶିକ୍ଷା ଯୋଜନାର କାର୍ଯ୍ୟକାରିତା ଉପରେ ପଞ୍ଚାୟତ ଓ ବିଦ୍ୟାଳୟ ସ୍ତରରେ ହୋଇଥିବା ସାମାଜିକ ସମୀକ୍ଷା ରିପୋର୍ଟ ଆଧାରରେ ଏହି ଶୁଣାଣୀ କରାଯାଇଥିଲା। ଏଥିରେ ନୟାଗଡ଼ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ (CDO-cum-EO) ଶ୍ରୀଯୁକ୍ତ ଲଗ୍ନଜିତ ରାଉତ ଅଧ୍ୟକ୍ଷତା କରିଥିଲେ।
ଯୋଜନାର ସ୍ୱଚ୍ଛତା ଓ ବିକାଶ ଉପରେ ଗୁରୁତ୍ୱ
ସଭାରେ ନୂଆଗାଁ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ (BDO) ଡକ୍ଟର ଅମୃତ କୁମାର ରାଉଳ ଯୋଜନାର ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବଜାୟ ରଖିବା ପାଇଁ ସାମାଜିକ ସମୀକ୍ଷା ଓ ଜନ ଶୁଣାଣୀର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ରାଉତ ବୃକ୍ଷରୋପଣ, ରାସ୍ତା, ପୋଖରୀ, ଗୁହାଳ, ମୋ ବଗିଚା, କେନାଲ, ଡ୍ରେନ ଓ ଖେଳପଡ଼ିଆ ଭଳି କାର୍ଯ୍ୟ ମାଧ୍ୟମରେ ପଞ୍ଚାୟତର ବିକାଶ ସହ 'ଭିବିଜି ରାମଜୀ' ଯୋଜନାରେ ଅଧିକରୁ ଅଧିକ ପରିବାରକୁ ୧୨୫ ଦିନର କାର୍ଯ୍ୟ ଯୋଗାଇ ଜୀବନଜୀବିକା ସୁଦୃଢ଼ କରିବାକୁ ପରାମର୍ଶ ଦେଇଥିଲେ।ମନରେଗା ରିପୋର୍ଟର ପ୍ରମୁଖ ତଥ୍ୟ (୨୦୨୫-୨୬):ମୋଟ ପ୍ରକଳ୍ପ: ୧,୩୮୨ଟି କାର୍ଯ୍ୟ ହାତକୁ ନିଆଯାଇଥିବା ବେଳେ ପୁରୁଣା ଓ ନୂଆ ମିଶାଇ ମୋଟ ୧,୬୦୩ଟି କାମ ସମ୍ପୂର୍ଣ୍ଣ ହୋଇଛି।ସମୁଦାୟ ଖର୍ଚ୍ଚ: ସମସ୍ତ ବିଭାଗକୁ ମିଶାଇ ମୋଟ ₹୮ କୋଟି ୪୧ ଲକ୍ଷ ୩୩ ହଜାର ଖର୍ଚ୍ଚ ହୋଇଛି।ନିଯୁକ୍ତି: ମୋଟ ୨୦,୩୬୬ ପଞ୍ଜୀକୃତ ପରିବାର ମଧ୍ୟରୁ ୬,୧୮୬ ପରିବାର କାମ ପାଇଁ ଆବେଦନ କରିଥିଲେ ଏବଂ ସମସ୍ତଙ୍କୁ ନିୟୋଜିତ କରାଯାଇଛି।
୧୦୦ ଦିନ କାର୍ଯ୍ୟ: ୪୪ଟି ପରିବାର ଶହେ ଦିନର କାର୍ଯ୍ୟ ଦିବସ ପୂରଣ କରିଛନ୍ତି।ଶ୍ରମ ଦିବସ: ବ୍ଲକରେ ସମୁଦାୟ ୨,୨୬,୦୧୭ ଶ୍ରମ ଦିବସ ସୃଷ୍ଟି ହୋଇଛି.୭ ଦିନ ମଧ୍ୟରେ ଏଟିଆର୍ ଦାଖଲ ନିର୍ଦ୍ଦେଶ ବ୍ଲକ୍ ସାମାଜିକ ସମୀକ୍ଷକ ସ୍ୱର୍ଣ୍ଣଲତା ଦଳବେହେରା ତୃଣମୂଳ ସ୍ତରରୁ ସଂଗୃହୀତ ରିପୋର୍ଟ ଉପସ୍ଥାପନ କରିଥିଲେ। ସମୀକ୍ଷା ବେଳେ ଧାର୍ଯ୍ୟ ହୋଇଥିବା ଜରିମାନା ବା ରିକଭରୀ ଅର୍ଥ ତୁରନ୍ତ ସରକାରଙ୍କ ନିକଟରେ ଜମା କରି ଅଡିଟ୍ କମ୍ପ୍ଲାଏନ୍ସ ସାରିବା ସହ ଆସନ୍ତା ୭ ଦିନ ମଧ୍ୟରେ ଏକ୍ସନ ଟେକେନ ରିପୋର୍ଟ (ATR) ଦାଖଲ କରିବାକୁ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ସମଗ୍ର ଶିକ୍ଷା ପାଣ୍ଠି ବ୍ୟବହାର ନେଇ ଅସନ୍ତୋଷ
ସମଗ୍ର ଶିକ୍ଷା ଯୋଜନାରେ ଆସୁଥିବା କେନ୍ଦ୍ରୀୟ ପାଣ୍ଠିର ସଠିକ୍ ଉପଯୋଗ ହେଉନଥିବାରୁ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅସନ୍ତୋଷ ବ୍ୟକ୍ତ କରିଥିଲେ। ବିଦ୍ୟାଳୟଗୁଡ଼ିକର ପାଚେରୀ ଓ ପାଇଖାନା ନିର୍ମାଣ କାର୍ଯ୍ୟ 'ଭିବିଜି ରାମଜୀ' ଯୋଜନା ମାଧ୍ୟମରେ କରିବାକୁ ବ୍ଲକ୍ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।
ବୈଠକରେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ଓ ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ ଯୋଗଦେଇ ଯୋଜନାର ତ୍ରୁଟିବିଚ୍ୟୁତି ସୁଧାରି ଲୋକଙ୍କ ହିତରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଏପିଓ ଅମରେନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ପିଇଓ, ଏଡିଇଓ, ଜିଆରଏସ, ଲାଇନ ବିଭାଗୀୟ ଅଧିକାରୀ, ଏସିପି ସୁମନ୍ତ ପରିଡ଼ା, ନରେଗା ସହାୟକ ଆଶୁତୋଷ ମିଶ୍ର, ସନ୍ତୋଷ ପ୍ରଧାନ ଓ ସମସ୍ତ ଭିଆରପି ଯୋଗ ଦେଇଥିଲେ।




0 Comments