ଦଶପଲ୍ଲାରେ ବାଇକ୍ ଚୋରି ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ

 ଦଶପଲ୍ଲାରେ ବାଇକ୍ ଚୋରି ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ 
ନୟାଗଡ/ଦଶପଲ୍ଲା,ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳରେ ଚୋରା ମୋଟରସାଇକେଲ୍ ଗ୍ୟାଙ୍ଗ୍‌ ଉପରେ ପୋଲିସ ବଡ଼ ଧରଣର ପ୍ରହାର କରିଛି। ନୟାଗଡ଼ ସଦର ଡିଏସପି ସୁଦୀପ୍ତ କୁମାର ସାହୁ ଏବଂ ଦଶପଲ୍ଲା ଥାନା ଆଇଆଇସି  ବିନୟ ରଞ୍ଜନ ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ନେତୃତ୍ୱରେ ପୋଲିସ ଏକ ସକ୍ରିୟ ବାଇକ୍ ଚୋରି ର୍ୟାକେଟ୍‌ର ପର୍ଦ୍ଦାଫାଶ କରିଛି। ଏହି ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୫ଟି ଚୋରା ମୋଟରସାଇକେଲ୍ ଓ ସ୍କୁଟି ଜବତ କରାଯାଇଛି। ପୋଲିସ ସୂଚନା ଅନୁଯାୟୀ, ଗତ ୭ ଅଗଷ୍ଟ ଅପରାହ୍ନରେ ଦଶପଲ୍ଲା ହନୁମାନ ବଜାରର ସୋଭନ କୁମାର ମିଶ୍ର (୪୦) ନିଜ ଘର ସମ୍ମୁଖରେ ଏକ ରୟାଲ ଏնଫିଲ୍ଡ ବୁଲେଟ୍ (OD 25 N 5888) ପାର୍କିଂ କରି ଶୋଇଥିଲେ।


ପରବର୍ତ୍ତୀ ସମୟରେ କେହି ଜଣେ ଦୁର୍ବୃତ୍ତ ତାଙ୍କ ଘର ଆଗରୁ ଏହି ବୁଲେଟ୍‌ଟିକୁ ଚୋରି କରି ନେଇଥିଲା। ଏ ନେଇ ସୋଭନ ଗତ ୮ ଅଗଷ୍ଟ ସକାଳେ ଦଶପଲ୍ଲା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ କେସ୍ ନମ୍ବର ୨୦୫/୨୦୨୬, ଧାରା ୩୦୩(୨) BNS ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସଦର ଡିଏସପି ସୁଦୀପ୍ତ କୁମାର ସାହୁଙ୍କ ସୂଚନା ଓ ନିର୍ଦ୍ଦେଶକ୍ରମେ ଦଶପଲ୍ଲା ଥାନା ବିନୟ ରଞ୍ଜନ ପରିଡ଼ାଙ୍କ ନେତୃତ୍ୱରେ ଏକ ବିଶେଷ ପୋଲିସ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଟିମ୍ ଦଶପଲ୍ଲା ଥାନା ଅନ୍ତର୍ଗତ କାଇନ୍ଦିହା ଗ୍ରାମର ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ କାଇନ୍ଦିହା ଗ୍ରାମର ବଳରାମ ନାଏକ (୨୦), ପିତା- ଭୁକୁଲ ନାଏକ ଏବଂ ଅନୁଭବ ନାଏକ (୨୦), ପିତା- ସୁବାଷ ନାଏକ।

ଆଇଆଇସି ବିନୟ ରଞ୍ଜନ ପରିଡ଼ାଙ୍କ ସୂଚନା ଅନୁଯାୟୀ, ଗିରଫ ଦୁଇ ଅଭିଯୁକ୍ତଙ୍କୁ ସୁରାକ ଆଧାରରେ ପୋଲିସ ବିଭିନ୍ନ ସ୍ଥାନରେ ଲୁଚାଇ ରଖାଯାଇଥିବା ମୋଟ ୫ଟି ଚୋରା ଗାଡ଼ି ଜବତ କରିଛି। ଜବତ ଗାଡ଼ିଗୁଡ଼ିକ ମଧ୍ୟରେ ରହିଛି: ରୟାଲ ଏନଫିଲ୍ଡ ବୁଲେଟ୍ (OD 25 N 5888) ହିରୋ ଗ୍ଲାମର (OD 22 N 0920),ହୋଣ୍ଡା ସାଇନ୍ (OD 25 J 5015), ହିରୋ ସିଡି ଡିଲକ୍ସ (OD 05 AC 0261)
ହୋଣ୍ଡା ଆକ୍ଟିଭା ସ୍କୁଟି (OD 33 1279)
ସଦର  ଡିଏସପି  ସୁଦୀପ୍ତ କୁମାର ସାହୁ ଜଣାଇଛନ୍ତି ଯେ ଏହି ବାଇକ୍ ଚୋରି ର୍ୟାକେଟ୍‌ରେ ଅନ୍ୟ କେଉଁମାନେ ସାମିଲ ଅଛନ୍ତି ଏବଂ ଗାଡ଼ିଗୁଡ଼ିକୁ କେଉଁ ସବୁ ଜିଲ୍ଲାରୁ ଚୋରି କରାଯାଇଛି, ସେ ନେଇ ପୋଲିସ ପକ୍ଷରୁ ଅଧିକ ଖୋଳତାଳ ଜାରି ରହିଛି। ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ( ନୟାଗଡ ରୁ ଜିଲ୍ଲା ପ୍ରତିନିଧି ଦୀପକ ନାୟକ ଙ୍କ ରିପୋର୍ଟ)

Post a Comment

0 Comments