ନୂଆଗାଁ ବ୍ଲକରେ କାଳବୈଶାଖୀର ତାଣ୍ଡବ: ରାସ୍ତା ଉପରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ,
ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟ ସମ୍ପନ୍ନ
ନୂଆଗାଁ ବ୍ଲକ -ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଆଜି ସନ୍ଧ୍ୟାରେ କାଳବୈଶାଖୀର ପ୍ରଳୟଙ୍କରୀ ରୂପ ଦେଖିବାକୁ ମିଳିଛି। ପ୍ରବଳ ବେଗରେ ପବନ ସାଙ୍ଗକୁ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷ କରି କୃଷ୍ଣପ୍ରସାଦରୁ ଆଡ଼କଟାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର କୃଷ୍ଣପ୍ରସାଦ ନିକଟରେ ଏକ ବିରାଟ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିବାରୁ ଦୀର୍ଘ ସମୟ ଧରି ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା।
ରାସ୍ତା ଅବରୋଧ ସମ୍ପର୍କରେ ଖବର ପାଇ ନୂଆଗାଁ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କେନ୍ଦ୍ର ଅଧିକାରୀ (OIC) ଅଜୟ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏବଂ ଡ୍ରାଇଭର ହାବିଲଦାର ଆଭାସ ରଞ୍ଜନ ସାମଲଙ୍କ ସହଯୋଗରେ ଏକ ଉଦ୍ଧାରକାରୀ ଦଳ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରିଥିଲେ। ଏହି ଟିମ୍ରେ ଫାୟାରଫାଇଟର ସୁଚିତ୍ରା ବଳିଆରସିଂହ,କୃତିବାସ ଓଝାଏବଂ ବୈକୁଣ୍ଠ ନାଥ ବେହେରା ସାମିଲ ହୋଇ ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟରେ ରାସ୍ତାରୁ ବିରାଟ ଗଛଟିକୁ କାଟି ହଟାଇଥିଲେ।
ଅଗ୍ନିଶମ ବାହିନୀର ପ୍ରାୟ ଏକ ଘଣ୍ଟାର ପରିଶ୍ରମ ପରେ ରାସ୍ତା ସଫା ହୋଇଥିଲା ଓ ପୁନର୍ବାର ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା। ସ୍ଥାନୀୟ ଜନସାଧାରଣ ଅଗ୍ନିଶମ ବାହିନୀର ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ବେଶ୍ ପ୍ରଶଂସା କରିଛନ୍ତି। ଅନ୍ୟପଟେ କାଳବୈଶାଖୀ ପ୍ରଭାବରେ ଅଞ୍ଚଳର କେତେକ ସ୍ଥାନରେ ବିଦ୍ୟୁତ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି।



0 Comments