ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି), ନୟାଗଡ଼ ଜିଲ୍ଲା ପକ୍ଷରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ସଫଳତାର ସହ ଅନୁଷ୍ଠିତ ହୋଇଛି। ପ୍ରାୟ ୩୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇପାରିଛି।
ଏହି କାର୍ଯ୍ୟକ୍ରମରେ ପୂର୍ବ କ୍ଷେତ୍ରୀୟ ସହ ସଂଗଠନ ମନ୍ତ୍ରୀ ଶ୍ରୀ ବଇଲୋଚନ ସାହୁ, ପୁରୀ ବିଭାଗ ସଂଗଠନ ମନ୍ତ୍ରୀ ଶ୍ରୀମାନ ଅରିଜିତ ପଟ୍ଟନାୟକ, ପୁରୀ ବିଭାଗ ସଂଯୋଜକ ଶ୍ରୀମାନ ସୌମ୍ୟରଞ୍ଜନ ସାହୁ, ନୟାଗଡ଼ ଜିଲ୍ଲା ସଂଯୋଜକ ଶ୍ରୀମାନ ମଙ୍ଗୁଳିଆ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମାନ ସମ୍ବିତ ପ୍ରସାଦ ଶତପଥୀ, ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ୟୁନିଟ ସଭାପତି ସୁଶ୍ରୀ ପାୟଲ ପ୍ରିୟଦର୍ଶିନୀ ପ୍ରଧାନ, ନୟାଗଡ଼ ବ୍ଲକ ସଂଯୋଜକ ଶ୍ରୀମାନ ଶୁଭମ ସାହୁ, ଜିଲ୍ଲା ଛାତ୍ରୀ ପ୍ରମୁଖ ଜ୍ୟୋତି ନାୟକ ଏବଂ ଅନ୍ୟାନ୍ୟ ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।
ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର, ନୟାଗଡ଼ ମହିଳା ମହାବିଦ୍ୟାଳୟ ସମେତ ଅନ୍ୟାନ୍ୟ ମହାବିଦ୍ୟାଳୟ ଆଦିରୁ ବହୁ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ସହଭାଗିତାରେ ଶୋଭାଯାତ୍ରାଟି ଭବ୍ୟ ରୂପ ଧାରଣ କରିଥିଲା। ଏହି ତ୍ରିରଙ୍ଗା ଶୋଭାଯାତ୍ରା ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ମୁଖ୍ୟ ଫାଟକରୁ ଆରମ୍ଭ ହୋଇ ନୟାଗଡ଼ ସହର ଓ ଗୋଲେଇ ଛକ ପରିକ୍ରମା କରି ପୁନର୍ବାର ମହାବିଦ୍ୟାଳୟର ପଛ ଫାଟକରେ ସମାପ୍ତ ହୋଇଥିଲା।
ଏହି ଅବସରରେ ବକ୍ତାମାନେ କହିଥିଲେ ଯେ, ତ୍ରିରଙ୍ଗା କେବଳ ଏକ ଜାତୀୟ ପତାକା ନୁହେଁ, ଏହା ଦେଶର ଗୌରବ, ସ୍ୱାଭିମାନ ଓ ଏକତାର ପ୍ରତୀକ। ଦେଶପ୍ରେମ, ରାଷ୍ଟ୍ରନିଷ୍ଠା ଓ ସାମାଜିକ ଦାୟିତ୍ୱବୋଧକୁ ଛାତ୍ରସମାଜ ମଧ୍ୟରେ ସୁଦୃଢ଼ କରିବା ପାଇଁ ଏପରି କାର୍ଯ୍ୟକ୍ରମ ଅତ୍ୟନ୍ତ ପ୍ରେରଣାଦାୟକ।
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଦୀର୍ଘ ଦିନ ଧରି ଛାତ୍ରହିତ, ରାଷ୍ଟ୍ରହିତ ଓ ସମାଜହିତକୁ ପ୍ରାଧାନ୍ୟ ଦେଇ ଦେଶବ୍ୟାପୀ କାର୍ଯ୍ୟ କରିଆସୁଛି। ଶିକ୍ଷାର ଗୁଣାତ୍ମକ ବିକାଶ, ଛାତ୍ରଛାତ୍ରୀଙ୍କ ଅଧିକାର ସୁରକ୍ଷା, ସାମାଜିକ ସଚେତନତା, ପରିବେଶ ସୁରକ୍ଷା, ରକ୍ତଦାନ, ଦୁର୍ଯୋଗ ସମୟରେ ସେବାକାର୍ଯ୍ୟ ଏବଂ ଜାତୀୟ ଚେତନାର ବିକାଶ କ୍ଷେତ୍ରରେ ବିଦ୍ୟାର୍ଥୀ ପରିଷଦ ନିରନ୍ତର କାର୍ଯ୍ୟ କରିଆସୁଛି।
ନୟାଗଡ଼ରେ ଆଜିର ଏହି ଐତିହାସିକ ତ୍ରିରଙ୍ଗା ଶୋଭାଯାତ୍ରା ପୁଣିଥରେ ପ୍ରମାଣ କରିଛି ଯେ, ଯୁବପିଢ଼ି ମଧ୍ୟରେ ଦେଶଭକ୍ତି, ସାମାଜିକ ଦାୟିତ୍ୱ ଓ ସକାରାତ୍ମକ ଛାତ୍ର ଆନ୍ଦୋଳନ ପ୍ରତି ଆଗ୍ରହ ବୃଦ୍ଧି ପାଉଛି। ବହୁ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ସ୍ୱତଃସ୍ଫୂର୍ତ୍ତ ଯୋଗଦାନ ଏବିଭିପି ପ୍ରତି ସେମାନଙ୍କ ବିଶ୍ୱାସ ଓ ଆସ୍ଥାର ପ୍ରତିଫଳନ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।
"ଛାତ୍ର ଶକ୍ତି ହିଁ ରାଷ୍ଟ୍ର ଶକ୍ତି" ଏହି ମୂଳମନ୍ତ୍ରକୁ ଆଧାର କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଆଗାମୀ ଦିନରେ ମଧ୍ୟ ରାଷ୍ଟ୍ର ନିର୍ମାଣରେ ଯୁବଶକ୍ତିଙ୍କୁ ସଂଗଠିତ କରିବା ସହ ସମାଜ ଓ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ଗଠନମୂଳକ କାର୍ଯ୍ୟକ୍ରମ ଜାରି ରଖିବ।



0 Comments