ଦଶପଲ୍ଲାରେ ବେଆଇନ ଗୋରୁ ବୋଝେଇ କଣ୍ଟେନର ଜବତ: ୩୫ ଗୋରୁ ଉଦ୍ଧାର
ନୟାଗଡ/ଦଶପଲ୍ଲା ୧୪/୦୮ ନାୟଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ସରିଗଣ୍ଡା ନିକଟରେ ଆଜି ଏକ ବେଆଇନ ଗୋରୁ ଚାଲାଣ କଣ୍ଟେନରକୁ ଜବତ କରିଛି ପୋଲିସ। ଏହି ସଫଳ ଚଢ଼ାଉରେ କଣ୍ଟେନର ଭିତରୁ ପ୍ରାୟ ୩୫ଟି ଗୋରୁଙ୍କୁ ଅତି ସୋଚନୀୟ ଅବସ୍ଥାରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ମୁତାବକ, ଆଜି ସରିଗଣ୍ଡା ଅଞ୍ଚଳ ଦେଇ ଏକ କଣ୍ଟେନରରେ ବେଆଇନ ଭାବେ ଗୋରୁ ବୋଝେଇ ହୋଇ ଚାଲାଣ କରାଯାଉଥିବା ନେଇ ସ୍ଥାନୀୟ ଲୋକେ ଦଶପଲ୍ଲା ପୋଲିସକୁ ଗୁପ୍ତ ସୂଚନା ଦେଇଥିଲେ। ଖବର ପାଇବା ମାତ୍ରେ ଦଶପଲ୍ଲା ଥାନା ଆଇଆଇସି ବିନୟ ରଞ୍ଜନ ପରିଡ଼ାଙ୍କ ନେତୃତ୍ୱରେ ଏକ ବିଶେଷ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନାକାବନ୍ଦୀ କରି ଚଢ଼ାଉ କରିଥିଲେ।
ପୋଲିସ ଯାଞ୍ଚ ସମୟରେ ରାଜସ୍ଥାନ ନମ୍ବର ଥିବା ଏକ ବଡ଼ କଣ୍ଟେନର ଗାଡ଼ି (Vehicle No: RJ 32 GC 9817) କୁ ଅଟକାଇଥିଲା। ଗାଡ଼ି ଭିତରକୁ ଖୋଲି ଦେଖିବା ବେଳକୁ ସେଥିରେ ଅତି ନିର୍ଦ୍ଦୟ ଭାବେ ଗୋରୁଗୁଡ଼ିକୁ ଗାଦିଆଗାଦି କରି ଭର୍ତ୍ତି କରାଯାଇଥିଲା। ପୋଲିସ ତୁରନ୍ତ ଗାଡ଼ି ସହ ସମସ୍ତ ୩୫ଟି ଗୋରୁଙ୍କୁ ଜବତ କରିବା ସହ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛି। ଏହି ସମ୍ପର୍କରେ ଦଶପଲ୍ଲା ଥାନାରେ କେସ୍ ନମ୍ବର 213/14.08.2026 ରେ ଏକ ବେଆଇନ ଗୋରୁ ଚାଲାଣ ମାମଲା ରୁଜୁ କରାଯାଇଛି। ପୋଲିସ ଗାଡ଼ିକୁ ଜବତ କରିବା ସହ ଏହି ବେଆଇନ କାରବାର ପଛରେ କେଉଁ ଆନ୍ତଃରାଜ୍ୟ ମାଫିଆ ଗ୍ୟାଙ୍ଗ ସକ୍ରିୟ ରହିଛନ୍ତି, ସେ ନେଇ ଅଧିକ ଖୋଳତାଡ଼ ଓ ତଦନ୍ତ ଜାରି ରଖିଛି। ସ୍ଥାନୀୟ ଲୋକଙ୍କ ସତର୍କତା ଓ ପୋଲିସର ତତ୍କାଳ କାର୍ଯ୍ୟାନୁଷ୍ଠାନକୁ ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି।



0 Comments