୮୦ ତମ ସ୍ବାଧୀନତା ଦିବସ ପାଳନରେ ବର୍ଷା ସାଜିଲା ବାଧକ: ତଥାପି ତ୍ରିରଙ୍ଗା ଶୋଭାରେ ଉତ୍ସାହିତ ଥିଲେ ଛାତ୍ରଛାତ୍ରୀ

 



ନୂଆଗାଁ (ନୟାଗଡ଼): ନୂଆଗାଁ ବ୍ଲକ ସ୍ତରରେ ୮୦ ତମ ପବିତ୍ର ସ୍ବାଧୀନତା ଦିବସ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ସକାଳୁ ସମଗ୍ର ଅଞ୍ଚଳ ତ୍ରିରଙ୍ଗା ପତାକା ଏବଂ ଦେଶପ୍ରେମର ଭାବନା ସହିତ ଝଲସୁଥିବା ବେଳେ ପ୍ରବଳ ବର୍ଷା ଉତ୍ସବର ଖୁସିରେ କିଛିଟା ବାଧା ସୃଷ୍ଟି କରିଥିଲା। ତଥାପି ବର୍ଷାକୁ ଖାତିର ନକରି ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ମଧ୍ୟରେ ଅଦମ୍ୟ ଉତ୍ସାହ ଦେଖିବାକୁ ମିଳିଥିଲା।


ସକାଳେ ନୂଆଗାଁ ପିଏମ୍‌ ଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରୁ ପ୍ରଭାତଫେରି ଆରମ୍ଭ ହୋଇଥିଲା। ସଦର ମହକୁମାର ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇ ଗ୍ରାମ ପରିକ୍ରମା କରିବା ସହ ନୂଆଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପଞ୍ଚାୟତ ସମିତି ପରିସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ଶ୍ରୀ ଅମୃତ କୁମାର ରାଉଳ ଜାତୀୟ ପତାକା ଉତ୍ତୋଳନ କରିଥିଲେ।


ଏହାପରେ ନୂଆଗାଁ ହାଇସ୍କୁଲ ଖେଳପଡ଼ିଆରେ ବ୍ଲକ ସ୍ତରୀୟ ମୁଖ୍ୟ ଉତ୍ସବ ଆୟୋଜିତ ହୋଇଥିଲା। ଝିପିଝିପି ବର୍ଷା ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ବେହେରା ଏବଂ ବିଡିଓଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ ସମ୍ପନ୍ନ ହୋଇଥିଲା। ପଡ଼ିଆରେ ପ୍ୟାରେଡ୍ ଚାଲିଥିବା ସମୟରେ ବର୍ଷାର ପରିମାଣ ବୃଦ୍ଧି ପାଇଥିଲେ ମଧ୍ୟ ଛାତ୍ରଛାତ୍ରୀମାନେ ଭିଜି ଭିଜି ନିଷ୍ଠା ଓ ଉତ୍କଣ୍ଠାର ସହ ଆକର୍ଷଣୀୟ ପ୍ୟାରେଡ୍ ପ୍ରଦର୍ଶନ କରିଥିଲେ।


ପଡ଼ିଆରେ ଅତ୍ୟଧିକ ବର୍ଷା ଯୋଗୁଁ କାର୍ଯ୍ୟକ୍ରମକୁ ତୁରନ୍ତ ନିକଟସ୍ଥ ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଆୟୋଜିତ ସଭା ଓ ପୁରସ୍କାର ବିତରଣ ଉତ୍ସବରେ ବ୍ଲକ ଅଧ୍ୟକ୍ଷା ଏବଂ ବିଡିଓ ଉପସ୍ଥିତ ରହି ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ ସ୍ବାଧୀନତା ସଂଗ୍ରାମୀ ତଥା ଅମର ଶହୀଦମାନଙ୍କ ତ୍ୟାଗକୁ ଶ୍ରଦ୍ଧାର ସହ ସ୍ମରଣ କରିବା ସହ ଆଗାମୀ ଦିନରେ ଦେଶର ଗୌରବ ବୃଦ୍ଧି ପାଇଁ ଆଗେଇ ଆସିବାକୁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ।


ଏହି ଅବସରରେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ, ଥାନା, ସରସ୍ଵତୀ ଶିଶୁ ମନ୍ଦିର, ଡିଗ୍ରୀ କଲେଜ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ବାଳିକା ଉଚ୍ଚ ବିଦ୍ୟାଳୟ ସମେତ ବିଭିନ୍ନ ଅନୁଷ୍ଠାନରେ ମଧ୍ୟ ମର୍ଯ୍ୟାଦାର ସହିତ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି।


Post a Comment

0 Comments