ନୟାଗଡ଼, ୩୦/୫: ନୟାଗଡ଼ ବ୍ଲକ୍ ଚେୟାରମ୍ୟାନ କିଶୋର ଚନ୍ଦ୍ର ସାହୁ ବିଜେଡ଼ି ଛାଡ଼ି ବିଜେପିରେ ଯୋଗଦେବା ପରେ, ବିଜେଡ଼ି ପକ୍ଷରୁ ୪୫ ଜଣ ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ଦସ୍ତଖତ ସମ୍ବଳିତ ଏକ ଅନାସ୍ଥା ପ୍ରସ୍ତାବ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ତେବେ, ଏତେ ଦିନ ବିତିଯାଇଥିଲେ ମଧ୍ୟ ଏହି ପ୍ରସ୍ତାବ ଉପରେ କୌଣସି ଆବଶ୍ୟକୀୟ ପଦକ୍ଷେପ ନିଆଯାଇ ନଥିବାରୁ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଜେଡ଼ି ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉପଜିଲ୍ଲାପାଳ ଶ୍ରୀ କର୍ଣ୍ଣଦେବ ସମାଦାରଙ୍କୁ ଭେଟି ଦଳୀୟ ପ୍ରତିନିଧିମାନେ ପ୍ରଶ୍ନ କରିଥିଲେ ଯେ, ଏହି ପ୍ରକ୍ରିୟାରେ କାହିଁକି ବିଳମ୍ବ ହେଉଛି ଏବଂ ଏଥିପାଇଁ କୌଣସି ବାହ୍ୟ ଚାପ ରହିଛି କି? ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲ୍ଲାପାଳ ହସ୍ତକ୍ଷେପ କରିଥିଲେ। ଅନାସ୍ଥା ପ୍ରସ୍ତାବ କାହିଁକି କାର୍ଯ୍ୟକାରୀ ହୋଇପାରିନାହିଁ, ସେ ନେଇ ଯାଞ୍ଚ କରିବେ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେବା ପରେ ବିଜେଡ଼ି କର୍ମୀମାନେ ଧାରଣାରୁ ଓହରିଥିଲେ। ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ସୁବାଷ କଁଅର, ସରୋଜ ରଣସିଂହ, କ୍ଷିରୋଦ ମହାପାତ୍ର ଏବଂ ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁଙ୍କ ସମେତ ଅନେକ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ।

0 Comments