ନୂଆଗାଁ ନୂଆଗାଁ ବ୍ଲକ ଅନ୍ତର୍ଗତ ଡିମିରିଝରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମର ଏକ ସାହିରେ ହଠାତ୍ ନିଆଁ ଲାଗିଯିବା ଫଳରେ ଦୁଇ ବଖରା ଘର ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି।
ଏହି ଅଗ୍ନିକାଣ୍ଡରେ ଘରେ ଥିବା ହଜାର ହଜାର ଟଙ୍କାର ଆସବାବପତ୍ର, ଚାଉଳ, ଧାନ ସମେତ ସମସ୍ତ ଘରକରଣା ସାମଗ୍ରୀ ଜଳିଯାଇଛି। ବିଶେଷ କରି ଚାଷ କାର୍ଯ୍ୟରେ ବ୍ୟବହୃତ ହେଉଥିବା ମଟର ପମ୍ପଟି ମଧ୍ୟ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଖବର ପାଇ ନୂଆଗାଁ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ନିଆଁ ଲାଗିବାର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।୨ ହିତାଧିକାରୀ ହେଲେ ଭାବ ନାୟକ, କାଳିଆ ନାୟକ. ଆନୁମାନିକ ୭୦ ହଜାର ତାଙ୍କର କ୍ଷୟ କ୍ଷତି ହୋଇଥିବାର ସୂଚନା ମିଳିଛି।
ଏହି ଅଗ୍ନିକାଣ୍ଡ ଯୋଗୁଁ ସମ୍ପୃକ୍ତ ପରିବାର ସର୍ବସ୍ୱ ହରାଇ ଏବେ ଖୋଲା ଆକାଶ ତଳେ ଆଶ୍ରୟ ନେଇଛନ୍ତି। ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷୟକ୍ଷତିର ଆକଳନ କରାଯାଇ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।


0 Comments