ବଡଗୋଠରେ GPCPC ବୈଠକ : ଶିଶୁ ସୁରକ୍ଷା ଓ ବାଳ୍ୟ ବିବାହ ରୋକଥାମ ଉପରେ ଗୁରୁତ୍ୱ

 



ନୟାଗଡ଼ ଜିଲ୍ଲାର ନୁଆଗାଁ ବ୍ଲକ୍‌ ଅନ୍ତର୍ଗତ ବଡଗୋଠ ଗ୍ରାମ ପଞ୍ଚାୟତରେ ସି-୩ ଅନୁଷ୍ଠାନ ପକ୍ଷରୁ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟି (GPCPC)ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଗୋବର୍ଦ୍ଧନ ଦାଶଙ୍କ ପ୍ରତିନିଧିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସି-୩ର ବ୍ଲକ୍ ସଂଯୋଜିକା ସୌଜନ୍ୟା ନାୟକ ସଂଚାଳନ କରିଥିଲେ।



ବୈଠକରେ ପଞ୍ଚାୟତ ସମିତି ସଭ୍ୟ ଶ୍ରୀ ସନ୍ତୋଷ କୁମାର ନାୟକ, ଆଙ୍ଗନୱାଡ଼ି କର୍ମୀ, କିଶୋରୀ ବାଳିକା, ୱାର୍ଡ ସଦସ୍ୟ ଓ ଅନ୍ୟାନ୍ୟ ଜନପ୍ରତିନିଧିମାନେ ଯୋଗଦେଇଥିଲେ। ବିଶେଷ ଅତିଥି ଭାବେ ମୀନକେତନ ସ୍ମାରକୀ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ଚିନ୍ମୟ କୁମାର ପ୍ରଧାନ ଯୋଗଦେଇ ବାଲ୍ୟ ବିବାହ, ଶିଶୁ ସୁରକ୍ଷା ଓ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ।



ସୌଜନ୍ୟା ନାୟକ GPCPCର ଭୂମିକା ବ୍ୟାଖ୍ୟା କରି କହିଥିଲେ ଯେ, ଏହି କମିଟି ଗ୍ରାମ ସ୍ତରରେ ଶିଶୁମାନଙ୍କ ସୁରକ୍ଷା, ଶିଶୁ ଶ୍ରମିକ ବନ୍ଦ୍ କରିବା, ସଙ୍କଟାପନ୍ନ ପରିବାର ଚିହ୍ନଟ ଓ ସହାୟତା ପ୍ରଦାନ ଭଳି କାର୍ଯ୍ୟ କରିଥାଏ। ସେ ବଡଗୋଠ ଗ୍ରାମ ପଞ୍ଚାୟତରେ ଥିବା ଶିକ୍ଷା ସଂସାଧନ କେନ୍ଦ୍ର ଓ ଗୁଣାତ୍ମକ ଶିକ୍ଷା କେନ୍ଦ୍ର ବିଷୟରେ ମଧ୍ୟ୍ୟ ଜଣାଇଥିଲେ ।ଶ୍ରୀ ଗୋବର୍ଦ୍ଧନ ଦାଶ ମଧ୍ୟ କମିଟିକୁ ସକ୍ରିୟ ରଖି ଶିଶୁ ସୁରକ୍ଷାକୁ ସୁଦୃଢ଼ କରିବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ।



ବୈଠକରେ ଗ୍ରାମର ଶିଶୁମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଓ ସୁରକ୍ଷା ସମ୍ପର୍କିତ ବିଭିନ୍ନ ସମସ୍ୟା ଉଠିଥିଲା। ଆଗାମୀ ଦିନରେ ମାସିକ ବୈଠକ ମାଧ୍ୟମରେ କମିଟିକୁ ସକ୍ରିୟ ରଖିବା ପାଇଁ ସମସ୍ତେ ସମ୍ମତି ପ୍ରକାଶ କରିଥିଲେ।


Post a Comment

0 Comments