ନୟାଗଡ - ଗଣିଆ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ସଲିଲା ସେଠୀଙ୍କୁ ବଦଳି ଦାବି ଜୋର ଧରିଛି । ଏ ନେଇ କଲେଜର ପ୍ରାୟ ୧୦ରୁ ଅଧିକ ଅଧ୍ୟାପକ ଓ କର୍ମଚାରୀ ଶନିବାର କଲେଜ ସମ୍ମୁଖରେ ଧାରଣାରେ ବସିଛନ୍ତି । ସେମାନେ ଏ ନେଇ ଲିଖିତ ଭାବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଡାଇରେକ୍ଟର, ଗଣଶିକ୍ଷା ମନ୍ତ୍ରୀ, କନ୍ଧମାଳ ସାଂସଦ, ହ୍ୟୁମାନ ରାଇଟ୍ସ କମିଶନ, ଶିକ୍ଷା ସଚିବ, ଜିଲ୍ଲାପାଳ, ସଭାପତି ତଥା ଉପଜିଲ୍ଲାପାଳ ନୟାଗଡ,ଗଣିଆ ଥାନାଙ୍କୁ ପ୍ରେରଣ କରିଛନ୍ତି । ଅଧ୍ୟକ୍ଷା କଲେଜରେ କର୍ମଚାରୀ ମାନଙ୍କୁ ବାରମ୍ବାର ମାନସିକ ଭାବେ ନିର୍ଯାତନା ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି । ଠିକ୍ ସମୟରେ ଦରମା ନଦେବା,ଖରାପ ଭାଷାରେ ଗାଳି କରିବା, ମନମୁଖୀ ଶାସନ କରିବା,ବିଗତ ଦୁଇ ବର୍ଷ ଧରି ନିଜେ କ୍ଳାସ ନକରିବା, ଗୋଟିଏ କଲେଜର ସୁପରିଟେଣ୍ଡେଡ ହୋଇଥିଲେ ମଧ୍ୟ ସ୍ବାମୀଙ୍କ ହାତରେ ଟ୍ୟୁଟୋରିଆଲ ଚଲାଇ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଲୋଭନ କରିବା,ଇଣ୍ଟରନାଲରେ ଅଧିକ ମାର୍କକୁ ନିଜ ଟ୍ୟୁଟୋରିଆଲ ପିଲାଙ୍କୁ ଦେବା,କଥା କଥାରେ କର୍ମଚାରୀଙ୍କୁ ଆଇନର ଧମକ ଦେବା ,ଇପିଏଫ ଦୁର୍ନୀତିରେ ଲିପ୍ତ ରହିବା ଭଳି ଅନେକ ଅଭିଯୋଗ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଆସିଛି । ଦୀର୍ଘ ଦିନ ଧରି ନିର୍ଯାତନାର ଶିକାର ହେବା ପରେ କର୍ମଚାରୀ ମାନେ ମୁହଁ ଖୋଲିଛନ୍ତି । ଅଧ୍ୟକ୍ଷାଙ୍କୁ କଲେଜରୁ ହଟାଇ କଲେଜ ବଞ୍ଚାଇବାକୁ ସେମାନେ ଦାବି କରିଛନ୍ତି । ତେବେ ଏ ସମ୍ପର୍କରେ କଲେଜ ଅଧ୍ୟକ୍ଷାଙ୍କୁ ପଚାରିବାରୁ ସେମାନେ ମୋତେ କିଛି ନଜଣାଇ ଧାରଣାରେ ବସିଥିବା ସେ ପ୍ରକାଶ କରିଛନ୍ତି । ଯଦି ସେମାନଙ୍କର କିଛି ଅସୁବିଧା ଅଛି ତେବେ ମୋ ସହିତ ଆଲୋଚନା କରିବା କଥା ବୋଲି ସେ ପ୍ରକାଶ କରିଛନ୍ତି । ତେବେ ଉଚ୍ଚ କତ୍ତୃପକ୍ଷ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।


0 Comments