ଦଶପଲ୍ଲା/ବାଣିଗୋଛା ୧୨/୦୮ ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଙ୍କ ନିର୍ଦ୍ଦେଶକ୍ରମେ ବାଣିଗୋଛା ଥାନା ପରିସରରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ପ୍ରାୟ ୫.୦୦ ସମୟରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ମହିଳା ଓ ଭଦ୍ରବ୍ୟକ୍ତିଙ୍କ ସମେତ ପ୍ରାୟ ୬୦ ଜଣ ସ୍ଥାନୀୟ ବାସିନ୍ଦା ଯୋଗ ଦେଇଥିଲେ।
ଏହି ସଚେତନତା ସଭାରେ ବାଣିଗୋଛା ଥାନା ଅଧିକାରୀ ଶିବ ପ୍ରସାଦ ଭଦ୍ର ସଭାପତିତ୍ୱ କରି ଉପସ୍ଥିତ ଜନସାଧାରଣଙ୍କୁ ସାମ୍ପ୍ରତିକ ସମୟରେ ବଢୁଥିବା ସାଇବର ଅପରାଧ ସମ୍ପର୍କରେ ଅବଗତ କରାଇଥିଲେ। ବିଶେଷ କରି ଅନଲାଇନ୍ ଠକାମି, ମୋବାଇଲ୍ ଓଟିପି ଶେୟାର ନ କରିବା, ଜାଲ୍ ଲିଙ୍କ୍ ଉପରେ କ୍ଲିକ୍ ନ କରିବା ଏବଂ ସୋସିଆଲ ମିଡିଆର ସୁରକ୍ଷିତ ବ୍ୟବହାର ଉପରେ ସେ ବିସ୍ତୃତ ଭାବେ ବୁଝାଇଥିଲେ। "ସଚେତନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ" ବାର୍ତ୍ତାକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲୋକମାନଙ୍କୁ ସାଇବର ଠକେଇର ଶିକାର ହେଲେ ତୁରନ୍ତ ପୋଲିସ କିମ୍ବା ସାଇବର ହେଲ୍ପଲାଇନ ସହ ଯୋଗାଯୋଗ କରିବାକୁ ଥାନା ଅଧିକାରୀ ଶ୍ରୀ ଭଦ୍ର ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଥାନାର ସବ୍-ଇନ୍ସପେକ୍ଟର ବି.କେ. ଦେହୁରୀ ଉପସ୍ଥିତ ସମସ୍ତ ଅତିଥି, ସ୍ଥାନୀୟ ଭଦ୍ରବ୍ୟକ୍ତି ଓ ମହିଳାମାନଙ୍କୁ ସେମାନଙ୍କର ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ସ୍ଥାନୀୟ ଅଞ୍ଚଳରେ ପୋଲିସର ଏଭଳି ଜନହିତକର ପ୍ରୟାସକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି।


0 Comments